POLO-NAHLELE-VOTE-BARJAN,-JHUMPURA

ପୋଲ ନହେଲେ ଭୋଟ ବର୍ଜନ

33

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀଙ୍କ ଚେତାବନୀ
ଝୁମ୍ପୁରା(ଆପ୍ର): ପୋଲ ନିର୍ମାଣ ନହେଲେ ଭୋଟ ବର୍ଜନ କରାଯିବ ଓ କୌଣସି ନେତାଙ୍କୁ ଗାଁରେ ପଶିବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କେନ୍ଦୁଘାଟି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ପଞ୍ଚାୟତରେ ରହିଛି ଆଦିବାସୀ ଅଧ୍ୟୁଷିତ କେନ୍ଦୁଘାଟି । ୧ ଓ ୨ନଂ ୱାର୍ଡକୁ ନେଇ ଗ୍ରାମ ଗଠିତ । ଗ୍ରାମର ଉଭୟ ପାଶ୍ୱର୍କୁ ଘେରିିଛି ବୈତରଣୀ ଏବଂ ମଣନ୍ଦା ନଦୀ । ଅନ୍ୟ ପାଶ୍ୱର୍ରେ ରହିଛି ବିସ୍ତୃତ ଜଙ୍ଗଲ ସାଙ୍ଗକୁ ମରୟର ନାଚୁଣୀ ପାହାଡ଼ । ଗ୍ରାମର ଲୋକ ସଂଖ୍ୟା ୮୦୦ ଏବଂ ଭୋଟର ସଂଖ୍ୟା ୫୦୦ରୁ ଅଧିକ । ଗ୍ରାମରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର । ଚାଷ ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରିବଟା ଗ୍ରାମବାସୀଙ୍କ ପେଷା । ସ୍ୱାସ୍ଥ୍ୟସେବା ଏଠାରେ ଅପହଞ୍ଚ, ଗାଁକୁ ରାସ୍ତା ନାହିଁ । ସରକାରୀ ବାବୁମାନଙ୍କ ପାଦ କେବେ ହେଲେ ପଡେ ନାହିଁ ବୋଲି କହିଛନ୍ତି ଗୋବିନ୍ଦ ଦେହୁରୀ, ମକରଧ୍ୱଜ ଗିରି, ବାବାଜୀ ବାରିକ, ଭଗବାନ ଦେହୁରୀ, ସନ୍ତୋଷ ବାରିକ, ଦେବାନନ୍ଦ ଦେହୁରୀ ପ୍ରମୁଖ ।
ବର୍ଷା ଦିନରେ ନଦୀ ଦ୍ୱୟର ଜଳ ସ୍ରୋତ ବୃଦ୍ଧି ପାଉଥିବାରୁ କେନ୍ଦୁଘାଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ । ସେହି ସମୟରେ ପିଡିଏସ ସହିତ ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ଗାଁରେ ପହଞ୍ଚେ ନାହିଁ । ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହେ । ରୋଗ ବଇରାଗ ହେଲେ ଦୂର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଥାଏ । ପାଣି କମିଲେ ଦେଶୀ ଡଙ୍ଗା ଭରସା, ବିପଦଶଙ୍କୁଳ ଭାବେ ଦେଶୀ ଡଙ୍ଗାରେ ଗ୍ରାମବାସୀ ନଦୀ ପାର ହୋଇ ଝୁମ୍ପୁରା ବ୍ଲକ ଅନ୍ତର୍ଗତ କାଶିଆ ଗ୍ରାମ ପଟକୁ ଆସିଥାନ୍ତି । ଅନେକ ସମୟରେ ସ୍ରୋତରେ ଜିନିଷ ପତ୍ର ଭାସିଯିବା ସହିତ ମୃତାହତର ବହୁ ନଜିର ରହିଛି । ଖରାଦିନେ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ନଦୀ ଭିତରେ ହୁ୍ୟମ ପାଇପ ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥାନ୍ତି । ସମସ୍ୟା ଜର୍ଜରିତ ଗ୍ରାମବାସୀ ବର୍ଷବର୍ଷ ହେଲା କାଶିଆ ଗ୍ରାମ ପଟକୁ ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି । ହେଲେ ମିଳୁଛି ଖାଲି ମିଛ ପ୍ରତିଶ୍ରୁତି । ପ୍ରଶାସନିକ ଓ ରାଜନୈତିକ ଅବହେଳାରୁ ଅତିଷ୍ଠ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ବାଂଶପାଳ ବ୍ଲକରେ ଗତ ୧୧ରେ ଚାଲିଥିବା ଅଭିଯୋଗ ଶୁଣାଣି ବେଳେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଏନେଇ ବାଂଶପାଳ ବିଡିଓଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ । ତେବେ ବୈତରଣୀ ଉପରେ ପୋଲ ନିର୍ମାଣ ଲାଗି ଅନୁଦାନ ମିଳିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା । କିନ୍ତୁ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ କହିଲେ, ଟେଣ୍ଡର ଉପରେ ହାଇକୋର୍ଟରେ ମାମଲା ଚାଲିଛି ତେଣୁ ପୋଲ ନିର୍ମାଣ ସ୍ଥଗିତ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com