Baliguda-pokhari

ପୋଖରୀ ନା ଆବର୍ଜନା କୁଣ୍ଡ, ଭାସୁଛି ମଢ଼

128

ପ୍ରଶ୍ନ ଘେରରେ ଏନ୍ଏସିର ସ୍ୱଚ୍ଛତା
ବାଲିଗୁଡ଼ା (ଆପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ୧୩ଟି ୱାର୍ଡକୁ ବିଜ୍ଞାପିତ ପରିଷଦରେ ସାମିଲ୍ କରିବା ପରେ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ସହରର ଉନ୍ନତି ସହ ବାସିନ୍ଦାଙ୍କର ଉନ୍ନତି ହେବ ବୋଲି ଲୋକମାନେ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ପାନୀୟ ଜଳ ଠାରୁ ଆରମ୍ଭ କରି ସହରର ସ୍ୱଚ୍ଚତା ଓ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ନିଶ୍ଚିତ ହୋଇ ଖୁସି ଅନୁଭବ କରୁଥିଲେ । ମାତ୍ର ଏହାର ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଲା । ବିଜ୍ଞାପତି ଅଞ୍ଚଳର ରାସ୍ତା ଘାଟ ହେଉ କି ସଫେଇ କୁହନ୍ତୁ । ପାନୀୟ ଜଳ କୁହନ୍ତୁ ଅଥବା ପୋଖରୀ ସଫେଇ ହେଉ । ଏପର୍ଯ୍ୟନ୍ତ କିଛି ବି ହୋଇ ନାହିଁ । ତେଣୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏବେ ଅସନ୍ତୋଷ ବସା ବାନ୍ଧିଥିବା ଶୁଣିବାକୁ ମିଳିଛି । ଏକଦା ଆଦର୍ଶ ପୋଖରୀର ମାନ୍ୟନା ପାଇଥିବା ପୋଖରୀ ଆଜି ରକ୍ଷଣାବେକ୍ଷଣ ଅଭାବରୁ ଅଳିଆ ଅବର୍ଜନା କୁଣ୍ଡରେ ପରିଣତ ହୋଇଛି । ଏପରିକି କିଛି ଦୂରରୁ ଦେଖିଲେ ଏହା ଏକ ଗୋଚାରଣ ଭୂମିର ଭ୍ରମ ସୃଷ୍ଟି କରୁଛି । ଦ୍ୱୀପ ତଳ ଅନ୍ଧାର ଭଳି ବସଷ୍ଟାଣ୍ଡ ନିକଟରେ ରହିଥିବା ଏହି ପୋଖରୀର ଦୂରାବସ୍ତା ଦେଖି ସ୍ଥାନୀୟ ବାସୀନ୍ଦାକୁ ବ୍ୟଥିତ କରୁଛି । ଏହି ପୋଖରୀଟି ତଳିଆ ଅଞ୍ଚଳରେ ରହିଥିବାରୁ ବଜାର ଓ ବସଷ୍ଟାଣ୍ଡରୁ ନିର୍ଗତ ଆବର୍ଜନା ପାଣି ସମେତ ପ୍ଲାଷ୍ଟିକ ବୋତଲ, ପଲିଥିନ୍, ହୋଟେଲରୁ ନିର୍ଗତ ଦୂଷିତ ଆବର୍ଜନା ପାଣି ପୋଖରୀରେ ପଡ଼ୁଛି । ଅଳିଆ ଆବର୍ଜନା ପଡ଼ି ପୋଖରୀଟି ଆସ୍ତେଆସ୍ତେ ପୋତିହୋଇ ଆସୁଥିବା ବେଳେ ଛୋଟଛୋଟ ଲଟାରେ ପୋଖରୀଟି ଭରି ହୋଇଗଲାଣି । ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣ ଅଭାବରୁ ଆଦର୍ଶ ପୋଖରୀ ଜଳ ଏବେ ପାଲଟିଛି ଜହର । ଆଗକୁ ଗ୍ରୀଷ୍ମଋତୁ ଆସୁଛି । ଜଳକଷ୍ଟର ଆଶଙ୍କା ବେଶ୍ ରହିଛି । ସେଥିପାଇଁ ବେଳରୁ ପ୍ରତିକାର ପାଇଁ ଦାବି ହେଉଛି । ପୂର୍ବରୁ ଏହି ଜଳକଷ୍ଟ ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଶ୍ରମଦାନ କରି ଏହି ପୋଖରୀଟି ନିର୍ମାଣ କରାଯାଇଥିଲା । ତକ୍ରାଳୀନ ଉପଜିଲ୍ଲାପାଳ ବାଲିଗୁଡ଼ାକୁ ସବୁଜ ସୁନ୍ଦର ସହରରେ ପରିଣତ କରିବାକୁ ପ୍ରଚେଷ୍ଟା କରିଥିଲେ । ପୋଖରୀ ହୁଡ଼ାରେ ନଡ଼ିଆ ଗଛ, ଫୁଲ ଚାରା ଭଳି ବିଭିନ୍ନ କିସମର ଚାରାରୋପଣ କରିଥିଲେ । କିନ୍ତୁ ବର୍ତ୍ତମାନ ସେସବୁ ଦେଖିବାକୁ ମିଳୁନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଗଛଗୁଡ଼ିକ ଧ୍ୱଂଶ ପାଇଛି । ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିମାନଙ୍କ ଇଛାଶକ୍ତିର ଅଭାବ ଯୋଗୁ ଏହି ୬୦ବର୍ଷର ଐତିହାସିକ ପୋଖରୀଟି ଆବର୍ଜନା କୁଣ୍ଡରେ ପରିଣତ ହେବା ସହ ଗାଈଗୋରୁଙ୍କ ମଢ଼ ଭାସୁଥିବା ଦେଖିବାକୁ ମିଳୁଛି । ତେବେ ଏପି୍ରଲ ୧ତାରିଖରୁ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ବହୁ ଭକ୍ତଙ୍କ ସମାଗମ ହେବ । ତେଣୁ ଦଣ୍ଡଯାତ୍ରାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ଏହି ପୋଖରୀର ପୁନରୁଦ୍ଧାର କରିବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com