JALESWAR-GRAMANCHALA-RE-MANKADA-NKA-UTPAT

ମାଙ୍କଡ଼ ଓ ବୁଲାଷଣ୍ଢ ପାଇଁ ଚାଷୀ ନାକେଦମ୍

7

ଜଳେଶ୍ୱର,୧୪ା୩(ଆପ୍ର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷିର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ଚାଷୀମାନେ ମଧ୍ୟ ତତ୍ପରତା ସହ ଉନ୍ନତ ମାନର ଚାଷକରି ଦେଶର ଖାଦ୍ୟାଭାବକୁ ଦୂର କରି ଚାଲିଛନ୍ତି । ମାତ୍ର ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଉଛି ମାଙ୍କଡ଼ ପଲ ଓ ବୁଲା ଷଣ୍ଢ ମାନଙ୍କ ପାଇଁ । ସରଜମିନ୍ରେ ଦେଖାଦେଇଛି ପ୍ରାୟତଃ ଗ୍ରାମାଂଚଳର ପ୍ରତ୍ୟେକ ଗ୍ରାମରେ ୫ ଶହରୁ ଉଦ୍ଧ୍ୱର୍ ମାଙ୍କଡ଼ ଉପଦ୍ରବ କରୁଛନ୍ତି । ସେମାନଙ୍କର ସଂଖ୍ୟା ମଧ୍ୟ ଦ୍ରୁତଗତି ରେ ବୃଦ୍ଧି ପାଉଥିବାରୁ ଚାଷି ମାନଙ୍କ ବାଡ଼ି ବଗିଚାରେ ଥିବା ଆମ୍ବ, ପଣସ, ସଜନା ଛୁଇଁ, ଅମୃତଭଣ୍ଡା, କଦଳୀ, ତେନ୍ତୁଳି, ପିଜୁଳି ଇତ୍ୟାଦି ନାନାପ୍ରକାର ଫଳ ସହିତ ଫୁଲ ଓ ପତ୍ରକୁ ଖାଇବା ସଂଗେ ସଂଗେ ନଷ୍ଟ କରି ପକାଉଛନ୍ତି । ଏଥିସହିତ କୁଦାକୁଦି କରି ଚାଳ, ଟାଇଲ, ଟିଣ ଓ ଆଜ୍ବେଷ୍ଟସ୍ ଛପର ଘର ଓ ନଡ଼ାଗଦା ଇତ୍ୟାଦିକୁ ମଧ୍ୟ ନଷ୍ଟ କରୁଛନ୍ତି । ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରି ପକାଉଛନ୍ତି । ଖାଲି ସେତିକି ନୁହେଁ ଚାଷୀମାନଙ୍କ ପନିପରିବା ଚାଷକୁ ମଧ୍ୟ ଛାଡ଼ୁ ନାହାଁନ୍ତି ଉକ୍ତ ମାଙ୍କଡ଼ ପଲ ।
ସେହିପରି ବୁଲାଷଣ୍ଢଙ୍କ ଉତ୍ପାତକୁ ନେଇ ଚାଷୀକୂଳ କ୍ଷତିଗ୍ରସ୍ତ ହେବାସହିତ ବେଶ ଚିନ୍ତିତ ଅଛନ୍ତି । ଉକ୍ତ ଷଣ୍ଢ ମାନେ କ୍ଷେତରେ ଉପୁଜିଥିବା ଧାନ, ମୁଗ, ବିରି, ରାଶି, ବାଦାମ ଓ ପନିପରିବା ଚାଷ କୁ ଖାଇ ଦେବାସହିତ ଦଳି ମକଚି ନଷ୍ଟ ପକାଉଛନ୍ତି । ଯାହାଦ୍ୱାରା ଚାଷୀକୂଳକୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଫଳରେ ଜଳେଶ୍ୱର ଅଂଚଳରେ ଫଳ ଓ ପରିବା ଚାଷି ମାନଙ୍କ ଅମଳ ଦିନକୁ ଦିନ କମିବାକୁ ବସିଲାଣି । କିଛିବର୍ଷ ଆଗରୁ ଏ ଅଂଚଳରୁ ଆମ୍ବ, ପଣସ, ତେନ୍ତୁଳି ଇତ୍ୟାଦି ଫଳ ବାହାରକୁ ରପ୍ତାନି ହେଉଥିବା ବେଳେ ବର୍ତ୍ତମାନ ଆମଦାନୀ କରିବାକୁ ପଡ଼ୁଛି । ଚାଷୀମାନେ ବାରମ୍ବାର ଜିଲା ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ପ୍ରଶାସନ ଏହାର କୌଣସି ପ୍ରତିକାର କରୁ ନ ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ଏକ ସ୍ଥାୟୀ ପ୍ରତିକାର କରା ନଗଲେ କ୍ଷତିଗ୍ରସ୍ତ ଚାଷିକୂଳ ରାଜରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com