ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ସ୍ନେହ ମୋତେ ସଫଳତା ଦେଇଛି: ବିଜୟ

42

୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
‘କ୍ରାନ୍ତିଧାରା’ଶ୍ରେଷ୍ଠ ଚଳଚ୍ଚିତ୍ର – ସବ୍ୟସାଚୀ ଶ୍ରେଷ୍ଠ ନିର୍ଦ୍ଧେଶକ – ଅଟଳ ଶ୍ରେଷ୍ଠ ଅଭିନେତା ଓ ଗାର୍ଗୀ ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର(ବୁ୍ୟରୋ): ଓଡିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଓଲିଉଡ୍‍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କୁ ଆଜି ମିଳିଛି ଜୟଦେବ ପୁରସ୍କାର । ପୁରସ୍କାର ବାବଦକୁ ତାଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଭଗବାନଙ୍କ ଆଶୀର୍ବାଦ ଏବଂ କଳାପ୍ରେମୀ ଦର୍ଶକଙ୍କ ସ୍ନେହ ଯୋଗୁଁ ଆଜି ଏହି ପୁରସ୍କାରର ଅଧିକାରୀ ହୋଇପାରିଥିବା ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଇତି ସାମନ୍ତଙ୍କୁ ‘କ୍ରାନ୍ତିଧାରା’ ଚଳଚ୍ଚିତ୍ର ପାଇଁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ’ ପ୍ରଦାନ କରାଯାଇଛି । ଉକ୍ରଳ ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ୨୬ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ନିର୍ଦ୍ଧେଶକ ଓ ଅଭିନେତା ଭାବେ ‘ଆଦିମ ବି·ର’ ଚଳଚ୍ଚିତ୍ରର ନିର୍ଦ୍ଧେଶକ ସବ୍ୟସାଚୀ ମହାପାତ୍ର ଓ ଅଭିନେତା ଅଟଳ ବିହାରୀ ପଣ୍ଡା, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘କ୍ରାନ୍ତିଧାରା’ ଚଳଚ୍ଚିତ୍ରର ଅଭିନେତ୍ରୀ ଗାର୍ଗୀ ମହାନ୍ତି, ଶ୍ରେଷ୍ଠ କାହାଣୀ ପାଇଁ ‘କ୍ରାନ୍ତିଧାରା’, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଧେଶକ ଭାବେ ‘ଗୋଲାପି ଗୋଲାପି’ ଚଳଚ୍ଚିତ୍ରର ବିକାଶ ଦାସଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ, ଶ୍ରେଷ୍ଠ ପ୍ରଚ୍ଛଦପଟ ନାୟକ ସୌରଭ ନାୟକ(କିଡ୍‍ନାପ୍‍), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ତପୁ ମିଶ୍ର(ଗଞ୍ଜା ଲଢେଇ), ଶ୍ରେଷ୍ଠ ଚିତ୍ରଗ୍ରହଣ ସଞ୍ଜୀବ ମହାପାତ୍ର(ଭଉଁରି), ଶ୍ରେଷ୍ଠ ସମ୍ପାଦନା ଚକ୍ରଧର ସାହୁ(ଶୁକ ଆସୁଛି), ଶ୍ରେଷ୍ଠ ଗୀତିକାର ମୋହିତ ଚକ୍ରବର୍ତ୍ତୀ(ରାସ୍ତା), ଶ୍ରେଷ୍ଠ ଚିତ୍ରନାଟ୍ୟ ସବ୍ୟସାଚୀ ମହାପାତ୍ର(ଆଦିମ ବିଚାର), ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପ୍ରୀତିରାଜ ଶତପଥୀ (ଶୁକ ଆସୁଛି), ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଲୋଚନୀ ବାଗ୍‍ (ଆଦିମ ବିଚାର), ଶ୍ରେଷ୍ଠ ହାସ୍ୟ କଳାକାର ହାଡୁ(ସ୍ମାଇଲ ପ୍ଲିଜ୍‍), ଶ୍ରେଷ୍ଠ ଶିଶୁ ଅଭିନେତା ଜିତୁଲାଲ୍‍ ସାହୁ(ପାପୀ), ଶ୍ରେଷ୍ଠ କଳା ନିର୍ଦ୍ଧେଶକ ସୁରେନ୍ଦ୍ର ସେଠୀ(ଶୁକ ଆସୁଛି), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ସୁବାଷ ସାହୁ(ଶୁକ ଆସୁଛି), ସ୍ୱତନ୍ତ୍ର ଜୁରୀ ପୁରସ୍କାର ‘ଆଦିମ ବିଚାର’, ଶ୍ରେଷ୍ଠ ସଂଳାପ ଲେଖକ ଅଟଳ ବିହାରୀ ପଣ୍ଡା(ଆଦିମ ବିଚାର), ଶ୍ରେଷ୍ଠ ବେଶ ପୋଷାକ ନିର୍ମଳ ଦାସ(ପାଗଳ କରିଛୁ ତୁ), ଶ୍ରେଷ୍ଠ ରୂପସଜ୍ଜାକାରୀ ସମରେଶ ପାଳ(ଭଉଁରି) ଏବଂ ଶ୍ରେଷ୍ଠ ନୃତ୍ୟ ସଂଯୋଜନା ପାଇଁ ଅସୀମ(କଲେଜ ଟାଇମ୍‍)ଙ୍କୁ ପ୍ରଦାନ କରାଯାଇଛି । ସେହିପରି ଜୁରୀ କମିଟିର ସଦସ୍ୟ, ସଦସ୍ୟା ସିନେ କ୍ରିଟିକ୍‍ ଆସୋସିଏସନର ସମ୍ପାଦକ ଓ ସିନେ ଆର୍ଟିଷ୍ଟ ଆସୋସିଏସନର ସମ୍ପାଦକଙ୍କୁ ସମ୍ମାନିତ କରାଯାଇଛି । ସଂସ୍କୃତି ବିଭାଗ ନିର୍ଦ୍ଧେଶକ ରଞ୍ଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‍ଘାଟକ ଭାବେ ଯୋଗଦେଇ ଓଡିଆ ଚଳଚ୍ଚିତ୍ର ଆଗାମୀ ଦିନରେ ସମାଜ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ, ୨୦୧୧ର ଚଳଚ୍ଚିତ୍ର ନୀତି ଓଲିଉଡ ଜଗତ ପାଇଁ ପ୍ରୋତ୍ସାହନ ଦେଇଆସୁଛି । ଆଗକୁ ଏହି ନୀତିକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟଶାଣୀ ଓ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com