ମାନବିକତାର ଜୟଗାନ କାଳଜୟୀ ସାହିତ୍ୟ ସୃଷ୍ଟି କରେ

66

ଭୁବନେଶ୍ୱର (ବୁ୍ୟରୋ): ସାହିତ୍ୟରେ ସତ୍ୟନିଷ୍ଠତା ମାନବିକତାକୁ ପ୍ରସାରିତ କରିଥାଏ । ବିଶ୍ୱ ଭାବନାର ପ୍ରଚାର କରିଥାଏ । ଆଉ ମାନବିକତାର ଜୟଗାନ କାଳଜୟୀ ସାହିତ୍ୟ ସୃଷ୍ଟି କରିଥାଏ ବୋଲି ୨୦୧୫ ବର୍ଷ ପାଇଁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା ପ୍ରଫେସର୍ ଡ. ମଧୁସୂଦନ ପତି କହିଛନ୍ତି । ଅତିବଡ଼ୀ ସମ୍ମାନ ସହିତ ୨୦୧୧ ଓ ୨୦୧୨ ବର୍ଷ ପାଇଁ ୧୮ ଜଣ ସାହିତି୍ୟକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରଦାନ କରାଯାଉଥିବା ଅତିବଡ଼ୀ ସମ୍ମାନ ଗ୍ରହଣ କରି ଡ. ପତି ଏହା କହିଛନ୍ତି । ଡ. ପତି କହିଥିଲେ, ଅତିବଡ଼ୀଙ୍କ ନାମରେ ପୁରସ୍କାର ଗ୍ରହଣ କରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ଓଡ଼ିଆ ସାହିତ୍ୟରେ ଭକ୍ତି ଯୁଗ ସାମାଜିକ ଆନ୍ଦୋଳନର ରୂପ ନେଇଥିଲା । ଅତିବଡ଼ୀ ଜଗନ୍ନାଥ ଦାସ ଭକ୍ତି ଯୁଗର ଅନ୍ୟତମ ସାରଥୀ ସାଜିବା ସହିତ ନିଜ ରଚନା ମାଧ୍ୟମରେ ସାମାଜିକ ସଂସ୍କାରରେ ପ୍ରମୁଖ ପୁରୋଧା ସାଜିଥିଲେ । ସାହିତ୍ୟ, ବିଜ୍ଞାନ ଓ ଆଧ୍ୟାତ୍ମିକତା ପରସ୍ପରର ପରିପୂରକ । କାଳଜୟୀ ସାହିତ୍ୟକୁ ଇତିହାସ ନିରୂପିତ କରିଥାଏ ବୋଲି ଡ. ପତି କହିଥିଲେ । ଅତିବଡ଼ୀ ସମ୍ମାନ ବିଜେତାଙ୍କ ପାଇଁ ଏକ ଅଭିନନ୍ଦନିକା ଗ୍ରନ୍ଥ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ସମାଜର ପ୍ରଭାବ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ । ସାହିତ୍ୟ ଆମ ସମୟର ଅଭିବ୍ୟକ୍ତି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଆମ ଭାଷାର ଶାସ୍ତ୍ରୀୟତାକୁ ଆହୁରି ରୁଦ୍ଧିମନ୍ତ କରିବାକୁ ହେଲେ ଆମର କାଳଜୟୀ ସୃଷ୍ଟିଗୁଡ଼ିକର ଅଧିକରୁ ଅଧିକ ଅନୁବାଦ ହେବା ଆବଶ୍ୟକ । ଅନ୍ୟ ଭାଷାଭାଷୀ ଲୋକେ ଯେପରି ଆମ ଭାଷାର ଗାରିମା ଉପଲବ୍ଧି କରିପାରିବେ, ସେଥିପ୍ରତି ଉଦ୍ୟମ ହେବା ଆବଶ୍ୟକ । ଜେଏନ୍ୟୁରେ ଓଡ଼ିଆ ଚେୟାର୍ ଓ ଭୁବନେଶ୍ୱରରେ ଉକ୍ରର୍ଷ କେନ୍ଦ୍ର ଖୁବ୍ ଶୀଘ୍ର ପ୍ରତିଷ୍ଠା ବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡି ହୋତା ପୁରସ୍କାର