bjd-joining

ବିଜେପି ରାଜ୍ୟ ସଭାପତିଙ୍କ ପୁତୁରା ବିଜେଡିରେ

6

ନବୀନ ନିବାସରେ ମିଶ୍ରଣ ପର୍ବ
ଭୁବନେଶ୍ୱର(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ତଥା ଶିବସେନା ରାଜ୍ୟ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ୧୫ ସରପଞ୍ଚଙ୍କ ସହ ବହୁ ବିଜେପି-କଂଗ୍ରେସ ନେତା ଏବଂ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି, ନୂଆପଡ଼ାରେ ବିଜେପି ବିଶୃଙ୍ଖଳିତ ହୋଇପଡ଼ିଛି । ଦଳ ପାଇଁ ଅନେକ ଦିନ କାମ କରିବା ସତ୍ତ୍ୱେ ମୋତେ ଅଣଦେଖା କରାଯାଉଥିଲା । ବିଜେପିର କଥା ଓ କାମରେ ବଡ଼ ଫରକ୍ ରହିଛି । ବଡ଼ବାପା (ବସନ୍ତ ପଣ୍ଡା) ମାଟି କଥା ବୁଝୁନାହାନ୍ତି ସେ ପାର୍ଟି କଥାକୁ ପ୍ରାଥମିକତା ଦେଉଛନ୍ତି । ନାଲିଆଖି ତଳେ ବିଜେପି ଗତି କରୁଛି । ତେଣୁ ଦଳରେ ଅତିଷ୍ଠ ହୋଇପଡ଼ିଥିଲି । ଏଭଳି ସ୍ଥିତିରେ ନବୀନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗଦେଇଛି । ତେବେ ଟିକଟ ପାଇଁ ସେ ଆଶା ରଖିନଥିବା ସ୍ପଷ୍ଟ କରିଛନ୍ତି ।
ଶ୍ରୀ ପଣ୍ଡାଙ୍କ ସମେତ ନୂଆପଡ଼ା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ଟିକାରାମ ସାହୁ, ସାଧାରଣ ସଂପାଦକ ନାରାୟଣ ସାହୁ, ନୂଆବଡ଼ା ବ୍ଲକ ବିଜେପି ଉପ-ସଭାପତି ଭକ୍ତ ବିଶି, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ପ୍ରେମ୍‌ କୁମାର ଆଜାଦଙ୍କ ପନôୀ ଡ. ବନଲତା ଆଜାଦ, ପୁତ୍ର ସମୀର ଆଜାଦ, ନୂଆପଡ଼ା ଜିଲ୍ଲା ପାଣି ପଞ୍ଚାୟତ ସଭାପତି ବିଜେପିର ମହେଶ ସାହୁ, ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସାହୁଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରପଞ୍ଚ ଚିରଞ୍ଜିବ ଗୌଡ଼ିଆ, ସରପଞ୍ଚ ଚନ୍ଦ୍ରମା ମାଝୀ, ଚିତ୍ତରଞ୍ଜନ ରଣା, ନରସିଂହ କୁମାର, ଲେମ୍ବୁବତୀ ମାଝୀ, ଟିକେଶ୍ୱରୀ ମାଝୀ, ପଦ୍ମା ହରିଜନ, ବଳଭଦ୍ର ପାତ୍ର, ଉଜ୍ଜ୍ୱଳା ପ୍ରଧାନୀ, ପ୍ରେମସାଗର ନାଏକ, ରମେଶ ସାହୁ, ସାବିତ୍ରୀ ମାଝୀ, ରବି ପାତ୍ର ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ସରପଞ୍ଚ, ବିଜେପି ଓ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀଙ୍କୁ ଦଳର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବହୁ ବିଜେପି, କଂଗ୍ରେସ ଓ ଶିବସେନାର ନେତା ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଆମ ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହ, ଯୁବ ନେତା ସୁବ୍ରତ ଛାଟୋଇ, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com