JALESWAR-BLOCK-ARUHA-PANCHAYAT-RA-CHAKARJUNI-GRAMARA-JYTSNARANI-DAS-NKA-KACCHA-GRUHA

ପ୍ରଧାନମନ୍ତ୍ରୀ ଆବାସ ଗୃହ ହଡ଼ପ, ତଦନ୍ତ ଦାବି

10

ଜଳେଶ୍ୱର,୧୫ା୩ (ଆପ୍ର): ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ସମସ୍ତ ଗରିବ ଲୋକଙ୍କ କଚ୍ଚା ଗୃହ ପକ୍କା ଗୃହ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ଯୋଗାଇ ଆସୁଛନ୍ତି । ମାତ୍ର ତାର ବ୍ୟତିକ୍ରମ ବହୁଳ ମାତ୍ରାରେ ଦେଖାଦେଉଛି । ଏପରିକି ଘର ତିଆରି ନକରି ସମସ୍ତ ଟଙ୍କାକୁ ଉଠାଇ ନେଉଛନ୍ତି ପଂଚାୟତ ସ୍ତରୀୟ ନେତା ଓ ଦୁର୍ନୀତିଗ୍ରସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ । ଏହିଭଳି ଏକ ଅଭିଯୋଗ ଆସିଛି ଜଳେଶ୍ୱର ବ୍ଲକ ଆରୁହା ପଂଚାୟତର ଚକଅର୍ଜୁନୀ ଗ୍ରାମରେ ।
ଉକ୍ତ ଗ୍ରାମରେ ରହନ୍ତି ଜ୍ୟୋତ୍ସ୍ନାରାଣୀ ଦାସ ଓ ସ୍ୱାମୀ ପ୍ରଫୁଲ୍ଲ ଦାସ । ୧୭ ବର୍ଷ ପୂର୍ବରୁ ପ୍ରଫୁଲ୍ଲଙ୍କ ମୁଣ୍ଡ ଖରାପ ହୋଇଯାଇଥିବାରୁ ସେ ଘରଛାଡ଼ି କୁଆଡ଼େ ପଳାଇ ଯାଇଛନ୍ତି । ନାମକୁ ମାତ୍ର ଜମିବାଡ଼ି ରହିଛି ହେଲେ ପର ଘରେ ମୂଲ ଲାଗି ନିଜ ପରବାରର ପ୍ରତିପୋଷଣ କରନ୍ତି ଜ୍ୟୋତ୍ସ୍ନାରାଣି । ଘର ଖଣ୍ଡକ ପାଇଁ ସରପଂଚଙ୍କୁ ବାରମ୍ବାର କହିଥିଲେ । ତାଲିକାରେ ମଧ୍ୟ ତାଙ୍କର ନାମ ରହିଥିଲା । ସରପଂଚ କହିଲେ ଯେ, କିଛିଦିନ ଅପେକ୍ଷା କର ଆମେ ତୁମ କଥା ବୁଝିଦେବୁ । ମାତ୍ର ଏ ପର୍ଯ୍ୟନ୍ତ ଘର ନ ମିଳିବାରୁ ସେ ଜଳେଶ୍ୱର ବ୍ଲକ ଅଫିସ ଆସି ଦେଖନ୍ତି ଯେ,୨୦୧୭ ମସିହାରେ ତାଙ୍କର ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଏସିସି ତାଲିକା ଅନୁଯାୟୀ ନିର୍ମାଣ ହୋଇସାରିଛି । ଏ ବାବଦକୁ ୧ ଲକ୍ଷ ୨୦ ହଜାର ଟଙ୍କା ୪ଟା କିସ୍ତିରେ ମଧ୍ୟ ଉଠାସରିଛି । ତାଙ୍କ ନାମରେ ଥିବା ଘର କିଏ ହଡ଼ପ କଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ତୁରନ୍ତ ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ଜ୍ୟୋତ୍ସ୍ନାରାଣି । ଉକ୍ତ ଘଟଣା ବିଷୟରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫୁଲମଣି ହାଁସଦା କହନ୍ତି ଯେ, ଏବିଷୟରେ ମୁଁ କିଛି ଜାଣିନାହିଁ । ଜଳେଶ୍ୱର ବ୍ଲକ ବିଡିଓ ନିତ୍ୟାନନ୍ଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ବର୍ତ୍ତମାନ ମୁଁ ଜାଣିଲି ତଦନ୍ତ କରାଯାଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ । ଏଠାରେ ପ୍ରକାଶଯୋଗ୍ୟ ଯେ, ସେହି ଗ୍ରାମର ଜ୍ୟୋତ୍ସ୍ନାରାଣି ଦେ ସ୍ୱାମୀ ଅରବିନ୍ଦ ଦେଙ୍କ ଏସିସି ତାଲିକାରେ କୈାଣସି ରେକର୍ଡ଼ ନଥାଇ ତାଙ୍କ ଗୃହ ନିର୍ମାଣ ସରିଛି । ଏଥିରୁ ଜଣାପଡ଼ୁଛି ଯେ ସରପଂଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭିତିରିଆ ସମ୍ପର୍କ ଯୋଗୁଁ ଏଭଳି ଅନ୍ୟାୟ କରାଯାଇଛି ଜ୍ୟୋତ୍ସ୍ନାରାଣୀ ଦାସଙ୍କ ପ୍ରତି ।

ସେଆର କରନ୍ତୁ:



Powered by odothemes.com