bjd-press-meet-(2)

ପ୍ରତିଶ୍ରୁତି ନୁହେଁ, ପ୍ରତାରଣା ସମାବେଶ

14

ବିଜେପି ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର, ୧୦ ।୨ (ବୁ୍ୟରୋ): ବିଜେପିର ପ୍ରତିଶ୍ରୁତି ସମାବେଶକୁ ନେଇ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ୨୦୧୪ରେ ଏନ୍ଡିଏ ନେତୃତ୍ୱାଧୀନ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ଏବେ ସମାବେଶ କରୁଛି । ବିଜେପି ପ୍ରତିଶ୍ରୁତି ସମାବେଶ କରିନି, ବରଂ ପୁଣିଥରେ ପ୍ରତାରଣା ଓ ପ୍ରହେଳିକା ସମାବେଶ କରିଛି । ପ୍ରଥମେ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ପ୍ରଶ୍ନ କରିଛି । ବିଜେପି ବାସ୍ତବରେ ଭାରତୀୟ ଜୁମ୍‌ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ । ମିଥ୍ୟା ପ୍ରଚାର କରିବା, ଜୁମ୍‌ଲା କରିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ଅନେକ ଅପଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା ଓ ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ସଞ୍ଜୟ ଦାସବର୍ମା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରଥମ ପୃଷ୍ଠାର ପ୍ରଥମ ନମ୍ବରରେ ଉଲ୍ଲେଖ କରିଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ । ୫ବର୍ଷ ବିତିଗଲେ ହେଁ ଏବଂ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଏ ସଂପର୍କରେ ବିଜେପି ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରତିବର୍ଷ ୨ କୋଟି ଚାକିରି ଭାରତବର୍ଷରେ ସେମାନେ ପ୍ରଦାନ କରିବେ । ଏହା ଅନୁଯାୟୀ ୫ ବର୍ଷରେ ୧୦ କୋଟି ଚାକିରି ଓ ସମାନ ଅନୁପାତରେ ଓଡ଼ିଶା ପାଇଁ ୩୬ଲକ୍ଷ ଚାକିରି ପ୍ରଦାନ କରିବା ତ ଦୂରର କଥା, ହଜାରେ ଚାକିରି ଦେଇପାରିଲେ ନାହିଁ । ଅପରପକ୍ଷରେ, ଗତବର୍ଷ ମଧ୍ୟରେ ଭାରତବର୍ଷରେ ୧ କୋଟିରୁ ଅଧିକ ଚାକିରି ସୁଯୋଗ ଦେଶ ହରାଇଛି ବୋଲି ସିଏମ୍‌ଆଇଇ ସଂସ୍ଥା ଦ୍ୱାରା ଏକ ରିପୋର୍ଟରେ ଦର୍ଶାଯାଇଛି । ଓଡ଼ିଶାର ଯୁବକଯୁବତୀଙ୍କ ସହିତ ଏହା ଏକ ପ୍ରତାରଣା ଏବଂ ପୁଣିଥରେ ୨୦୧୯ ନିର୍ବାଚନରେ ନିଯୁକ୍ତି ସୁଯୋଗ ବିଷୟରେ ଦୃଢ଼ୋକ୍ତି ପ୍ରକାଶ କରିବା ବିଜେପିର ନୂଆ ଚକ୍ରାନ୍ତ । ସେହିଭଳି ସରକାରକୁ ଆସିଲେ ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବ । ୧୫ଲକ୍ଷ ଟଙ୍କା ତ ଦୂରର କଥା, ବିମୁଦ୍ରାକରଣ ଯୋଗୁ ଲୋକେ ହଟହଟା ହେଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିଲାବେଳେ ଏହାକୁ କେବଳ ୨୦୦ ଟଙ୍କା ବୃଦ୍ଧି କରି ୧୭୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ କେନ୍ଦ୍ର ସରକାର ପହଞ୍ଚାଇଥିଲେ, ଯାହାକି ସର୍ବନିମ୍ନ ମୂଲ୍ୟର ଦେଢ଼ ଗୁଣ ତ ବହୁତ ଦୂରର କଥା, ତା’ର ୧୫% ଭାଗ ମଧ୍ୟ ନୁହେଁ । ମହାନଦୀ, ପୋଲାଭରମ୍‌, କୋଷ୍ଟାଲ୍‌ ହାଇୱେ, ୩୩ଟି ଯୋଜନାର ଅର୍ଥକାଟ, ୮ଟି ଯୋଜନାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବା ବିଜେପିର ପ୍ରତାରଣା । ବିଆରଜିଏଫ୍‌, କେବିକେ, ଆଇଏପି ଭଳି ବିଭିନ୍ନ ଯୋଜନାଗୁଡିକ ଯାହା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କୁ ବିକଶିିତ କରୁଥିଲା, ତାହାକୁ ମଧ୍ୟ ବିଜେପି ସରକାର ବନ୍ଦ କରିଦେଲେ । କୋଇଲା ବ୍ଲକ ନିଲାମ କ୍ଷେତ୍ରରେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶା କେବଳ ୩୭୦ କୋଟି ଟଙ୍କା ପାଇଛି । ରେଳବାଇ କ୍ଷେତ୍ରରେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ସରକାର ଓଡ଼ିଶା ଠାରୁ ଆଦାୟ କରୁଥିବା ବେଳେ କେବଳ ୨ ହଜାର କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରୁଛି । ଏହାବ୍ୟତୀତ ଓଡ଼ିଶାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇଣ୍ଡଷ୍ଟି୍ରଆଲ୍‌ କରିଡରରୁ ବଞ୍ଚôତ କରିବା, ସ୍ୱାମୀନାଥନ୍‌ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲା ଠାରେ ଇସ୍ପାତ ମେଡିକାଲ୍‌କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‌ କଲେଜ୍‌ରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ଜେନା ଓ ଦାସବର୍ମା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com