Untitled-1

ବସ୍ତାରେ ଏଥର ତ୍ରିମୁଖୀ ଲଢ଼େଇ

21

ବାଲିଆପାଳ,୨୦ ।୩(ଆପ୍ର): ନିର୍ବାଚନ ତାରିଖ ଘୋଷଣା ପରେ ବାଲେଶ୍ୱର ଜିଲ୍ଲ୍ା ବସ୍ତା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳ ଭିତରେ ଛକ୍କାପଞ୍ଝା ଲାଗିରହିଥିବା ବେଳେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଭୋଟରଙ୍କ ମଧ୍ୟରେ ମଧ୍ୟ ଉକ୍ରଣ୍ଠା ପ୍ରକାଶ ପାଇଛି ।
୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ବାଲିଆପାଳ ବ୍ଲକର ୨୮ଟି ପଂଚାୟତ ଓ ବସ୍ତା ବ୍ଲକର ୧୭ଟି ପଂଚାୟତକୁ ନେଇ ନୂତନ ବସ୍ତା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ଗତ ଦୁଇ ନିର୍ବାଚନରେ ଏହା ବିଜେଡି କବ୍ଜାରେ ରହିଛି । ୨୦୦୯ରେ ବିଜେଡି ପ୍ରାର୍ଥୀ ରଘୁନାଥ ମହାନ୍ତି ଓ ୨୦୧୪ରେ ନିତ୍ୟାନନ୍ଦ ସାହୁ କଂଗ୍ରେସର ଜୟନାରାୟଣ ମହାନ୍ତିଙ୍କୁ ପରାସ୍ତ କରି ଏଠାରୁ ବିଜୟୀ ହୋଇଥିଲେ । ବର୍ତ୍ତମାନ କିନ୍ତୁ ବସ୍ତାରେ ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି । ବିଜେଡିରେ ଗୋଷ୍ଠୀକନ୍ଦଳ ଓ ଅନ୍ତଦ୍ୱର୍ନ୍ଦ୍ୱ ଲାଗିରହିଥିବାରୁ ବିଜେଡିକୁ ଶାସନରୁ ହଟାଇବା ପାଇଁ କଂଗ୍ରେସ ଓ ବିଜେପି ସାଂଗଠନିକ କାର୍ଯ୍ୟ ତୀବ୍ର କରିଛନ୍ତି । ଅନ୍ୟ ପକ୍ଷରେ ଦୀର୍ଘ ୧୦ ବର୍ଷ ଧରି ବସ୍ତାରେ କଂଗ୍ରେସର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି କଂଗ୍ରେସ ଦଳ ତ୍ୟାଗକରି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଆଶ୍ୱାସନାର ବିଷୟ ଯେ ଜୟନାରାୟଣ ବସ୍ତା ବଦଳରେ ତାଙ୍କର ପୂର୍ବତନ ନିର୍ବାଚନମଣ୍ଡଳୀ ଜଳେଶ୍ୱରରୁ ପ୍ରାର୍ଥୀ ହେବା ଲକ୍ଷ୍ୟରେ ସେଠାରେ ଡେରା ପକାଇଛନ୍ତି । ତାଙ୍କ ସହିତ ବସ୍ତାରୁ କେହି ବିଜେପିରେ ଯୋଗ ଦେଇନଥିବାରୁ କଂଗ୍ରେସ ସଂଗଠନ ପୂର୍ବ ଭଳି ଏଠାରେ ଅତୁଟ ରହିଛି ।
ସେହିପରି ବସ୍ତାରେ ବିଜେପିର ସଂଗଠନ ସେତେ ସୁଦୃଢ ନଥିଲେ ମଧ୍ୟ ପୁଲୱାମା ଘଟଣା ପରେ ବିଜେପି ସପକ୍ଷରେ କିଛିଟା ହାୱା ସୃଷ୍ଟି ହୋଇଛି । ତେଣୁ ଏଥର ମୁକାବିଲା ତ୍ରିକୋଣୀୟ ହେବାର ସମ୍ଭାବନା ରହିଛି । ଆଜିର ଦିନରେ ବସ୍ତାରେ ବିଜେଡିର ସଂଗଠନ ସୁଦୃଢ ରହିଥିଲେ ମଧ୍ୟ ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଲୋକପ୍ରିୟତା କମିଥିବାରୁ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରି ଦଳ ବଡ ରିସ୍କ ନେବାକୁ ଚାହୁଁନାହିଁ । ଏହାରି