3---(6)1

ମାଘ ସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ବୁଡ଼

12

କୋଣାର୍କ(ଆପ୍ର): ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତେବେ ତୀର୍ଥ ପୁଷ୍କରିଣୀ ଆବର୍ଜନାରେ ଭର୍ତ୍ତି ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରଦ୍ଧାଳୁ ବୁଡ଼ ନପକାଇ କେବଳ ଜଳ ଛିଞ୍ଚନ କରି ପରିବାରର ଶୁଭ ମନାସି ଉଦୟଭାନୁଙ୍କୁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି ।
ପ୍ରସିଦ୍ଧ ମାଘ ମେଳା ଅବସରରେ ଚନ୍ଦ୍ରଭାଗା ଲୋକାରଣ୍ୟ ହୋଇପଡ଼ିଲା । ସ୍ନାନ ସାରି ଶ୍ରଦ୍ଧାଳୁ ଭକ୍ତ ସ୍ଥାନୀୟ ଅଞ୍ଚଳର ୩ ଆରାଧ୍ୟ ଦେବତାଙ୍କ ଚଳନ୍ତି ପ୍ରତିମାକୁ ଦର୍ଶନ କରିଥିଲେ । ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ୱନିରେ ତୀର୍ଥକ୍ଷେତ୍ର, ମେଳା ପଡ଼ିଆ, ବେଳାଭୂମି ପ୍ରକମ୍ପିତ ହୋଇ ଉଠିଥିଲା । ପୌରାଣିକ ତଥ୍ୟ ଅନୁଯାୟୀ ଏହି ଦିନ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ପୂର୍ବ ପ୍ରସ୍ତୁତି ଅନୁଯାୟୀ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ସନ୍ଥପୁର ଗ୍ରାମର ବାବା ଈଶାଣେଶ୍ୱର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ବିଗ୍ରହ ସୋମବାର ରାତି ୯.୩୦ରେ ମନ୍ଦିର ପରିସରରୁ ଶୋଭାଯାତ୍ରାରେ ବାହାରିଥିଲେ । ସୁସଜ୍ଜିତ ବିମାନରେ ଠାକୁରମାନଙ୍କୁ କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଭୋଗ ଲାଗି କରାଯାଇ ରାତି ପ୍ରାୟ ୧୨.୩୦ଟାରେ ବାଜା, ବାଣ, ଘଣ୍ଟ, ହୁଳହୁଳି, ହରିବୋଲ ଓ ଶଙ୍ଖଧ୍ୱନିରେ ଚଳନ୍ତି ପ୍ରତିମାମାନଙ୍କୁ ମିଳିତ ଶୋଭଯାତ୍ରାରେ ନିଆଯାଇ ପୂର୍ତ୍ତ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଭୋଗ ଲାଗି କରାଯାଇଥିଲା । ଦିଅଁମାନେ ଶୋଭାଯାତ୍ରାରେ ଯାଇ ରାତି ପ୍ରାୟ ୩.୩୦ରେ ଚନ୍ଦ୍ରଭାଗା ତୀର୍ଥ ପୂଜାମଣ୍ଡପରେ ପହଞ୍ଚôଥିଲେ । ରୀତିନୀତି ସମ୍ପନ୍ନ ପୂର୍ବକ ମହାସ୍ନାନ ପରେ ଦିଅଁମାନଙ୍କୁ ତୀର୍ଥ ମଣ୍ଡପକୁ ବିଜେ କରାଯାଇଥିଲା । ଏହା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ । ସକାଳ ୬.୨୧ରେ ଧର୍ମଦେବତା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ।
ଶନ୍ତି ଶୃଙ୍ଖଳା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା । ଗୋପ, କାକଟପୁର, ଅସ୍ତରଙ୍ଗ, ନିମାପଡ଼ା ତହସିଲଦାର, ବିଡିଓ, ପୁରୀର ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଉପସ୍ଥିତ ରହି ତଦାରଖ କରିଥିଲେ । ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍ପି ଡା. ସାର୍ଥକ ଷଡ଼ଙ୍ଗୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବରିଷ୍ଠ ପୁଲିସ ଅଧିକାରୀ, ସାଦା ପୋଷାକଧାରୀ ପୁଲିସ, ଲାଇଫ୍ ଗାର୍ଡ ସହିତ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଥିଲେ ।

ସେଆର କରନ୍ତୁ:



Powered by odothemes.com