JALESWAR-JHADESWARPUR-BASTIRE-ABAKARI-CHADDHAU-TEAM-KU-GHERI-RAHICHHANTI-BASTIBASINDA

ବସ୍ତିବାସିନ୍ଦାଙ୍କ ଆକ୍ରୋଶର ଶିକାର ଅବକାରୀ ସ୍କ୍ୱାର୍ଡ

37

ବ୍ରାଉନ୍ସୁଗର ବେପାରୀଙ୍କ ଘରେ ଚଢ଼ାଉ
ଜଳେଶ୍ୱର,୧୨ା୧(ଆପ୍ର): ବାଲେଶ୍ୱର ଜିଲା ଜଳେଶ୍ୱର ସହର ଝାଡ଼େଶ୍ୱରପୁର ବସ୍ତିରେ କିଛି ବ୍ୟକ୍ତି ବ୍ରାଉନ୍ସୁଗର ବିକ୍ରି କରୁଥିବା ସନେ୍ଦହରେ କଟକ ସ୍ଥିତ ଅବକାରୀ ଗୁଇନ୍ଦା ସ୍କ୍ୱାର୍ଡ଼ (୨) ଆଜି ଶନିବାର ସକାଳ ପ୍ରାୟ ୬ ଟାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଅବକାରୀ ଗୁଇନ୍ଦା ସ୍କ୍ୱାର୍ଡ଼ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବସ୍ତି ବାସିନ୍ଦା ଆକ୍ରମଣ କରିଥିବା ସୂଚନା ମିଳିଛି । ଅବକାରୀ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ ଦେଇଥିବା ସୂଚନାନୁଯାୟୀ, ଝାଡ଼େଶ୍ୱରପୁର ବସ୍ତିରେ ଦୀର୍ଘଦିନ ଧରି ବ୍ରାଉନ୍ସୁଗାର ବେପାର କରି ଆସୁଥିବା ଚାଚୀ ନାମରେ ପରିଚିତ ମନୁଆ ଙ୍କ ଘରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ୪୫୦ ଗ୍ରାମ ବ୍ରାଉନ୍ସୁଗର ଜବତ୍ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ମାତ୍ର ତାଙ୍କୁ ଗାଡ଼ି କୁ ନେବା ସମୟରେ ବସ୍ତିର ୨ ଶହରୁ ଉଦ୍ଧ୍ୱର୍ ମହିଳା, ପୁରୁଷ ସମେତ କୁନିକୁନି ପିଲାମାନଙ୍କ ସମେତ ମନୁଆଙ୍କ ପରିବାରର ସମସ୍ତ ସଦସ୍ୟ ଉକ୍ତ ଚଢ଼ାଉ ଟିମ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ । ଯାହାଫଳରେ ଉକ୍ତ ଟିମ୍ ଚଢ଼ାଉ ସ୍ଥଳରୁ ପ୍ରାଣ ବିକଳରେ ପଳାଇଯାଇଥିଲେ । ଖବରପାଇ ଜଳେଶ୍ୱର ଥାନାରୁ ଏଏସଆଇ ରମାକାନ୍ତ ସେଠୀ ଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ବସ୍ତିବାସିନ୍ଦାଙ୍କୁ ଦେଖି କୈାଣସି ପଦକ୍ଷେପ ନେବାପାଇଁ ସାହସ ଜୁଟାଇ ପାରି ନଥିଲେ । ଯାହକୁ ନେଇ ପ୍ରତ୍ୟକ୍ଷଦର୍ଶୀ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ବିସ୍ମିତ ହୋଇଥିଲେ । ପୋଲିସର ଏପରି ଉଦାସୀନତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅପରପକ୍ଷେ, ଅବକାରୀ ଗୁଇନ୍ଦା ସ୍କ୍ୱାର୍ଡ଼ ନିଜ ସହିତ ବ୍ରାଉନ୍ସୁଗାର ଆଣି ନିରୀହ ଲୋକଙ୍କ ଘରେ ପଶି ସେମାନଙ୍କୁ ବ୍ରାଉନ୍ସୁଗର ବେପାରୀ ଭାବେ ଦର୍ଶାଇ ବାହାବା ନେଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ଏହା ଫଳରେ ପ୍ରକୃତ ବ୍ରାଉନ୍ସୁଗର ବେପାରୀ ଆଇନ୍ ଆଖି ରୁ ଖସିଯାଉଥିବା ସେମାନେ କହିଛନ୍ତି । ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲଟାଙ୍କ ନିଦେ୍ର୍ଦଶକ୍ରମେ ଆଜିର ଏହି ଚଢ଼ାଉରେ ଇନ୍ସପେକ୍ଟର ସାମଲଙ୍କ ସହିତ ଇନ୍ସପେକ୍ଟର ବୈଜୟନ୍ତୀ ପଣ୍ଡା, ଗାଲୁରାମ ସୋରେନ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଉକ୍ତ ଘଟଣାକୁ ନେଇ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ର କହିଛନ୍ତି ଯେ ଚଢ଼ାଉ ଟିମ୍ ଉପରେ ହୋଇଥିବା ଆକ୍ରମଣ ଅତି ନିନ୍ଦନୀୟ ଓ ଅଗ୍ରହଣୀୟ । ଉକ୍ତ ଆଇନ୍ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ଜଳେଶ୍ୱରର ଜନସାଧାରଣ ଙ୍କ ସହଯୋଗ ଲୋଡ଼ା । ପ୍ରକାଶଯୋଗ୍ୟ ଯେ ବାଲେଶ୍ୱର ଜିଲା ଜଳେଶ୍ୱର ଅଂଚଳରୁ ଦୈନିକ କୋଟି କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର ରାଜ୍ୟ ରାଜଧାନୀ ସମେତ ପ୍ରମୁଖ ସହର ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ ।

ସେଆର କରନ୍ତୁ:



Powered by odothemes.com