ପ୍ରଦାନ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ସଭ୍ୟତାର ବିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । କଥିତ ଭାଷାକୁ ଓଡ଼ିଆ ସାହିତ୍ୟ ପରିସରକୁ ଆଣିବାକୁ ସାହିତି୍ୟକମାନେ ଉଦ୍ୟମ କରିବା ଆବଶ୍ୟକ । ଏହା ଦ୍ୱାରା ଓଡ଼ିଆ ସାହିତ୍ୟର ପରିସର ବୃଦ୍ଧି ପାଇବ । ଆମ ଭାଷାର ବିକାଶ ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ଶ୍ରୀ ହୋତା କହିଥିଲେ । ସଂସ୍କୃତି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ କହିଥିଲେ, କଲମର କଥା ଜନଜୀବନରେ ଅଧିକ ପ୍ରଭାବ ପକାଏ । ବାକି ଥିବା ଦୁଇ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାରକୁ ଯଥାଶୀଘ୍ର ପ୍ରଦାନ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ । ନିର୍ଦ୍ଧେଶକ ରଂଜିତ ମହାନ୍ତି ଅତିବଡ଼ୀଙ୍କ ପରି ଆଜିର ସାହିତି୍ୟକମାନେ ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଗ୍ରନ୍ଥ ଉପହାର ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ୨୦୧୧ ବର୍ଷ ପାଇଁ ସତ୍ୟପ୍ରିୟ ମହାଳିକ(ଉପନ୍ୟାସ), ସାରଦା ପ୍ରସାଦ ମିଶ୍ର(କ୍ଷୁଦ୍ରଗଳ୍ପ), ପୀତାମ୍ବର ତରାଇ(କବିତା), ନିବେଦିତା ଜେନା(ନାଟକ ଓ ଏକାଙ୍କିକା), ପ୍ରବୋଧ କୁମାର ମିଶ୍ର(ପ୍ରବନ୍ଧ), ରମା ଦେବୀ(ଜୀବନୀ), ସୀତେଶ ତ୍ରିପାଠୀ(ଅନୁବାଦ), ରାଜକିଶୋର ପାଢ଼ୀ(ଶିଶୁ ସାହିତ୍ୟ), ମନୋଜ ପଟ୍ଟନାୟକ(ଗୀତି କବିତା) ଓ ୨୦୧୨ ବର୍ଷ ପାଇଁ ନବକିଶୋର ରାଜ(ଉପନ୍ୟାସ), ଅଜୟ ସ୍ୱାଇଁ(କ୍ଷୁଦ୍ରଗଳ୍ପ), ଡ. ହରପ୍ରସାଦ ପରିଛା ପଟନାୟକ(କବିତା), କୃଷ୍ଣଚନ୍ଦ୍ର ମିଶ୍ର(ପ୍ରବନ୍ଧ), ସୌରୀବନ୍ଧୁ କର(ଜୀବନୀ), ବିଳାସିନୀ ମହାନ୍ତି(ଅନୁବାଦ), ଦେବରାଜ ସାମନ୍ତରାୟ(ଶିଶୁ ସାହିତ୍ୟ) ଓ ସତ୍ୟ ପଟ୍ଟନାୟକ(ଗୀତି କବିତା)ଙ୍କୁ ପୁରସ୍କୃତ କରାଯାଇଥିଲା । “ଓଡ଼ିଆ ଛୋଟ ନାଟକ ଓ ଏକାଙ୍କିକା’ (୧ମ ଓ ୨ୟ ଭାଗ), “ସନ୍ଥ ଭକ୍ତି ସାହିତ୍ୟ’ ଏବଂ “ଶ୍ରୀଜଗନ୍ନାଥ ଐତିହ୍ୟ ଓ ସଂସ୍କୃତି’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସାହିତ୍ୟ ଏକାଡେମୀର ଉପସଭାପତି ଗାୟତ୍ରୀ ସରାଫ ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com