rafale

ବିଶେଷାଧିକାର ପ୍ରସଙ୍ଗ ଉଠାଇଲା କେନ୍ଦ୍ର

7

ସୁପ୍ରିମ୍କୋର୍ଟରେ ରାଫେଲ୍ ମାମଲାର ରାୟ ସଂରକ୍ଷିତ
ନୂଆଦିଲ୍ଲୀ, ୧୪ା୩: ରାଫେଲ୍ ମାମଲାର ସମୀକ୍ଷା ଲାଗି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଅରୁଣ ସୌରୀ, ଯଶୋବନ୍ତ ସିହ୍ନା ପ୍ରମୁଖଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ସୁପ୍ରିମ୍କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ ଲିକ୍ ହୋଇଥିବା ରାଫେଲ୍ ଦସ୍ତାବିଜ୍ ଆବେଦନକାରୀଙ୍କ ପିଟିସନ୍ରୁ ବାଦ୍ ଦେବା ପାଇଁ ନିବେଦନ କରିବା ସହିତ କେନ୍ଦ୍ରର ବିଶେଷାଧିକାର (ପ୍ରିଭିଲେଜ୍) ପ୍ରୟୋଗ ଲାଗି ମତ ରଖିଥିଲେ । ସେ କହିଥିଲେ ଯେ ଦେଶର ପ୍ରତିରକ୍ଷା ସଂକ୍ରାନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ସହିତ ରାଫେଲ୍ ଜଡିତ । ଏହାକୁ ପଦାରେ ପ୍ରକାଶ କରାଯିବା ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ଆର୍ଟିଆଇର ୧୦୩ ସେକ୍ସନ୍ର ଉଦାହରଣ ଦେଇ ଭେନୁଗୋପାଲ କହିଥିଲେ, ରାଫେଲ୍ ଦସ୍ତାବିଜ୍ର ନକଲ ପରିପ୍ରକାଶ ରୋକିବା ଲାଗି ପ୍ରତିରକ୍ଷା ମନ୍ତ୍ରାଳୟର ବିଶେଷାଧିକାର ରହିଛି ।
ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଯୁକ୍ତି ଯଦି ସତ୍ୟ ତେବେ ରାଫେଲ୍ ନଥି ପ୍ରଘଟ ହେବାପରେ ତାହା ସମସ୍ତେ ଦେଖିଦେଇଛନ୍ତି । ତେଣୁ ଆଉ କୌଣସି ଗୋପନୀୟତା ନାହିଁ । ଏବେ କେନ୍ଦ୍ର ସରକାର ଅଦାଲତରେ ଯେଉଁ ଗୋପନୀୟତା ଭଙ୍ଗର ଯୁକ୍ତି ଉପସ୍ଥାପନ କରୁଛନ୍ତି ସେଥିରେ କୌଣସି ଭିତ୍ତିନାହିଁ ।
ରାଫେଲ୍ର କେଉଁ ନଥି ପ୍ରକାଶ କରାଯିବ ଏବଂ କେଉଁ ଦସ୍ତାବିଜ୍ ପ୍ରକାଶ କରାଯିବନାହିଁ ସେନେଇ ଗୁରୁବାର ଅଦାଲତରେ ସରଗରମ ଆଲୋଚନା ହୋଇଥିଲା । ପ୍ରଧାନ ବିଚାରପତିଙ୍କ ସମେତ ବେଞ୍ଚର ଅନ୍ୟ ଦୁଇ ବିଚାରପତି ଜଷ୍ଟିସ୍ ଏସ୍କେ କଉର୍ ଏବଂ କେଏମ୍ ଯୋଶେଫ୍ ଉପସ୍ଥିତ ଥିଲେ । ଏହି ଶୁଣାଣି ବେଳେ ପ୍ରଧାନ ବିଚାରପତି ଗୋଗଇଙ୍କ ନେତୃତ୍ୱାଧୀନ ଡିଭିଜନ ବେଞ୍ଚ ଆବେଦନକାରୀ ଓ ସରକାରଙ୍କ ବିତର୍କ ପରିପ୍ରେକ୍ଷୀରେ ଜଣାଇଥିଲେ ଯେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରଠାରୁ ସରକାର ନଥିପତ୍ର ତା’ର ପବିତ୍ରତା ହରାଇଛି । ଏହି ଆଇନ ପାଇଁ ଦୁର୍ନୀତି ଏବଂ ମାନବାଧିକାର ଉଲ୍ଲଂଘନର ବିଭିନ୍ନ ଘଟଣାରେ ସମ୍ବେଦନଶୀଳ ସଂସ୍ଥାଗୁଡିକ ସେମାନଙ୍କର ଗୋପନ ଦସ୍ତାବିଜ୍ ପ୍ରକାଶ କରିବାକୁ ବାଧ୍ୟ ହେଉଛନ୍ତି । ଏହାପରେ ପ୍ରଧାନ ବିଚାରପତି ଗୋଗଇ କେନ୍ଦ୍ର ସରକାରଙ୍କ ଉଦେ୍ଦଶ୍ୟରେ କହିଥିଲେ ଯେ ଆପ୍ୟଣଙ୍କ ଯୁକ୍ତି ଅନୁଯାୟୀ ରାଫେଲ୍ ବିମାନ କ୍ରୟ ଘଟଣା ସମ୍ପର୍କିତ ଏହିସବୁ ନଥିପତ୍ର ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଅଦାଲତ ଏଥିରେ ମୁଣ୍ଡ ପୁରାଇ ପାରିବେନାହିଁ । ତାହେଲେ ଆମକୁ ଏହି ବିଷୟଟିକୁ ସୂଚନା ଅଧିକାର ଆଇନ୍ ପରିସରକୁ ନେଇ ଚିନ୍ତା କରିବାକୁ ପଡିବ ବୋଲି କହି ରାୟ ସଂରକ୍ଷିତ ରଖିଛନ୍ତି ।
ପ୍ରକାଶ ଯେ ଗତ ଡିସେମ୍ବର ମାସରେ ଏକ ରାୟ ପ୍ରକାଶ କରି ରାଫେଲ୍ ଚୁକ୍ତି ନେଇ କେନ୍ଦ୍ରର ଭୂମିକାକୁ କ୍ଲିନ୍ଚିଟ୍ ଦେଇଥିଲେ ସୁପ୍ରିମ୍କୋର୍ଟ । ସିବିଆଇ ତଦନ୍ତ ଦାବି ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ସେହି ପୁନର୍ବିଚାର ଦାବିକୁ ନେଇ ଆଗତ ଆବେଦନ ଉପରେ ଏବେ ସର୍ବୋଚ୍ଚ ଅଦାଲତରେ ଶୁଣାଣି ଚାଲିଛି । ଆବେଦନକାରୀଙ୍କର ଦାବି ହେଉଛି ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସଂସ୍ଥାକୁ ଫାଇଦା ଦେବା ସହ କେନ୍ଦ୍ର ସରକାର ଜାଣିଶୁଣି ଅଧିକ ଦାମ୍ ଦେଇ ରାଫେଲ୍ ବିମାନ କିଣିବାକୁ ଚୁକ୍ତି କରିଛନ୍ତି । ସରକାର ଠିକ୍ କେତେ ଦାମ୍ରେ ରାଫେଲ୍ ବିମାନ କ୍ରୟ ପାଇଁ ଚୁକ୍ତି କରିଛନ୍ତି, ତାହା ଜଣାଇବା ନିମନ୍ତେ ଆବେଦନକାରୀ ଦାବି କରୁଥିଲେ ମଧ୍ୟ ନିରାପତ୍ତା କାରଣ ଦର୍ଶାଇ କେନ୍ଦ୍ର ସରକାର ଟାଳି ଚାଲିଛନ୍ତି । ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଛି ।

ସେଆର କରନ୍ତୁ:



Powered by odothemes.com