BJP

ବିଜେପିର ୩ ନେତାଙ୍କୁ ସମନ

20

ନକଲି ଗୁଇନ୍ଦା ରିପୋର୍ଟ ପ୍ରଦର୍ଶନ ମାମଲା
ଭୁବନେଶ୍ୱର, ୨୦ା୩(ବୁ୍ୟରୋ): ସାମ୍ବାଦିକ ସମ୍ମିଳନୀରେ ନକଲି ଗୁଇନ୍ଦା ରିପୋର୍ଟ ଦେଖାଇବା ଅଭିଯୋଗରେ ବିଜେପିର ତିନି ନେତାଙ୍କୁ କମିଶନରେଟ୍ ପୁଲିସ୍ ସମନ କରିଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ସିଆର୍ପିସି ଧାରା ୯୧ରେ କମିଶନରେଟ୍ ପୁଲିସ୍ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧ଠଟାରେ ଭୁବନେଶ୍ୱରସ୍ଥିତ ଖାରବେଳ ନଗର ଥାନାରେ ହାଜର ହୋଇ ଡକୁ୍ୟମେଣ୍ଟ ଦାଖଲ କରିବାକୁ ସେମାନଙ୍କୁ କୁହାଯାଇଛି । ଏଥିସହ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ପ୍ରଦର୍ଶିତ କରାଯାଇଥିବା ଅରିଜିନାଲ୍ ଚିଠି ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।
ଗତ ସୋମବାର ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଚିଠି ଦେଖାଯାଇ ଏହା ଗୁଇନ୍ଦା ବିଭାଗର ରିପୋର୍ଟ ବୋଲି ଦର୍ଶାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ପରିବର୍ତ୍ତେ ଚଳିତଥର ଅନ୍ୟ ୪ଟି ଆସନରୁ ଲଢ଼ିବାକୁ ପରାମର୍ଶ ଦିଆଯାଇଥିଲା । ଏହାକୁ ପରିବେଷଣ କରାଯିବାର କିଛି ଘଣ୍ଟା ଭିତରେ ପୁଲିସ୍ ଡିଜି ଟ୍ୱିଟ୍ କରି ଏହି ଚିଠି ନକଲ ବୋଲି ସ୍ପଷ୍ଟ କରିଥିଲେ । ପରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ନେଇ ବିଜେଡି ଗତକାଲି (ମଙ୍ଗଳବାର) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଚିଠି ପ୍ରସାରଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ସେହିପରି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଚିଠିର ସତ୍ୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଯାଇଥିଲା । ଏପରିକି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ବିଜେପି ସମାନ ଢ଼ଙ୍ଗର ଏକ ଚିଠି ଦେଖାଇଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା । ପରେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । କର୍ଣ୍ଣାଟକରେ ବିଜେପି ନୁହେଁ ଜେଡିଏସ୍ ଉକ୍ତ ଅଭିଯୋଗ ଆଣିଥିଲା ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଥିଲେ । ଏହାସହ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ଭେଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଉକ୍ତ ଚିଠିର ଯାଞ୍ଚ୍ ପାଇଁ ଦାବି କରିଥିଲା । ତେବେ କମିଶନରେଟ୍ ପୁଲିସ ବିଜେପିର ଉକ୍ତ ତିନି ନେତାଙ୍କୁ ସମନ୍ କରିଥିବା ବେଳେ ଆସନ୍ତାକାଲି ସେମାନେ ଥାନାରେ ହାଜର ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ସେଆର କରନ୍ତୁ:



Powered by odothemes.com