ସୁଯୋଗରେ ବିରୋଧୀ କଂଗ୍ରେସ ଓ ବିଜେପି ଏଥର କଳେବଳେକୋ÷÷ଶଳେ ବସ୍ତା ଆସନକୁ ବିଜେଡି ହାତରୁ ଛଡାଇନେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେଣୁ ଶାସକ ବିଜେଡି ପାଇଁ ଏହି ନିର୍ବାଚନ କର ବା ମର ପରିସ୍ଥିତି ସୃଷ୍ଠିକରିଛି । କିଛି ଦିନ ତଳେ ସାଂସଦଙ୍କ ଧର୍ମପତ୍ନୀ ସୁବାସିନୀ ଏଠାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସଂସଦୀୟ କ୍ଷେତ୍ରରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିଥିବା ପରିପ୍ରେକ୍ଷୀରେ ସୁବାସିନୀଙ୍କ ନାମ ବାଲେଶ୍ୱର ସାଂସଦ ପ୍ରାର୍ଥୀ ନିମନ୍ତେ ଚୂଡାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ତେଣୁ ବସ୍ତାରୁ ଜଣେ ଯୁବ ନେତା ବିଜେଡିରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ବହୁ ଭୋଟର ଚାହୁଁଛନ୍ତି । ଦଳର ହାଇକମାଣ୍ଡ ଜଣେ ସ୍ୱଛ, ଦୁର୍ନୀତିମୁକ୍ତ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ ବିଜେଡି ତାର ପୂର୍ବ ସଫଳତା ବଜାୟ ରଖିପାରିବ ବୋଲି ଅନେକ ଛାମୁଆଁ କର୍ମୀ କହିଛନ୍ତି । ଏହି କ୍ରମରେ ବସ୍ତା ବିଧାନସଭା କ୍ଷେତ୍ରରୁ ନିଜେ ସାଂସଦ ଇଂ ରବିନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ସେମାନଙ୍କ ମଧ୍ୟରୁ କେହି ବିଜେଡି ଟିକେଟରୁ ବଂଚିତ ହେଲେ ନୂଆ ମୁହଁ ହିସାବରେ ବସ୍ତାରେ ସାଂସଦଙ୍କ ପ୍ରତିନିଧି ତଥା ଯୁବ ନେତା ମହାଦେବ ଦାସ ଓ ବାଲିଆପାଳ ୨୧ ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ରନାଥ ଅଣ୍ଡିଆଙ୍କ ନାମ ଆଲୋଚନା ପରିସରକୁ ଆସୁଛି । ମହାଦେବ ଦାସଙ୍କ ପତ୍ନୀ ବସ୍ତା ପଂଚାୟତ ସମିତିର ଉପାଧକ୍ଷା ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ବସ୍ତା ଓ ବାଲିଆପାଳ ଅଂଚଳରେ ତାଙ୍କର ଭଲ ଲୋକସମ୍ପର୍କ ରହିଛି । ଟିକେଟ ବଣ୍ଟନରେ ଜିଲ୍ଲ୍ା ସଭାପତି ସାଂସଦ ରବିନ୍ଦ୍ର ଜେନାଙ୍କ ନିଷ୍ପତ୍ତି ଚୂଡାନ୍ତ ହୋଇଥିବାରୁ ସାଂସଦ ଶ୍ରୀ ଜେନା ଏଠାରୁ ପ୍ରାର୍ଥୀ ନହେଲେ ତାଙ୍କର ଏକାନ୍ତ ଅନୁଗତ ଭାବେ ମହାଦେବ ଦାସ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି । ୨୦୧୪ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ଯୁବ ପ୍ରାର୍ଥୀତ୍ୱକୁ ସବୁ ରାଜନୈତିକ ଦଳ ଅଗ୍ରାଧିକାର ଦେବାକୁ ଯୋଜନା କରୁଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com