naveennnnn

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ

18

ଦଶପଲ୍ଲା ରାଲିରେ ନବୀନଙ୍କ ବଡ଼ ପ୍ରଶ୍ନ
ଦଶପଲ୍ଲା, ୧୩ା୪(ଆପ୍ର): ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ ଜିଲ୍ଲାର ଦଶପଲ୍ଲା ଅଞ୍ଚଳକୁ ଆସି ବିରୋଧୀ ବିଜେପି ଉଦେ୍ଦଶ୍ୟରେ ଏକ ଶାଣିତ କଟାକ୍ଷ କରିଛନ୍ତି । ଗୌରିକ ଦଳକୁ ପ୍ରଶ୍ନବାଣରେ ଘାଇଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ପାଇଁ ବିଜେପି ଡରୁଛି କାହିଁକି ବୋଲି ପ୍ରଶ୍ନ କରିବା ସହ ପ୍ରଚାର ପାଇଁ କେନ୍ଦ୍ରରୁ ଆସୁଥିବା ସେହି ଦଳର ନେତାମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନ ଚାଲିଥିବାରୁ ଓଡିଶାକୁ ଦିଲ୍ଲୀ ଇଞ୍ଜିନ୍ ଆସୁଛି । ଏଠାରେ ଯୋର ପାଟି କରୁଛି । ହେଲେ ଭୋଟ୍ ପରେ ସେହି ଇଞ୍ଜିନର ଆଉ ଦେଖା ମିଳିବନାହିଁ । ଓଡିଶାରେ ଆଉ ଗୋଟିଏ ଇଞ୍ଜିନ୍ କିଏ ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନବୀନ ଏପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନୀ ସଭାରେ କେନ୍ଦ୍ରୀୟ ଅବହେଳା କଥା ବାରମ୍ବାର ଉଠାଇ ଆସୁଥିଲେ । ବିଜେପି ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କ୍ଷମତାକୁ ଆସିବାପରେ ଭୁଲି ଯାଉଛି ବୋଲି କହି ସମାଲୋଚନା କରିଆସୁଥିଲେ । ଏପରିକି ବିଜେପିର ନେତାମାନେ କହୁଥିବା ଡବଲ ଇଞ୍ଜିନ୍ ପ୍ରସଙ୍ଗରେ ନବୀନ କହୁଥିଲେ ଯେ ମହିଳାମାନେ ହିଁ ରାଜ୍ୟର ଡବଲ୍ ଇଞ୍ଜିନ । କିନ୍ତୁ ଶନିବାର ନବୀନଙ୍କ ଭାଷଣରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେ ସିଧାସଳଖଭାବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ବିରୋଧୀ ପକ୍ଷରୁ ଘାଇଲା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ନାମ କହିପାରୁନଥିବା ବିଜେପି ନେତାମାନେ ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଇ କେତେ ଯଥାର୍ଥ ବୋଲି ସେ କଟାକ୍ଷ କରିଛନ୍ତି ।
ଦଶପଲ୍ଲାରେ ଶନିବାର ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନସମାବେଶ ଗାନ୍ଧି ମଇଦାନରେ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ସାଂସଦ ପ୍ରାର୍ଥୀ ଡ. ଅଚୁ୍ୟତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ରମେଶ ବେହେରାଙ୍କୁ ବିଜୟୀ କରିବା ନିମନ୍ତେ ଆହ୍ୱାନ କରିଥିଲେ । ମୁଁ କାଳିଆ ଯୋଜନାକୁ ବନ୍ଦ କରିବାକୁ ଦେବିନାହିଁ, ବିରୋଧୀ ଯେତେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କଲେ ମଧ୍ୟ କାଳିଆ ଯୋଜନା ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ । ରାଜ୍ୟବାସୀଙ୍କ ସେବା କରିବାକୁ ମୁଁ ଉତ୍ସର୍ଗୀକୃତ ବୋଲି ବିଜେଡି ସୁପି୍ରମେ ଇତ୍ୟବସରରେ ମତବ୍ୟକ୍ତ କରିଥିଲେ । ଦଶପଲ୍ଲାରେ ଚତୁଃପାଶ୍ୱର୍ରେ ହଜାର ହଜାର ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା ଗାନ୍ଧି ମଇଦାନରେ ପହଞ୍ଚିଥିଲା । ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସମେତ ଦଶପଲ୍ଳା, ଗଣିଆ, ନୂଆଗାଁର ନିର୍ବାଚିତ ଜନପ୍ରତିନିଧି ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଏହି ସମାବେଶରେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com