JAIPUR

ବିକାଶଠୁ ଦୂରରେ ଟାଙ୍କୁଆ ପଞ୍ଚାୟତ

10

ଜୟପୁର (ଆପ୍ର): ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଅନୁନ୍ନତ କୋରାପୁଟ ଜିଲ୍ଲାର ବହୁ ଅଞ୍ଚଳକୁ ସବୁଦିନିଆ ରାସ୍ତାଟିଏ ହୋଇପାରିନାହିଁ । ସହରର ଠାରୁ ମାତ୍ର ୧୦-୧୫ କିଲୋମିଟର ଦୂରରେ ଥିବା ଗ୍ରାମାଞ୍ଚଳକୁ ଭଲ ରାସ୍ତା ନଥିବା ବେଳେ ଦୁର୍ଗମ ଅଞ୍ଚଳ କଥା ପଚାରେ କିଏ । ଏପରି ଅନେକ ସହରତଳି ଗାଁ ରହିଛି ଯେଉଁଠି କି ଆଜିଯାଏଁ ରାସ୍ତାଟିଏ ହୋଇନଥିବାରୁ ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଆମ୍ବୁଲାନ୍ସ ବଦଳରେ ଖଟିଆ କିମ୍ବା କାଉଡ଼ିରେ ନିଆଯାଏ । ସେହିପରି ଏକ ଅଭିଶପ୍ତ ଗାଁ ହେଉଛି ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ପୋଡାପଦର ଓ ଡୁମ୍ବୁରି ପଦର ।
ଆଜିଯାଏ ଏହି ଦୁଇ ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ହୋଇପାରିନାହିଁ । କେବଳ ନିର୍ବାଚନ ସମୟରେ ନେତାଙ୍କ ଠାରୁ ଗଣ୍ଡା ଗଣ୍ଡା ପ୍ରତିଶ୍ରୁତି ମିଳିଥାଏ । ମାତ୍ର ନିର୍ବାଚନ ପରେ କୌଣସି ନେତାଙ୍କ ପାଦ ମଧ୍ୟ ଏଠାକୁ ପଡ଼ିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୋଡ଼ାପଦରକୁ ରାସ୍ତା ନଥିବାରୁ କୌଣସି ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ କାଉଡ଼ି ହିଁ ଏକମାତ୍ର ସାହାରା । ପୋଡାପଦରଠାରୁ କୁଞ୍ଜେଇ ମାଳିଗୁଡା ପର୍ଯ୍ୟନ୍ତ ବୋହିକି ଆଣିବା ପରେ ସେଠାରୁ ଗାଡିରେ ରୋଗୀକୁ ଜୟପୁର ନେବାକୁ ପଡ଼ିଥାଏ । ପୋଡାପଦର ଓ ଡୁମ୍ବୁରିପଦରବାସୀ ପ୍ରତିଦିନ ଏହି ରାସ୍ତାଦେଇ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନ ତିଳେମାତ୍ର ଧ୍ୟାନ ଦେଇ ରାସ୍ତା ମରାମତି କରିବା ପ୍ରତି ଆଗ୍ରହ ଦେଖାଇନଥିବା ଅଭିଯୋଗ ହୋଇଛି । ଜୟପୁର ରାଜାଙ୍କ ଅମଳରୁ ପାହାଡ଼ ଉପରେ ଏହି ଆଦିବାସୀ ସମ୍ପ୍ରଦାୟର ଜନବସତି ରହିଥିଲେ ହେଁ ଏଯାବତ୍ ଗ୍ରାମର ଅବସ୍ଥା ବଦଳିପାରିନାହିଁ । ଗାଁରେ ସରକାରଙ୍କ ପକ୍ଷରୁ ପାନୀୟ ଜଳର କୌଣସି ବ୍ୟବସ୍ଥା ନଥିବାବେଳେ ଗ୍ରାମବାସୀ ପାହାଡ଼ରୁ ଆସିଥିବା ଝରଣା ଉପରେ ନିର୍ଭର କରିଥା’ନ୍ତି । ଡୁମ୍ବୁରିପଦର ପଞ୍ଚାୟତକୁ ଯିବାକୁ ହେଲେ ୨୦ କିମି ଯିବାକୁ ପଡ଼ୁଥିବାରୁ ଲୋକମାନେ ୪ କି.ମି ପାହାଡିଆ ରାସ୍ତା ଅତିକ୍ରମ କରି କମ୍ ସମୟରେ ଯାଇଥାନ୍ତି । ଏଣୁ ପାହାଡ଼ିଆ ରାସ୍ତାଟିଏ ନିର୍ମାଣ ହେଲେ ଡୁମ୍ବୁରିପଦର ୭୦ ପରିବାର ଓ ପଡାପଦର ୫୦ ପରିବାର ଉପକୃତ ହୁଅନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି । ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ନଥିବାରୁ ଜଙ୍ଗଲ ପାହାଡିଆ ରାସ୍ତାଦେଇ ସ୍କୁଲକୁ ଯିବାକୁ ହୁଏ । ଏଣୁ ପିଲାମାନେ ସ୍କୁଲ ନଯାଇ ପଥରଗୁଣ୍ଡ କରିବା କାର୍ଯ୍ୟ କରି ପେଟପୋଷନ୍ତି । ତେବେ ଆଜି ପର୍ଯ୍ୟନ୍ତ ଗାଁକୁ କୌଣସି ସରକାରୀ ବାବୁଙ୍କ ପାଦ ପଡ଼ିନଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହି ପଞ୍ଚାୟତର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com