naveen

ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ

9

ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ
ବାଲେଶ୍ୱର, ୧୩ା୨(ଆପ୍ର): ଓଡ଼ିଶା ତା’ର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ଲାଗି ପ୍ରସିଦ୍ଧ । ଆମ ସାଧବ ପୁଅମାନେ ବିଭିନ୍ନ ଦେଶକୁ ଯାଇ ବଣିଜ କରୁଥିଲେ । ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ । ଓଡ଼ିଶାର ନୌବାଣିଜ୍ୟ ଅତୀତ ଗୌରବ ଫେରାଇ ଆଣିବା ଲାଗି ମହାନ ଜନନାୟକ ବିଜୁ ବାବୁ ୬୦ ଦଶକରେ ଏକ ସାହସିକ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ପାରାଦୀପ ଦେଶର ଏକ ବଡ଼ ବନ୍ଦର ଭାବେ ପରିଗଣିତ । ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ରାଜ୍ୟ ସରକାର ଓଡ଼ିଶା ବନ୍ଦର ଭିତ୍ତିଭୂମିର ବିକାଶ ଲାଗି ସଂକଳ୍ପବଦ୍ଧ । କିଛିବର୍ଷ ହେବ ରାଜ୍ୟ ସରକାର ଧାମରା ଓ ଗୋପାଳପୁର ପରି ଦୁଇଟି ବଡ଼ ବନ୍ଦରକୁ କାର୍ଯ୍ୟକ୍ଷମ କରିଥିଲାବେଳେ ସୁବର୍ଣ୍ଣରେଖା ବନ୍ଦର ଏହି ପର୍ଯ୍ୟାୟରେ ଆମ ଭିତ୍ତିଭୂମି ବିକାଶର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ଶ୍ରୀ ପଟ୍ଟନାୟକ ଆଜି ବିଭିନ୍ନ ବିକାଶ କାର୍ଯ୍ୟର ଉଦ୍ଘାଟନ ଓ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଆପାଳର ଚୌମୁଖଠାରେ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାର ଟାଟା ଷ୍ଟିଲର ମିଳିତ ସହଯୋଗରେ ଏହି ପ୍ରକଳ୍ପରେ ୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ନିର୍ମାଣ କାର୍ଯ୍ୟ ୪ ବର୍ଷରେ ସରିବ । ୧୨ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ବନ୍ଦର ଓଡ଼ିଶାର ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ଆଜି ବାଲେଶ୍ୱର ରିଂ ରୋଡ୍ ଓ ସେତୁ ଆଦି ୬୯୧ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ତଳସାରି ମହୋତ୍ସବରେ ମଧ୍ୟ ଯୋଗ ଦେଇଛନ୍ତି । ଜଳେଶ୍ୱର-ଦୀଘା ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା, ସୁବର୍ଣ୍ଣରେଖା ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶକୁ ସମ୍ବୋଧିତ କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା, ଜିଲ୍ଲାର ଅନ୍ୟାନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com