ପୁଣି ୩ ଶିଶୁ ଆଖିବୁଜିଲେ

32

ଶିଶୁ ଭବନରେ ମନ୍ତ୍ରୀଙ୍କ ସମୀକ୍ଷା ବୈଷୟିକ କମିଟିର ତଦନ୍ତ ଆରମ୍ଭ
କଟକ,୨୬ା୮(ବୁ୍ୟରୋ): କଟକସ୍ଥିତ ସର୍ଦ୍ଧାର ବଲ୍ଲବଭାଇ ପଟେଲ୍ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ପେଡିଆଟ୍ରିକ୍ସ (ଶିଶୁ ଭବନ)ରେ ଆଜି ଆଉ ୩ ଜଣ ନବଜାତଙ୍କ ମୃତୁ୍ୟ ଘଟିଛି । ଫଳରେ ସପ୍ତାହେ ଧରି ଚର୍ଚ୍ଚାରେ ଥିବା ଶିଶୁ ଭବନରେ ଶିଶୁ ମୃତୁ୍ୟ ସଂଖ୍ୟା ୩୧ରେ ପହଞ୍ଚିଛି । ଆଜି ମୃତୁ୍ୟବରଣ କରିଥିବା ଶିଶୁମାନେ ହେଲେ- ଅନୁଗୁଳ ଜିଲ୍ଲା ବଳରାମ ପ୍ରସାଦ, ପୁରୀ ଓ ଖୋର୍ଦ୍ଧାରୁ ଆସିଥିବା ମହିଳାଙ୍କ ନବଜାତ ଶିଶୁ । ଅପରପକ୍ଷରେ ଶିଶୁ ମୃତୁ୍ୟକୁ କେନ୍ଦ୍ର କରି ବିଧାନସଭାରେ ଓ ବାହାରେ ଆଲୋଡନ ସୃଷ୍ଟି ହୋଇଥିଲାବେଳେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଶିଶୁ ଭବନରେ ପହଞ୍ଚି ପରିସ୍ଥିତି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଶିଶୁ ରୋଗୀଙ୍କ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । କେତେକ ଅବ୍ୟବସ୍ଥା ଦେଖି ସେ କର୍ତ୍ତୃପକ୍ଷଙ୍କୁ ତାଗିଦ୍ ମଧ୍ୟ କରିଥିଲେ ।  ସେପଟେ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆଜି ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଧେଶକ (ଡିଏମ୍ଇଟି) ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଷୟିକ କମିଟିର ସଦସ୍ୟମାନେ ଶିଶୁ ଭବନରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ବିଭିନ୍ନ ୱାର୍ଡ, ଆଇସିୟୁ ବୁଲି ଦେଖିବା ପରେ ଶିଶୁ ଭବନର ବିଭିନ୍ନ ରେଜିଷ୍ଟର ଯାଞ୍ଚ କରିଥିଲେ । ଗତ ୭ ଦିନ ମଧ୍ୟରେ କେଉଁ ପ୍ରସୂତି ମହିଳା ବା ରୁଗ୍ଣ ଶିଶୁ ହସ୍ପିଟାଲକୁ ଆସିଥିଲେ, ସେମାନଙ୍କ ଚିକିତ୍ସା ଦାୟିତ୍ୱରେ କେଉଁ ଡାକ୍ତର ଓ ନର୍ସ ଥିଲେ, ଏସବୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ବୈଷୟିକ କମିଟିରେ ଯାଇଥିବା ଏସ୍ସିବି ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ କହିଛନ୍ତି, ଶିଶୁ ମୃତୁ୍ୟର କାରଣ ସମେତ ଶିଶୁ ଭବନର ଅଭାବ ଅସୁବିଧା ସମ୍ପର୍କିତ ବାସ୍ତବ ତଥ୍ୟ ତଦନ୍ତ ରିପୋର୍ଟରେ ସ୍ଥାନ ପାଇବ ।
ଶିଶୁ ଭବନର ଆଭ୍ୟନ୍ତରୀଣ ତଦନ୍ତ ଅନୁସାରେ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଶିଶୁଙ୍କ ମୃତୁ୍ୟହାର ବଢିଥିବା ଦର୍ଶାଇଯାଇଛି । ଏଥିସହ ଏସ୍ସିବି ମେଡିକାଲ କଲେଜର ଶିଶୁ ଚିକିତ୍ସା ବିଭାଗ ଏଠାକୁ ସ୍ଥାନାନ୍ତର ହେବା ପରେ ମୃତୁ୍ୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଗ୍ରାମାଞ୍ଚଳରୁ ରୋଗୀଙ୍କୁ ଆଣି ଏଠାରେ ଭର୍ତ୍ତି କରାଯାଉଛି, ଫଳରେ ଚିକିତ୍ସା ଆରମ୍ଭ ହେଉହେଉ ଶିଶୁଙ୍କ ମୃତୁ୍ୟ ଘଟୁଛି ବୋଲି ସରକାରଙ୍କ ଠାରେ ପ୍ରଦତ୍ତ ରିପୋର୍ଟରେ କୁହାଯାଇଛି । ଶିଶୁ ଭବନରେ ଶିଶୁଙ୍କ ମୃତୁ୍ୟ ଘଟଣାରେ ତଦନ୍ତ ପାଇଁ ଗତକାଲି ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଧେଶ ଦେବା ପରେ ତତ୍କ୍ଷଣାତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ସିଡିଏମ୍ଓ ଡାକ୍ତର ପ୍ରଫୁଲ୍ଲ ବେହେରାଙ୍କ ନିର୍ଦ୍ଧେଶକ୍ରମେ ୨ଜଣ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଓ ଜଣେ ଶିଶୁରୋଗ ବିଶେଷଜ୍ଞ ସର୍ଜମିନ ତଦନ୍ତ କରି ଆଜି ସିଡିଏମ୍ଓଙ୍କୁ ମଧ୍ୟାହ୍ନ ୧୨ଟାରେ ରିପୋର୍ଟ ଦେଇଥିଲେ । ସିଡିଏମ୍ଓ ତାହାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିକଟକୁ ପଠାଇଛନ୍ତି । ମୁଖ୍ୟତଃ ଗ୍ରାମାଞ୍ଚଳରୁ ଗୁରୁତର ଅବସ୍ଥାରେ ଆସୁଥିବା ଶିଶୁମାନେ ହିଁ ମୃତୁ୍ୟବରଣ କରିଥିବା କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com