ପ୍ରାର୍ଥôପତ୍ର ଦାଖଲ କଲେ ୨୭୫

14

ପ୍ରଥମ ପର୍ଯ୍ୟାୟ ଭୋଟ୍
ଭୁବନେଶ୍ୱର, ୨୫ା୩(ବୁ୍ୟରୋ): ସପ୍ତଦଶ ଲୋକସଭା ପାଇଁ ୫୪୩ ଆସନରେ ୭ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟ ଲାଗି ଆଜି ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆସନ୍ତାକାଲି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଏପ୍ରିଲ ୧୧ ରେ ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ ଲୋକସଭା ଆସନ ନିମନ୍ତେ ନିର୍ବାଚନ ହେବ । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ରହିଥିବା ବେଳେ ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନ, ବିହାର ଏବଂ ଓଡିଶାର ୪ ଟି ଲେଖାଏଁ ଆସନ, ଅରୁଣାଚଳପ୍ରଦେଶ, ମେଘାଳୟ, ପଶ୍ଚିମବଙ୍ଗ ଓ ଜାମ୍ମୁ-କାଶ୍ମୀରର ୨ ଟି, ଛତିଶଗଡ, ମିଜୋରାମ, ସିକିମ, ତ୍ରିପୁରା, ମଣିପୁର, ଆଣ୍ଡାମାନ ନିକୋବର ଏବଂ ଲକ୍ଷାଦୀପର ଗୋଟିଏ ଲେଖାଏ ଆସନ ପାଇଁ ମତଦାନ ହେବ । ଏଥିସହିତ ଆନ୍ଧ୍ର ପ୍ରଦେଶର ୧୭୫ଟି , ଅରୁଣାଞ୍ଚଳ ପ୍ରଦେଶର ୬୦, ସିକିମର ୩୨ ଏବଂ ଓଡିଶାର ୨୮ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ ।
ନାମାଙ୍କନପତ୍ର ଦାଖଲର ଶେଷ ଦିନ ସୁଦ୍ଧା ରାଜ୍ୟର ୨୮ ବିଧାନସଭା ଆସନ ପାଇଁ ସର୍ବମୋଟ ୨୪୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ୪ ଲୋକସଭା ଆସନ ପାଇଁ ସର୍ବମୋଟ ୩୦ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ବିଧାନସଭା ଲାଗି ଆଜି ୮୭ ଜଣ ଆଶାୟୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନରେ ୧୭ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ୯୬ ଜଣ ଓ ଲୋକସଭା ପାଇଁ ୨୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । ଆସନ୍ତା କାଲି ଅର୍ଥାତ୍ ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ସେହିଭଳି ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୯କୁ ଧାର୍ଯ୍ୟ କରାଯାଇଛି ।
ରାଜ୍ୟରେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ତତ୍ସଂଲଗ୍ନ ୨୮ ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ । କଳାହାଣ୍ଡି ଲୋକସଭା ଆସନ ସମେତ ଏହାର ଅଧୀନରେ ଥିବା ନୂଆପଡ଼ା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନବରଙ୍ଗପୁର ଲୋକସଭା ଆସନ ଓ ଏହାର ଅଧୀନରେ ଥିବା ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନଗିରି ଓ ଚିତ୍ରକୋଣ୍ଡା ଭଳି ୭ ବିଧାନସଭା ଆସନରେ ମତଦାନ ହେବ । ଉକ୍ତ ଦିନ ବ୍ରହ୍ମପୁର ଲୋକସଭା ଆସନ ସମେତ ଏହାର ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର , ଦିଗପହଣ୍ଡି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ନିର୍ବାଚନ କରାଯିବ । ସେହିଭଳି କୋରାପୁଟ ଲୋକସଭା ଆସନ ସମେତ ଏହାର ଅନ୍ତର୍ଗତ ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, କୋଟପାଡ, ଜୟପୁର ଓ କୋରାପୁଟ ଭଳି ୭ ବିଧାନସଭା କ୍ଷେତ୍ର ଲାଗି ଭୋଟ ଗ୍ରହଣ କରାଯିବା ଲାଗି ନିଷ୍ପତ୍ତି ହୋଇଛି ।

ସେଆର କରନ୍ତୁ:



Powered by odothemes.com