1

ବ୍ୟବସାୟ, ସ୍କୁଲ ଓ ଅନୁଷ୍ଠାନ ଅଚଳ

12

ଢେଙ୍କାନାଳ/ଜୋରନ୍ଦା,୧୨ା୨(ଆପ୍ର): ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ରୋଗୀ ସେବାର ଅବ୍ୟବସ୍ଥା, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଲାଲ୍ଙ୍କ ପ୍ରାଦୁର୍ଭାବ, ଚିକିତ୍ସାଳୟରେ ପୁଲିସ ଫାଣ୍ଡି କାର୍ଯ୍ୟକାରୀ କରିବା ସହ ଅନ୍ୟ କିଛି ଦାବିକୁ ନେଇ ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ତରଫରୁ ଦିଆଯାଇଥିବା ଦିନିକିଆ ଢେଙ୍କାନାଳ ବନ୍ଦ ଡାକରା ସଫଳ ହୋଇଛି । ବନ୍ଦ ଡାକରା ଅନୁଯାୟୀ ପୂର୍ବରୁ ବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦ କରିଦିଆଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଓ ସିଭିଲ୍ କୋର୍ଟକୁ ଦଳୀୟ କର୍ମକର୍ତ୍ତା ଓ ନେତୃବୃନ୍ଦ ଯାଇ ବନ୍ଦ କରିଥିଲେ । ସକାଳ ୭ଟା ୩୦ମିନିଟ୍ ସମୟରୁ ୫୫ନଂ ଜାତୀୟ ରାଜପଥର କଲେଜ୍ ନିକଟରେ ଥିବା ବାଇପାସ୍ ଏବଂ କୋରିଆଁ ବାଇପାସ୍ରେ କର୍ମୀମାନେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ ।
ପାନ ଦୋକାନ ଠାରୁ ଆରମ୍ଭ କରି ବଡ଼ଦୋକାନ, ହୋଟେଲ୍ ଆଦି ସଂପୂର୍ଣ୍ଣ ବନ୍ଦ ରହିଥିଲା । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ରାମଚନ୍ଦ୍ର ପାତ୍ରଙ୍କ ସମେତ ବିଜେପିର ଜିଲ୍ଲା ବରିଷ୍ଠ ନେତୃବୃନ୍ଦ ସମେତ କର୍ମୀମାନେ ବାଇକ୍ ଯୋଗେ ଯାଇ ଲୋକଙ୍କୁ ବନ୍ଦରେ ସହଯୋଗ କରିବା ପାଇଁ କହିଥିଲେ । ପୁଲିସ ପ୍ରସାଶନ ତରଫରୁ ପାଟ୍ରୋଲିଂ ହେବାସହ ବିଭିନ୍ନ ଛକରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ସେହିପରି ଯୋରନ୍ଦାର ବିଜେପି ଶାଖା ତରଫରୁ ପାନୀୟ ଜଳ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତକୁ ନେଇ ବନ୍ଦ କରାଯାଇଥିଲା । ଯୋରନ୍ଦା, କାଲୁରିଆ, ବାଇସିଙ୍ଗା, କରମୂଳ, ରାଇତଳା, ସନ୍ଥପୁର, କାବେରା, ନେଉଳପୋଇ ଆଦି ୮ ପଞ୍ଚାୟତର ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା କରୁଛନ୍ତି । ଦୀର୍ଘ ଦିନ ହେଲା ସେଠାରେ ସ୍ଥାୟୀ ଡାକ୍ତର ରହୁନଥିବାରୁ ଲୋକମାନେ ବାଧ୍ୟହୋଇ ଢେଙ୍କାନାଳକୁ ଆସିବାକୁ ପଡୁଛି । କେନ୍ଦ୍ର ସରକାରଙ୍କ ତରଫରୁ ୩ ବର୍ଷ ହେଲା ୨୩କୋଟି ୭୩ଲକ୍ଷ ଟଙ୍କା ପାନୀୟ ଜଳ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବାବେଳେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । ଉକ୍ତ ଜଳପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪ଟି ପଞ୍ଚାୟତର ୧୩ଟି ଗ୍ରାମର ପାନୀୟ ଜଳ ପାଇଁ ସମସ୍ୟା ରହିବ ନାହିଁ । ତେଣୁ ସକାଳ ୬ଟାରୁ ମହିମା ଗାଦୀର ପ୍ରବେଶ ଦ୍ୱାର ନିକଟରେ ମଣ୍ଡଳ ସଭାପତି ଅଭୟ କୁମାର ପାଣି, ଓବିସି ମୋର୍ଚ୍ଚାର ସଦସ୍ୟ, ଲମ୍ବୋଦର ପରିଡ଼ା, ଜିଲ୍ଲା ଉପସଭାପତି ରତିକାନ୍ତ ସାହୁ, ଯୁବମୋର୍ଚ୍ଚା ସଭାପତି ପ୍ରତୁ୍ୟଷହର ପ୍ରଧାନ, ଅମ୍ବିକା ପ୍ରସାଦ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ । ନାଟିମା ବଜାର, ତାରିଣି ବଜାର, ଯୋରନ୍ଦା ବଜାରର ସମସ୍ତ ଦୋକାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଶାଖା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ତେଲଟାଙ୍କି ପ୍ରମୁଖ ବନ୍ଦ ରହିଥିଲା ।

ସେଆର କରନ୍ତୁ:



Powered by odothemes.com