Photo19BHU-Dhoni-50-run-1

ବାରବାଟୀ ଧମାକା

82

କୋହଲିଙ୍କ ନେତୃତ୍ୱରେ ପ୍ରଥମ ସିରିଜ୍ ସାଫଲ୍ୟ
କଟକ, ୧୯ା୧ (ବୁ୍ୟରୋ): ସମସ୍ତ ଉକ୍ରଣ୍ଠା ଓ ପ୍ରତୀକ୍ଷାର ଅବସାନ ଘଟାଇ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି ଚଳିତ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ । ଦେଖିବାକୁ ମିଳିଛି ଚୌକା-ଛକା ବର୍ଷା । ଦର୍ଶକ ପାଇଛନ୍ତି ଭରପୂର ମନୋରଞ୍ଜନ । ଦୁଇ ପୁରୁଖା ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ଓ ସଦ୍ୟ ଅଧିନାୟକତ୍ୱ ଛାଡ଼ିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଦମ୍ଦାର ଶତକୀୟ ଇନିଂସ୍ ତଥା ଦ୍ୱିଶତକୀୟ ଭାଗୀଦାରୀ ବଳରେ ଭାରତ ୧୫ ରନ୍ରେ ଇଂଲଣ୍ଡକୁ ହରାଇ ଚମକ୍ପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହ ୨-୦ରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଉପରେ କବ୍ଜା କରିଛି ଭାରତ ଏବଂ ବାରବାଟୀ ଇତିହାସରେ ଯୋଡ଼ି ହୋଇଛି ଏକ ସ୍ମରଣୀୟ ଅଧ୍ୟାୟ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତର ଏକ ପ୍ରଥମ ଦିନିକିଆ ସିରିଜ୍ ବିଜୟ । ଛଅବର୍ଷ ପରେ ଦିନିକିଆରେ ଶତକ ଲଗାଇ ଘରୋଇ ଟିମ୍କୁ ବିପର୍ଯ୍ୟୟରୁ ମୁକୁଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଯୁବରାଜ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ପୂର୍ବ ମ୍ୟାଚ୍ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ଆକଳନ ଅନୁଯାୟୀ ହାଇସ୍କୋରିଂ ମୁକାବିଲା ଦେଖିବାକୁ ମିଳିଥିଲା । ଶେଷଯାଏ ମ୍ୟାଚ୍ର ରୋମାଞ୍ଚ ବଳବତ୍ତର ରହିଥିଲା । ପ୍ରତିପକ୍ଷ ଅଧିନାୟକ ଇଅନ୍ ମୋର୍ଗାନ୍ ଦ୍ରୁତ ଶତକ ଲଗାଇ ୪୯ତମ ଓଭର୍ ଯାଏ ଲଢ଼େଇ କରିଥିଲେହେଁ ଭ୍ରମଣକାରୀ ଟିମ୍ ବିଜୟର ସ୍ୱାଦ ଚାଖିପାରି ନ ଥିଲା । ଷ୍ଟାଡିୟମ୍ ଇତିହାସର ଏହା ଥିଲା ୨୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ । ତନ୍ମଧ୍ୟରେ ବାତିଲ୍ ହୋଇଥିବା ୨ଟି ମ୍ୟାଚ୍କୁ ଛାଡ଼ିଦେଲେ ଭାରତ ୧୬ଟି ମ୍ୟାଚ୍ ଖେଳିଥିବାବେଳେ ୧୨ଟିରେ ବିଜୟଲାଭ କରିଛି ।
ଇଂଲଣ୍ଡର ଅଧିନାୟକ ଇଅନ୍ ମୋର୍ଗାନ୍ ଟସ୍ ଜିତି ଆଶା ଅନୁଯାୟୀ ଫିଲ୍ଡିଂ ନେଇଥିଲେ । ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୨୫ ରନ୍ରେ ୩ଟି ୱିକେଟ୍ ପଡ଼ିଥିଲା । ଲୋକେଶ ରାହୁଲ୍ ଓ ଶିଖର ଧାବନଙ୍କ ଯୋଡ଼ି ଓପନିଂ କରିବାକୁ ଆସିଥିଲେ, ତେବେ ଏହି ଯୋଡ଼ି ତୃତୀୟ ଓଭର୍ରେ ଭାଙ୍ଗିଥିଲା । କ୍ରିସ୍ ଓକ୍ସଙ୍କ ବଲ୍ରେ ରାହୁଲ୍ ୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବି ନିରାଶ କରିଥିଲେ । ସେ ମାତ୍ର ୮ ରନ୍ କରି ଓକ୍ସଙ୍କ ଶିକାର ହୋଇଥିଲେ । ଅନ୍ୟତମ ଓପ୍ନର୍ ଧାବନ (୧୧) ମଧ୍ୟ ଓକ୍ସଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ଏଭଳି ସଙ୍କଟଜନକ ସ୍ଥିତିରେ ଟିମ୍ର ମଙ୍ଗ ଧରିଥିଲେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଯୁବରାଜ ଓ ପୂର୍ବତନ ଅଧିନାୟକ ଧୋନି । ଉଭୟ ବେଶ୍ କିଛି ସମୟ ମଧ୍ୟରେ କ୍ରିଜ୍ରେ ଜମିଯାଇଥିଲେ । ଯୁବି ଓ ଧୋନି ନିଜ ପାରମ୍ପରିକ ଶୈଳୀରେ ଖେଳିଥିଲେ । ପ୍ରଥମେ ଯୁବରାଜ ଓ ଏହାପରେ ଧୋନି ଅର୍ଦ୍ଧଶତକ ପୂରଣ କରିଥିଲେ । ଉଭୟଙ୍କ ପ୍ରୟାସରେ ସ୍କୋର୍ ୧୦୦ ପରେ ୨୦୦ ଅତିକ୍ରମ କରିଥିଲା । ଯୁବରାଜ ୯୮ଟି ବଲ୍ରୁ ଶତକ ପୂରଣ କରିଥିଲେ । ଦୀର୍ଘ ଛଅବର୍ଷ ପରେ ଯୁବି ଦିନିକିଆରେ ଶତକ ପୂରଣ କରିଥିଲେ । ଏହା ତାଙ୍କ କ୍ୟାରିଅର୍ର ୧୪ତମ ଶତକ ଥିଲା । ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଇଂଲଣ୍ଡ ଟିମ୍ ନାକେଦମ୍ ହୋଇଥିଲା । ଭ୍ରମଣକାରୀ ଟିମ୍ର ସ୍ପିନର୍ଙ୍କୁ ମଧ୍ୟ ଉଚିତ ମୁକାବିଲା କରିବାରେ ସଫଳ ହୋଇଥିଲେ ଯୁବି ଓ ଧୋନି । ଧୋନି ୧୦୬ଟି ବଲ୍ରୁ ଶତକ ପୂରଣ କରିଥିଲେ । ଦଳୀୟ ସ୍କୋର୍ ୩୮୧ ହୋଇଥିବାବେଳେ ଯୁବରାଜଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଓକ୍ସ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ କେଦାର ଜାଧବ ବେଶୀ ସମୟ କ୍ରିଜ୍ରେ ରହି ନ ଥିଲେ ମଧ୍ୟ ୧୦ଟି ବଲ୍ରୁ ୨୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୩ଟି ଚୌକା ଓ ୧ଟି ଛକା ରହିଥିଲା । ଏହାପରେ ଧୋନି ଓ ନୂଆ ବ୍ୟାଟ୍ସମ୍ୟାନ୍ ପାଣ୍ଡ୍ୟାଙ୍କ ଉଦ୍ୟମରେ ଇନିଂସ୍ ୩୫୦ ଅତିକ୍ରମ କରିଥିଲା । ଧୋନି ବ୍ୟକ୍ତିଗତ ୧୩୪ ରନ୍ରେ ଆଉଟ୍ ହୋଇଥିଲେ । ପ୍ଲଙ୍କେଟ୍ ଏହି ୱିକେଟ୍ ପାଇଥିଲେ । ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଇନିଂସ୍କୁ ଆଉ କିଛି ବାଟ ଆଗେଇ ନେଇଥିଲେ । ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭର୍ରେ ୬ ୱିକେଟ୍ ହରାଇ ୩୮୧ ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ପକ୍ଷରୁ ଓକ୍ସ ୪ଟି ଓ ପ୍ଲଙ୍କେଟ୍ ୨ଟି ୱିକେଟ୍ ନେଇଥିଲେ । ୩୮୨ ରନ୍ର ବଡ଼ ଟାର୍ଗେଟ୍ ନେଇ ଖେଳିଥିବା ଇଂଲଣ୍ଡ ଟିମ୍ ଆପ୍ରାଣ ପ୍ରୟାସ ସତ୍ତ୍ୱେ ନିର୍ଦ୍ଧାରିତ ଓଭର୍ରେ ୮ ୱିକେଟ୍ ହରାଇ ୩୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା । ଟିମ୍ ପକ୍ଷରୁ ଅଧିନାୟକ ମୋର୍ଗାନ୍ ସର୍ବାଧିକ ୧୦୨ (୮୧ଟି ବଲ୍ରୁ ୬ଟି ବୌକା ଓ ୫ଟି ଛକା ସହାୟତାରେ) ରନ୍ କରିଥିବାବେଳେ ଜାସନ୍ ରୟ ୮୨, ମୋଇନ୍ ଅଲ୍ଲୀ ୫୫, ଜୋ ରୁଟ୍ ୫. ଆଲେକ୍ସ ହେଲ୍ସ ୧୪, ଜୋସ୍ ବଟ୍ଲର୍ ୧୦, ଓକ୍ସ ୫ ଓ ବେନ୍ ଷ୍ଟୋକ୍ସ ୧ ରନ୍ କରି ଆଉଟ୍ ହୋଇଥିଲେ । ୩୫୪ ସ୍କୋର୍ରେ ଅଷ୍ଟମ ବ୍ୟାଟ୍ସମ୍ୟାନ୍ ଭାବେ ମୋର୍ଗାନ୍ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହେବାପରେ ଟିମ୍ର ସବୁଆଶା ମଉଳି ଯାଇଥିଲା । ପ୍ଲଙ୍କେଟ୍ ୨୬ ଓ ୱିଲି ୫ ରନ୍ କରି କ୍ରିଜ୍ରେ ଥିଲେ । ଭାରତ ପକ୍ଷରୁ ଅଶ୍ୱିନ ୩ଟି, ଯଶପ୍ରୀତ ବୁମ୍ରା ୨ଟି ଏବଂ ଭୁବନେଶ୍ୱର କୁମାର ଓ ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସେଆର କରନ୍ତୁ:



Powered by odothemes.com