ବାଣୀବିହାରରେ ନିର୍ବାଚନ: ଆଜି ବୈଠକ, ୨/୩ ଦିନରେ ନିଷ୍ପତ୍ତି

49

ଭୁବନେଶ୍ୱର,୨୮ା୯(ବୁ୍ୟରୋ): ସାର୍ ପ୍ଲିଜ୍ ଆମକଥା ଶୁଣନ୍ତୁ ଆପଣଙ୍କୁ ନେହୁରା ହେଉଛୁ । ଯେମିତି ବି ହେଲେ ନିର୍ବାଚନ କରନ୍ତୁ । କଥାଦେଉଛୁ କ୍ୟାମ୍ପସ୍ରେ ଆଉ କୌଣସି ପ୍ରକାର ଗଣ୍ଡଗୋଳ ହେବନି । ଏମିତି ଭାବେ ଛାତ୍ରମାନେ ଆଜି ପିଜି କାଉନସିଲ୍ ଚେୟାରମ୍ୟାନ୍ ରଞ୍ଜନ ବଳଙ୍କୁ ନିର୍ବାଚନ ପାଇଁ ମତାଇବା ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି । ଏପଟେ ୨/୩ ଦିନ ମଧ୍ୟରେ ଆଲୋଚନା ମଧ୍ୟମରେ ନିଷ୍ପତ୍ତି ନିଆଯିବ ରଞ୍ଜନ ବଳ କହିଛନ୍ତି । ଫାଟକ ସମ୍ମୁଖରେ ୨ ଦିନ ତଳେ ବଡ ଧରଣର ଆନ୍ଦୋଳନ ପରେ ନିର୍ବାଚନ କରିବା ନେଇ ନିଷ୍ପତିରେ ବିଳମ୍ବ ଯୋଗୁ ଆଜି ପୁଣି ଛାତ୍ରଛାତ୍ରୀ କୁଳପତି ଏବଂ ପିଜି କାଉନ୍ସିଲ୍ ଚେୟାରମେନ୍ଙ୍କୁ ଭେଟିଛନ୍ତି । ସକାଳ ୧୧ଟାରେ ପର୍ଯ୍ୟାୟକ୍ରମେ ତିନି ଦଳର ଛାତ୍ର ନେତା ମାନେ ଦଳଦଳ ହୋଇ କୁଳପତି ପ୍ରଫେସର ଅଶୋକ କୁମାର ଦାଶଙ୍କୁ ଭେଟି ନିର୍ବାଚନ କରିବାକୁ ଦାବି କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିବା ସହ ନିଷ୍ପତ୍ତିିର ପୁର୍ନବିଚାର କରି ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ । କ୍ୟାମ୍ପସରେ ନିର୍ବାଚନ ହେବ କି ନାହିଁ ଏହା ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ଉପରେ ନିର୍ଭର ହୋଇଥିବାରୁ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ବିଚାର କରାଯିବ ବୋଲି କୁଳପତି ପ୍ରକାଶ କରିଥିଲେ । ତେବେ ଏଠରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳାକୁ ନଜର ଦେଇ ନିର୍ବାଚନ ବନ୍ଦ କରିବାକୁ ପୁଲିସ୍ ବାଣୀବିହାର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା ବେଳେ ଏବେ ପୁଲିସ ତାର ମତ ପରିବର୍ତ୍ତନ କରିଛି । ପୁଲିସ୍ କମିସନରଙ୍କ କହିବା ଅନୁଯାୟୀ କ୍ୟାମ୍ପସ୍ରେ ପୁଲିସ୍ ଫୋର୍ସ ଯୋଗାଇବାରେ କୌଣସି ଅସୁବିଧା ନାହିଁ । ବାଣୀବିହାର କର୍ତ୍ତୃପକ୍ଷ ଯେତିକି ସୁରକ୍ଷା କର୍ମୀ ଚାହିଁବେ ସେତିକି ପ୍ଳାଟୁନ୍ ପୁଲିସ୍ ଫୋର୍ସ ଆମେ ଯୋଗାଇପାରିବୁ ବୋଲି କହିଛନ୍ତି । ଫଳରେ ଏଠାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ୍ର ସାହାଯ୍ୟ ଅଭାବ କାରଣରୁ ନିର୍ବାଚନ ବନ୍ଦ କରିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏବେ ଏଠାରେ ନିର୍ବାଚନ ପାଇଁ ଆବଶ୍ୟକ ଠାରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବା ନିଷ୍ପତ୍ତି ପରେ ନିର୍ବାଚନ କରିବାକୁ ସବୁ ଦଳର ଛାତ୍ର ନେତାମାନେ ଦାବି କରିଛନ୍ତି । ଅପରାହ୍ନ ୪ଟାରେ ବିଜୁ ଛାତ୍ର ଦଳର ସଭାପତି ଅମିତ ଜେନା, ସତ୍ୟାନନ୍ଦ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ଶୁଭଶ୍ରୀ ସ୍ୱାଇଁଙ୍କ ନେତୃତ୍ତ୍ୱରେ ଶତାଧିକ ଛାତ୍ରଛାତ୍ରୀ ପିଜି କାଉନସିଲ କାର୍ଯ୍ୟାଳୟକୁ ଘେରିବା ସହ ନିର୍ବାଚନ କରିବାକୁ ଦାବି କରିଥିଲେ । ଦୀର୍ଘ ସମୟ ଧାରଣାରେ ବସିବା ପରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ ବଳ ଛାତ୍ରଛାତ୍ରୀଙ୍କୁ ଭେଟି ନିର୍ବାଚନ କରିବାକୁ ପରୋକ୍ଷରେ ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଧାରଣାରୁ ଓହରିଥିଲେ । ଶ୍ରୀ ବଳଙ୍କ କହିଛନ୍ତି ଯେ, ନିର୍ବାଚନ କରିବା ପାଇଁ ଆସନ୍ତାକାଲି ତ୍ରିସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହେବ । ପିଜି କାଉନସିଲ, ରେସିଡ଼େନ୍ସିଆଲ କମିଟି ଓ ଆଡ଼ଭାଇଜର କମିଟିର ନିଷ୍ପତ୍ତି ପରେ ଆସନ୍ତା ୨/୩ ଦିନ ମଧ୍ୟରେ କ୍ୟାମ୍ପସରେ ନିର୍ବାଚନ ହେବ କି ନାହିଁ ତାହା ଘୋଷଣା କରାଯିବ । କିଛି ଛାତ୍ରନେତାଙ୍କ କହିବା ଅନୁଯାୟୀ ବାଣୀବିହାରରେ ନିର୍ବାଚନ ହେବା ନେଇ ଏକପ୍ରକାର ଆଶା ଉପୁଜିଛି । ମାତ୍ର ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ କୌଣସି ବିଶୃଙ୍ଖଳା ନକରିବାକୁ ସବୁ ଦଳର ଛାତ୍ରନେତାଙ୍କ ଠାରୁ କର୍ତ୍ତୃପକ୍ଷ ଲିଖିତ ପତ୍ର ନେବା ପରେ କର୍ତ୍ତୃପକ୍ଷ ନିର୍ବାଚନ ପାଇଁ ରାଜି ହେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com