ମନ୍ଦିର ବି ବାଦ୍ ପଡ଼ିଲାନି ଉଚ୍ଛେଦ ତାଲିକାରୁ

80

ଭୁବନେଶ୍ୱର, ୧ା୮(ବୁ୍ୟରୋ): କଳ୍ପନା ଛକରୁ ବରଗଡ ହାଟ ପର୍ଯ୍ୟନ୍ତ ରୋଡ ଆଣ୍ଡ ବିଲ୍ଡିଂ ଡିଭିଜନ-୧ ରାସ୍ତାକୁ ଆଜି ଜବରଦଖଲ ମୁକ୍ତ କରାଯାଇଛି । ଉଚ୍ଛେଦ ସମୟରେ ଅନେକ ବେଆଇନ୍ ନିର୍ମାଣ ହଟାଯିବା ସହ ଦୁଇଟି ମନ୍ଦିର ମଧ୍ୟ ଭଙ୍ଗାଯାଇଥିଲା । ଯାତାୟତ ନିମନ୍ତେ ବାଧକ ସାଜୁଥିବା ଅସ୍ଥାୟୀ ବ୍ୟବସାୟିକ ପ୍ରତିଷ୍ଠାନ, ପଲିଥିନ ଘର, କ୍ଲବ୍ ଘର ଆଜି ଉଚ୍ଛେଦ କରାଯାଇଥିଲା । ପୂର୍ବାହ୍ନରେ ବିଏମସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଓ କମିଶନରେଟ ପୁଲିସର ମିଳିତ ଟିମ୍ ଉଚ୍ଛେଦ କରିଥିଲେ । ଉଚ୍ଛେଦ ସମୟରେ ୧୫ଟି ପଲିଥିନ୍ ଆଚ୍ଛାଦିତ ଘର, ୪୦ଟି କାଠ କ୍ୟାବିନ୍, ୨ଟି ମନ୍ଦିର, ଗୋଟିଏ କ୍ଲବ ଘର, ୩୦ଟି ବର୍ଦ୍ଧିତ ବାରଣ୍ଡା, ବର୍ଦ୍ଧିତ ଘରର ଟିଣ ଓ ଗୋଟିଏ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଦୋକାନ ଭଙ୍ଗାଯାଇଥିଲା । ଏସବୁ ସତ୍ତ୍ୱେ ଆଉ କିଛି ବେଆଇନ୍ ନିର୍ମାଣ ସମୟ ଅଭାବରୁ ଉଚ୍ଛେଦ ହୋଇପାରିନଥିବା ବିଡିଏ ସୂଚନା ଦେଇଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଉଚ୍ଛେଦ ପାଇଁ ବିଏମ୍ସି ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ଜାରି କରିଥିଲା । ବିଏମ୍ସିର-ବିଡିଏର ଗୋଟିଏ ଲେଖାଏଁ ଏକ୍ସକାଭେଟର ଉଚ୍ଛେଦ ପାଇଁ ନିୟୋଜିତ ହୋଇଥିଲା ।
ଆଇନଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ଜୋନ୍ ଏସିପି ଏକେ ମିଶ୍ର ଓ ବରଗଡ ଥାନା ଅଧିକାରୀ ଶୁଭେନ୍ଦୁ ସିହ୍ନା ସମେତ ୨ ସେକ୍ସନ ପୁରୁଷ ଏଆର୍ପି ପୁଲିସ୍ ଓ ଗୋଟିଏ ସେକ୍ସନ୍ ମହିଳା ଫୋର୍ସ ମୁତୟନ ହୋଇଥିଲା । ଉଚ୍ଛେଦ କାର୍ଯ୍ୟରେ ବିଡିଏର ପ୍ରମୋଦ କୁମାର ପାତ୍ର, ସୁଭ୍ରାଂଶୁ ମହାନ୍ତି, ବିଏମ୍ସିର ମୁଲ୍ଲା ମହମ୍ମଦ ଅଲ୍ଲୀ ଓ ସାଧାରଣ ପ୍ରଶାସନ ବିଭାଗର ଭଗବାନ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାଡ୍ ଉଚ୍ଛେଦ କରିଥିଲେ ।

ସେଆର କରନ୍ତୁ:



Powered by odothemes.com