Adivasi-Mela-Cultural

ମନମୋହୁଛି ଆଦିବାସୀ କଳା ଓ କଳାବସ୍ତୁ

72

ଆଦିବାସୀ ମେଳାରେ ଜମୁଛି ଭିଡ଼
ଭୁବନେଶ୍ୱର(ବୁ୍ୟରୋ): ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାରେ ଗହଳି ଦେଖିବାକୁ ମିଳୁଛି । ଗତକାଲି ରବିବାର ହୋଇଥିବାରୁ ମେଳା ପରିସରରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି ସୋମବାର ମଧ୍ୟ ଅପରାହ୍ନ୨ଟାରୁ ମେଳାକୁ ଲୋକଙ୍କ ସୁଅ ଛୁଟିଥିଲା । ସନ୍ଧ୍ୟାରେ ମୁଖ୍ୟ ମଞ୍ଚରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଭୋର କରିଥିଲା । ଅନ୍ୟପକ୍ଷରେ ପୁରାତନ ନୃତ୍ୟଶୈଳୀ ସହ ଜନଜାତି ନୃତ୍ୟଧାରାରେ ଆଧୁନିକତାର ମିଶ୍ରିତ ଛାପ ପରିବେଷିତ ନୃତ୍ୟକୁ ଅଧିକ ଆକର୍ଷଣୀୟ କରୁଛି । ମାଘ ମାସରେ ଶୀତ କମି କମି ଯାଉଥିବା ବେଳେ ଉତ୍ତରାୟଣରେ ଖରାର ତେଜ ଆହ୍ଲାଦିତ କରିଛି । ଏହା ଭିତରେ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଏହି ମେଳାରେ ଉତ୍ସାହ ବଢ଼ାଇଛି । ଗୋଟିଏ ସ୍ଥାନରେ ସେମାନେ ଆଦିବାସୀ ସମାଜ, ସଂସ୍କୃତି ଓ ଜୀବନଜୀବିକାର ନମୁନା ଦେଖି ବେଶ୍ ଖୁସି ହେଉଛନ୍ତି ।  ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କଳା ଓ କଳା ସାମଗ୍ରୀ ପ୍ରତି ଦର୍ଶକଙ୍କର ସ୍ୱତନ୍ତ୍ର ଆଗ୍ରହ ପରିଲକ୍ଷିତ ହେଉଛି । ଲୌହଶିଳ୍ପ, ଧାନ୍ୟଶିଳ୍ପ, କାଷ୍ଠଶିଳ୍ପ, ଡୋକ୍ରା ସାମଗ୍ରୀ, ଚିତ୍ରକଳା, ଟେରାକୋଟା ଆଦି କଳା ଓ କଳାବସ୍ତୁର ପ୍ରଦର୍ଶନ ଦେଖି ଦର୍ଶକମାନେ ଜନଜାତି କଳାଚେତନାକୁ ବେଶ୍ ପ୍ରଶଂସା କରୁଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆସିଥିବା ‘ସୃଜନିକା’ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଫଏଲ୍ ପେଣ୍ଟିଂ, ଟ୍ରାଇବାଲ୍ ପେଣ୍ଟିଂ, ଗଣ୍ଡ ପେଣ୍ଟିଂ ଓ ମଡର୍ଣ୍ଣ ପେଣ୍ଟିଂର କାରୁକାର୍ଯ୍ୟ ଶୈଳୀ ବେଶ୍ ସୁନ୍ଦର ହୋଇଛି । ଟ୍ରାଇବାଲ୍ ‘ସଉରା’ ଇଡ଼ିତାଲ୍ ପ୍ରତି ଲୋକମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ସଉରାମାନଙ୍କର ପର୍ବପର୍ବାଣୀ, ସେମାନଙ୍କର ସାମାଜିକ ପ୍ରଥା, ପରମ୍ପରା, କୃଷି କର୍ମ ଓ ଲୋକ ବିଶ୍ୱାସ ଆଦି ସେମାନଙ୍କର ଚିତ୍ରକଳା (ଇଡିତାଲ୍) ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ନବରଙ୍ଗପୁରରୁ ଆସିଥିବା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କଳା ସାମଗ୍ରୀ ଯଥା; ମୁଖା, ହ୍ୟାଙ୍ଗର, ଟେରାକୋଟା ଜିନିଷ ଆଦିର ଚାହିଦା ଦେଖିବାକୁ ମିଳିଛି । ସେହିପରି ଜନଜାତି କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କଳା ଓ କଳାବସ୍ତୁ ସାମଗ୍ରୀ ପ୍ରତି ଦର୍ଶକଙ୍କ ରୁଚି ପରିଲକ୍ଷିତ ହେଉଛି ।  ସୋମବାର ଆଦିବାସୀ ମେଳା ଓ ସାଂସ୍କୃତିକ ମହୋତ୍ସବର ମୁଖ୍ୟ ମଞ୍ଚରେ ବାରିପଦା, କେନ୍ଦୁଝର, ଉଦଳା, ବାଲିଗୁଡ଼ା, କରଞ୍ଜିଆ ଓ ଚମ୍ପୁଆରୁ ଆସିଥିବା ଜନଜାତି କଳାକାରମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ । କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍)ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଜନଜାତି ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଜନଜାତି କଳାକାରମାନେ ପାରମ୍ପରିକ ନୃତ୍ୟ ସହିତ ଆଧୁନିକ ନୃତ୍ୟଶୈଳୀର ସମନ୍ୱୟ ରକ୍ଷା କରି ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ । ଜାନୁଆରୀ ୩୧ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ତିନିଦିନ ଧରି ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ସିକିମ୍ର ଜନଜାତିମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com