ପରଲୋକରେ ଦିନନାଥ ପାଠୀ

59

ଓଡ଼ିଶା ତଥା ଭାରତର ପ୍ରଖ୍ୟାତ ଚିତ୍ରଶିଳ୍ପୀ ଦିନନାଥ ପାଠୀ ଆଉ ନାହାନ୍ତି । ନୀରବୀ ଯାଇଛି ତାଙ୍କର ଦଶନ୍ଧି ଦଶନ୍ଧିର ନୂଆ ପୁରୁଣା କାନ୍ଭାସ୍, ରଙ୍ଗ ଓ ତୂଳୀ । ନାନ୍ଦନିକତାର ସମସ୍ତ ବିଭାବରେ ତାଙ୍କର ବିସ୍ଫାରିତ ବ୍ୟକ୍ତିତ୍ୱ ଏକାନ୍ତରେ ନିମଜ୍ଜି ଯାଇଛି କେବଳ ଗୋଟିଏ ଅନ୍ୱେଷଣ ପାଇଁ- ତାହାହେଲା ଚରମ ଆନନ୍ଦର ଉପଲବ୍ଧି । କେବଳ ଚିତ୍ରଶିଳ୍ପୀ ନୁହନ୍ତି, କଳା ତତ୍ତ୍ୱର ବ୍ୟାଖ୍ୟାକାର, କବି, ଔପନ୍ୟାସିକ, ଅନୁବାଦକ ଭାବରେ ସେ ସୃଜନଶୀଳତାର ଶ୍ରେଷ୍ଠ ଶିହରଣକୁ ଉପଲବ୍ଧ କରିବାରେ ଜଣେ ଅନନ୍ୟ ପ୍ରତିଭା । ଦିଗପହଣ୍ଡିର ଝାଟିମାଟି ଚାଳ ଘରୁ ଆରମ୍ଭ ହୋଇଥିବା ତାଙ୍କର ଯାତ୍ରା ଓଡ଼ିଶାର କଳାର ବଳୟ ଭିତରେ ସୀମିତ ନଥିଲା ବରଂ ଉକ୍ରୃଷ୍ଟ କଳାର ଦେଶ ଓଡ଼ିଶା ଓ ତା’ର ଉକ୍ରଳିୟତାର ନିଷ୍କର୍ଷକୁ ସେ ଭାରତର ବିଭିନ୍ନ ସହର ତଥା ଭାରତ ବାହାରେ ବିଭିନ୍ନ ଦେଶରେ ପ୍ରତିଷ୍ଠିତ କରାଇବାରେ ଏକାକୀ ଓ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶୀ ନୃତ୍ୟ, ଗୀତ, ସଂଗୀତ ଓ କଳା ମଧ୍ୟରେ ଥିବା ସୂକ୍ଷ୍ମ ସମ୍ପର୍କକୁ ଇଂଲଣ୍ଡ, ଆମେରିକା, ଇଟାଲି, ଫ୍ରାନ୍ସ, ଅଷ୍ଟ୍ରେଲିଆ, ସୁଇଜର୍ଲ୍ୟାଣ୍ଡ, ଜାପାନ, ଋଷିଆ, ରୋମ୍, ଫିଲିପାଇନ୍ସ, କ୍ୱାଲାଲମ୍ପୁର, ସିଙ୍ଗାପୁରର ବିଭିନ୍ନ ସହରରେ ଗତ ତିନି ଦଶନ୍ଧି ଧରି ବାରମ୍ବାର ପ୍ରଦର୍ଶିତ କରାଇ ଓଡ଼ିଶାକୁ ଅନନ୍ୟ ଗୌରବ ଆଣିବାରେ ସକ୍ଷମ ହୋଇଥିଲେ । ଏତଦ୍ ସହିତ ଓଡ଼ିଶାର ବରିଷ୍ଠ ଓ କନିଷ୍ଠ କଳାକାରମାନଙ୍କୁ ନେଇ ସେ ଦିଲ୍ଲୀ, ବମ୍ବେ, ପୁନେ, କଲିକତା, ମାଦ୍ରାସ୍, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଭୋପାଳ ଇତ୍ୟାଦି ସହରଗୁଡ଼ିକରେ ଚିତ୍ରକଳାର ପ୍ରଦର୍ଶନୀ କରାଇ କଳାକାରମାନଙ୍କୁ ଉତ୍ସାହିତ କରିଛନ୍ତି । ଓଡ଼ିଶାରେ ଯେତେବେଳେ ଡ୍ରଇଂ ମାଷ୍ଟର୍ ବା କଳା ଶିକ୍ଷକମାନଙ୍କର ପରିଚିତି ଓ ସ୍ୱୀକୃତି ନଥିଲା, ସେତେବେଳେ ଡକ୍ଟର ପାଠୀ ୱାର୍କିଂ ଆର୍ଟିଷ୍ଟ୍ ଆସୋସିଏସନ୍ (ଡବ୍ଲୁ୍ୟଏଏ), ଶିଳ୍ପୀ ସଂସଦ ପ୍ରତିଷ୍ଠା କରି କଳାକାରମାନଙ୍କ ଆତ୍ମବିଶ୍ୱାସକୁ ଦୃଢ଼ୀଭୂତ କରିବା ସହ ଆର୍ଥିକ ସ୍ୱଚ୍ଛଳତା ଓ ବୃହତର ସାମାଜିକ ସ୍ୱୀକୃତି ବଢ଼ାଇବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରି ସଫଳ ହୋଇଥିଲେ । ଏକପଟେ ଓଡ଼ିଶାର ଝୋଟି, ଚିତା, ବାନ୍ଧକଳା ଓ ଅନ୍ୟପଟେ ରିଏଲିଜିମ୍, ସରିଆଲିଜିମ୍, ସାଇକୋଫାଣ୍ଟାସି ଏ ଦୁଇ ପ୍ରକାର ତତ୍ତ୍ୱକୁ ଦୁଇ ହାତରେ ଧରିବାରେ ସେ ଜଣେ ନିପୁଣ ବିନ୍ଧାଣୀ । ସଂକ୍ଷେପରେ ପାଠୀଙ୍କ କଳାକୃତୀ ହେଉଛି ପ୍ରାଚୀନ ଓ ନୂତନତା, ପରମ୍ପରା ଓ ଆଧୁନିକତାର ଆନୁପାତିକ ମିଶ୍ରଣ । ଏତଦ୍ବ୍ୟତୀତ ଆଶା, ସ୍ୱପ୍ନ, ହତାଶା ଓ ସଂଗ୍ରାମକୁ ନେଇ ରଚିତ ତାଙ୍କର ଆତ୍ମଜୀବନୀମୂଳକ ଉପନ୍ୟାସ ଅକ୍ଷରରେ ସଜାଇ ଦିଏ ତାଙ୍କର ଆତ୍ମ ଜ୍ୱଳନ । କୌତୁହଳର ବିଷୟ ଯେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶକୁ ସେ କବିତାର ସରଳ ଭାଷାରେ ଏଭଳି ବାନ୍ଧି ରଖନ୍ତି ଯାହା ସେ ଚିତ୍ର କଳାରେ ପାରନ୍ତି ନାହିଁ ।
ଡକ୍ଟର ପାଠୀ ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ପରିବେଶରୁ ଭାରତର ସର୍ବୋଚ୍ଚ କଳା ଅନୁଷ୍ଠାନ ‘ଲଳିତ କଳା ଏକାଡେମୀ’ର ପ୍ରଥମ ଓଡ଼ିଆ ସଚିବ ଭାବେ କାର୍ଯ୍ୟକରିଥିବା ବେଳେ ଓଡ଼ିଶା ‘ଲଳିତ କଳା ଏକାଡେମୀ’ର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ସେ କିଛି ବର୍ଷ ପାଇଁ ବନାରସସ୍ଥିତ ଆଲିସ୍ ବୋନର୍ ଇଷ୍ଟିଚୁ୍ୟଟ୍ର ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରିଛନ୍ତି । ଭୁବନେଶ୍ୱରରେ ବି. କେ. ଆର୍ଟ କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବରେ ସେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଆଶାର ଆଲୋକ ଦେଖାଇଛନ୍ତି । ଜବାହରଲାଲ୍ ନେହରୁ ଫେଲୋସିପ୍, ଆନ୍ତର୍ଜାତିକ ରିଚ୍ବର୍ଗ ଆୱାର୍ଡ଼, ଭାରତ ସରକାରଙ୍କ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆର କମିଶନର୍, ଆନ୍ତର୍ଜାତିକ କଳିଙ୍ଗ ବାଲିଯାତ୍ରାର ମୁଖ୍ୟ ବିନ୍ଧାଣୀ ତଥା ଭାରତ ସରକାରଙ୍କର ବୟନ ଶିଳ୍ପ ବିଭାଗ ଦ୍ୱାରା ଆନ୍ତର୍ଜାତିକ ଡିଜାଇନର୍ ଭାବେ ମଧ୍ୟ ସେ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି । କଳା ଇତିହାସର ଗବେଷଣାର ଉକ୍ରୃଷ୍ଟତା ପାଇଁ ତାଙ୍କୁ ମିଳିଛି ଭାରତର ରାଷ୍ଟ୍ରପତିଙ୍କ ରଜତ୍ ଫଳକ ଓ ଚୀନ୍ ସରକାରଙ୍କ ସମ୍ମାନ, ସାହିତ୍ୟ ପାଇଁ ସେ ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବିଷୁବ ପୁରସ୍କାର । ଏତଦ୍ବ୍ୟତୀତ କଳା ସଂପର୍କିତ ସନ୍ଦର୍ଭ ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ବିଶ୍ୱଭାରତୀରୁ ପିଏଚ୍ଡି ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡିଲିଟ୍ ମଧ୍ୟ ଲାଭ କରିଛନ୍ତି ।
ଏଭଳି ଏକ ବହୁମୁଖୀ ପ୍ରତିଭାର ବ୍ୟକ୍ତିଙ୍କ ପରଲୋକ ତାଙ୍କର ରକ୍ତ ମାଂସର ