Photo--2

ବିପର୍ଯ୍ୟୟ ମୁକାବିଲା: ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ

45

ଢେଙ୍କାନାଳ,୨୫ା୫(ଆପ୍ର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଓ ଜିଲ୍ଲା/ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଓ ସଜାଗ ରହିବାକୁ ଗୁରୁତ୍ୱ ଦେଇ ସଂପୃକ୍ତ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ଉଦ୍ଧାର ଓ ସାହାଯ୍ୟ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବିପନ୍ନ ଅଞ୍ଚଳରେ ପାନୀୟଜଳ ଓ ବିଦୁ୍ୟତ୍ ସରବରାହ ଉପରେ ଅଧିକ ଧ୍ୟାନ ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ବର୍ଷା ଋତୁ ଓ ବନ୍ୟା ପୂର୍ବରୁ ନଦୀବନ୍ଧର ଦୁର୍ବଳ ସ୍ଥାନ ମରାମତି, ବନ୍ୟା ଜଳ ନିଷ୍କାସନ ନିମନ୍ତେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ନାଳ, ନର୍ଦ୍ଦମା ସଫା କରିବା ଉପରେ ଆଲୋଚନା ହୋଇଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଚୁଡ଼ା, ଚାଉଳ, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍ ରଖିବା ସହିତ ପଶୁ ସମ୍ପଦମାନଙ୍କ ନିମନ୍ତେ ଗୋ-ଖାଦ୍ୟ ମହଜୁଦ୍ ରଖିବାକୁ ବିଡିଓ ଏବଂ ତହସିଲଦାରମାନେ ଅଗ୍ରାଧିକାର ଦେବେ । ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିସେବା ଦଳ ସଜାଗ ରହିବେ । ଆବଶ୍ୟକ ସ୍ଥାନରେ ବିଡିଓ ଏବଂ ତହସିଲଦାରମାନେ ଡଙ୍ଗାରେ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ଅଧିକ ପରିମାଣର ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବ୍ଲେଟ୍ ହାଲୋଜିନ୍ ଟାବ୍ଲେଟ୍ ଓ ଜରୁରୀ େଔଷଧ ଯୋଗାଇ ଦିଆଯିବ । ଜିଲ୍ଲାର ୮ଟି ପଞ୍ଚାୟତର ୮ଗୋଟି ବହୁମୁଖୀ ଆଶ୍ରୟସ୍ଥଳ ଅଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓଡ୍ରାଫର ୨୭ ଜଣ ସଦସ୍ୟ ନିୟୋଜିତ ଥିବାବେଳେ ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ବିଜୁ ଯୁବ ବାହିନୀକୁ ଆବଶ୍ୟକ ଟ୍ରେନିଂ ଦେଇ ସାମିଲ କରିବାକୁ ଆଲୋଚନା ହୋଇଥିଲା । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜୁନ୍ ୧ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନର ବର୍ଷା ପରିମାଣ ରେକର୍ଡ କରାଯିବ ଏବଂ ଆସନ୍ତା ଜୁନ୍ ୫ ତାରିଖ ସୁଦ୍ଧା ନଦୀବନ୍ଧ ଗୁଡିକର ସମସ୍ତ ଦୁର୍ବଳ ସ୍ଥାନଗୁଡିକ ମରାମତି କରାଯିବ ବୋଲି ଆଲୋଚନା ହୋଇଥିଲା । ବିପର୍ଯ୍ୟୟ ସମୟରେ ରାସ୍ତା ଉପରେ ପଡ଼ିଥିବା ଗଛକୁ ତୁରନ୍ତ ଉଠାଇବା, ପ୍ରଭାବିତ ଲୋକଙ୍କୁ ପଲିଥିନ୍ ଯୋଗାଣ, ପ୍ରଭାବିତ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣକୁ ଅଗ୍ରାଧିକାର ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଛି । ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନରୋତ୍ତମ ବେହେରା, ଆଡିସିନାଲ୍ ଏସ୍ପି ହରେକୃଷ୍ଣ ପ୍ରଧାନ, ଜିଲ୍ଲା ରେଡ୍କ୍ରସର ଉପସଭାପତି ବିରଞ୍ଚି ନାରାୟଣ ପାଣି, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲ୍ଦାରଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆସିଷ୍ଟାଣ୍ଟ କଲେକ୍ଟର ଏର୍ମ୍ଜେନ୍ସି ଶଶାଙ୍କ ଶେଖର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଡିପିଓ ନିମାଇଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com