bjd-team-meet-ceo-(3)

ବିଜେପି ଚାପରେ ‘କାଳିଆ’ ଯୋଜନା ବନ୍ଦ

17

ଭୁବନେଶ୍ୱର,୨୫ା୩(ବୁ୍ୟରୋ): ଭୋଟରଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରୀ କଳକୁ ଲଗାଇ ବିଜେପି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି । ଦୁଇଟି ପୃଥକ୍ ଅଭିଯୋଗ ଆଣି ି ଆଜି ବିଜୁ ଜନତା ଦଳ ନିର୍ବାଚନ କମିଶନ(ଇସି)ଙ୍କୁ ଫେରାଦ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବିଜେପି ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ କରିଛି ବିଜେଡି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘କାଳିଆ’ ଯୋଜନା ଉପରେ କଟକଣା ଜାରି କରାଯାଇଛି ଏବଂ ବିଜେପି ଚାପରେ ପଡ଼ି ସିଇଓ ଏଭଳି କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସେହିଭଳି କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ ଉଜ୍ଜ୍ୱଳା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରି ଗ୍ୟାସ୍ ସଂଯୋଗ ଦେବାକୁ ବିତରକ ସଂସ୍ଥା ଇଣ୍ଡେନ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ଡିଲରମାନଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ଏହାର ପ୍ରତିବାଦ ସ୍ୱରୂପ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଆଜି ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ସାକ୍ଷାତ କରି ବିଜେପି ବିରୁଦ୍ଧରେ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛନ୍ତି । ଆଦର୍ଶ ଆଚରଣବିଧି ଲାଗୁ ହେବାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ସେଥିପାଇଁ ଆବଶ୍ୟକ ଆର୍ଥିକ ଓ ପ୍ରଶାସନିକ ଅନୁମୋଦନ ନିଆଯିବା ସହିତ ହିତାଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ସରିଥିଲା । ମାତ୍ର ଏବେ ହଠାତ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦର୍ଶ ଆଚରଣ ବିଧି କଥା ଉଠାଇ ‘କାଳିଆ’ ଯୋଜନା ସହାୟତା ବନ୍ଦ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ସମାଲୋଚନା କରିଛନ୍ତି । ସେ ଯୁକ୍ତି ବାଢିଛନ୍ତି ଯେ, ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାର ପଛରେ ଆସିଥିବା କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ର କାର୍ଯ୍ୟଶୈଳୀ ଏକାଭଳି ହୋଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇନାହିଁ କାହିଁକି?
ଏଥିସହିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ଏପରି ଉଦ୍ୟମକୁ ଭାରତୀୟ ତୈଳ ନିଗମ (ଆଇଓସିଏଲ୍) କାର୍ଯ୍ୟକାରୀ କରୁଛି ବୋଲି ଅଭିଯୋଗ କରାଯାଇଛି । ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଥିବା ଦର୍ଶାଯାଇଛି । ତେଣୁ ନିଗମର ଅଧ୍ୟକ୍ଷ, ଓଡ଼ିଶା ଦାୟିତ୍ୱରେ ଥିବା ଜେନେରାଲ୍ ମ୍ୟାନେଜର୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଇସି ଏବଂ ସିଇଓଙ୍କ ନିକଟରେ ଦାବି କରିଛି ଦଳ । ଅନ୍ୟ ଏକ ପୃଥକ୍ ପିଟିସନ୍ରେ ଭାରତ ସରକାରଙ୍କ ବିଏସ୍ଏନ୍ଏଲ୍ ସଂସ୍ଥା ବିରୋଧରେ ବିଜେଡି ଗୁରୁତର ଅଭିଯୋଗ ଆଣିଛିÿି । ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରି ଉକ୍ତ ସଂସ୍ଥା କେନ୍ଦ୍ର ସରକାର ଓ ବିଜେପିର ପ୍ରଚାରରେ ନିୟୋଜିତ ରହିଛି । ବିଏସ୍ଏନ୍ଏଲ୍ ନେଟୱାର୍କକୁ ମୋବାଇଲ୍ରେ କଲ୍ କଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସ୍ଲୋଗାନ୍ ‘ଦେଶ ବଦଲ୍ ରହା ହେ’ କଲର୍ ଟୁ୍ୟନ୍ ବାଜୁଛି । ବିଜେପି ପ୍ରତି ଆକୃଷ୍ଟ କରାଇବାକୁ ଉଦ୍ଦିଷ୍ଟ ଏହି ସ୍ଲୋଗାନ୍ ବିଏସ୍ଏନ୍ଏଲ୍ କଲର ଟୁ୍ୟନ୍ରେ ବାଜିବା ସାଂଘାତିକ ବିଷୟ । କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ବିଏସ୍ଏନ୍ଏଲ୍ ଏଭଳି ପ୍ରଚାର କରୁଛି । ବିଏସ୍ଏନ୍ଏଲ୍କୁ ନିବୃତ୍ତ କରାଇବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି । ଏହି ପ୍ରତିନିଧି ଦଳରେ ମୁଖପାତ୍ର ଡ. ପାତ୍ରଙ୍କ ସହିତ ସୁଲତା ଦେଓ, ଲେଲିନ୍ ମହାନ୍ତି ପ୍ରମୁ୍ଖ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com