naxal02

ପୋଲିଂ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା

12

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ
ଫୁଲବାଣୀ,୧୭ା୪(ବୁ୍ୟରୋ): ନିର୍ବାଚନ ଅବାଧ ଓ ସୁରକ୍ଷିତ ରହିବ ବୋଲି ପ୍ରଶାସନ ଯେଉଁ ଦମ୍ଭର ସହ କହିଥିଲା ତାହା ଫସର ଫାଟି ଯାଇଛି । ମତଦାନର ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ଦେଖାଇଛନ୍ତି ସେମାନଙ୍କ ଶକ୍ତି । ଘଟାଇଛନ୍ତି ବର୍ବରକାଣ୍ଡ । ସେକ୍ଟର ଟିମର ଜଣେ ମହିଳା ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ପୋଲିଂ ଟିମର ୨ଟି ଗାଡି ପୋଡିବା ସହ ଇଭିଏମ ଲୁଟ୍ କରିନେଇଛନ୍ତି । ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ । ମଙ୍ଗଳବାର ଏସ୍ପି ପ୍ରତୀକ୍ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଅବାଧ ଓ ସୁରକ୍ଷିତ ମତଦାନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିବାର ୨୪ ଘଣ୍ଟା ନପୁରୁଣୁ ମାଓବାଦୀମାନେ ଆଜି ଏଭଳି ଲଙ୍କାକାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ରାତି ପାହିଲେ ଭୋଟ୍, ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀ ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା । ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ତଥା ଅଧିକାରୀ ନିଜ ନିଜ ପୋଲିଂ ବୁଥକୁ ଯାଉଥିଲେ । ଏପରିସ୍ଥଳେ ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲପଡ଼ାର ବାରାହାଲ ପାଖ ରାସ୍ତାରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି । ଲାଣ୍ଡମାଇନ ବିସ୍ଫୋରଣ କରି ପୋଲିଂ ପାର୍ଟି ଗାଡି ଉଡାଇଦେବାର ଚେଷ୍ଟାରେ ବିଫଳ ହେବା ପରେ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ଜଣେ ମହିଳା ପୋଲିଂ କର୍ମଚାରୀ ନିହତ ହୋଇଛନ୍ତି । ସେ ହେଉଛନ୍ତି ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲ୍ । ବୋଲେରୋ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅନ୍ୟ ୩ ଜଣ ମୃତୁ୍ୟମୁଖରୁ ବର୍ତ୍ତିଯାଇଥିବା ଅତିରିକ୍ତ ସେକ୍ଟର ଅଫିସର ପ୍ରକାଶ ଦାସ କହିଛନ୍ତି । ପ୍ରକାଶ ଏହି ଗାଡିରେ ଯାଉଥିଲେ । ବାରାହାଲ ନିକଟରେ ଏକ ପୋଲ ପୂର୍ବରୁ ରାସ୍ତାରେ ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ସମଗ୍ର ଅଞ୍ଚଳ ଧୂଳି ଓ ଧୂଆଁମୟ ହୋଇଯାଇଥିଲା । ସୌଭାଗ୍ୟବଶତଃ ଗାଡିଟି ମାତ୍ର ୨ ଫୁଟ୍ ପୂର୍ବରୁ ଅଟକି ଯାଇଥିବାରୁ ଏହି ବିସ୍ଫୋରଣ ଯୋଗୁଁ କୌଣସି କ୍ଷତି ଘଟିନଥିଲା । ବୋଲେରୋ ଚାଳକ ଗାଡିଟିକୁ ବୁଲାଇ ଫେରୁଥିବାବେଳେ ସେଠାରେ ଲୁଚି ରହିଥିବା ମାଓବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ବୋଲେରୋର କାଚ ଝରକା ଫୁଟି ସଂଯୁକ୍ତଙ୍କ ମୁଣ୍ଡରେ ବାଜିଥିଲା । ଯାହା ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ପରେ ଗାଡ଼ି ଚାଳକ ସିଧା ଗୋଚ୍ଛାପଡ଼ା ମେଡ଼ିକାଲକୁ ଆଣିଥିଲେ । ସେଠାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଥାଉକି ଫିରିଙ୍ଗିଆରୁ ଏକ ବୋଲୋର ଗାଡ଼ି (ନଂ ଓଡ଼ି୦୨ଏ.ଆର-୩୧୨୧)ରେ ପୋଲିଂ ସୁପରଭାଇଜର ତଥା ଲୁଇସଂହ ଜିଆର୍ଏସ ସଂଯୁକ୍ତା ଦିଗାଲ, ଲୁଇସିଂହ ପଞ୍ଚାୟତ ନିର୍ବାହୀ ଅଧିକରୀ ପ୍ରକାଶ ଦାସଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ତଥା ଗାଡ଼ି ଚାଳକ ବାରାହାଲ ପୋଲିଂ ବୁଥକୁ ଯାଉଥିବାବେଳେ ଏଭଳି ଘଟଣା ଘଟିଥିଲା । ଖବର ପ୍ରଚାର ହେବା ପରେ ଜିଆର୍ଏସ ସଂଘର କର୍ମକର୍ତ୍ତା ତଥା ସଂଯୁକ୍ତାଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚôଥିଲେ । ମେଡ଼ିକାଲ ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସଂଘ ପକ୍ଷରୁ ମୃତ ସଂଯୁକ୍ତଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି ହୋଇଛି ।
ସେହିପରି ଅନ୍ୟ ଏକ ଘଟଣାରେ ଫିରିଙ୍ଗିଆ ଥାନା ଅର୍ନ୍ତଗତ ସାଡ଼ିଙ୍ଗିଆ ପଞ୍ଚାୟତରେ ଉପରୋକ୍ତ ଘଟଣା ଘଟିବାର କିଛି ସମୟ ପୂର୍ବରୁ ଘଟିଥିଲା । ସାଡ଼ିଙ୍ଗିଆ ଅଞ୍ଚଳର ସୁମେରୁବନ୍ଧ ମିଙ୍ଗୁନିପଦର ରାସ୍ତାର ରିିବିଲଦା ଘାଟିରେ ପୋଲିଂ କର୍ମଚାରୀମାନେ ଇଭିଏମ୍ ଓ ଭିଭିପାଟ ମେସିନ ନେଇ ବୁଥ୍କୁ ଦୁଇଟି ବୋଲୋର ଓ ଗୋଟିଏ ବାଇକ୍ରେ ଯାଉଥିଲେ । ମାଓବାଦୀମାନେ ପୋଲିଂ ପାର୍ଟି ଗାଡିକୁ ଅଟକାଇ ସେମାନଙ୍କୁ ଗାଡିରୁ ଓହ୍ଲାଇଦେଇଥିଲେ । ପରେ ସେମାନେ ଇଭିଏମ୍ ଲୁଟିନେବା ସହ ଦୁଇଟି ଗାଡ଼ି ଓ ଏକ ବାଇକ୍କୁ ପୋଡ଼ି ଦେଇଛନ୍ତି । ଏହି ଘଟଣା ପୂର୍ବାହ୍ନ ୧୧ଟାରେ ଘଟିଛି । ପୋଲିଂ ପାର୍ଟିର କର୍ମଚାରୀମାନେ ଜୀବନ ବିକଳରେ ୫ କିଲୋମିଟର ଚାଲି ଚାଲି ସୁରକ୍ଷିତଭାବେ ସାଡ଼ିଙ୍ଗିଆରେ ପହଞ୍ଚିଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିବା କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ଏହି ଦୁଇଟି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରାଯାଇଛି । ଏପରିକି କିଛି ଲୋକ ଭୟରେ ଗାଁ ଛାଡ଼ି ଚାଲିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାର ଉକ୍ତ ଅଞ୍ଚଳରେ ଗତ ୩ ଦିନ ପୂର୍ବରୁ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ଲୋକମାନଙ୍କୁ ନିର୍ବାଚନ ବର୍ଜନ ପାଇଁ ଆହ୍ୱାନ ଦେଇଥିଲେ । ଫଳରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏହାସତ୍ତ୍ୱେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିବା ଭଳି ଘଟଣା ଘଟିଲା ।

ସେଆର କରନ୍ତୁ:



Powered by odothemes.com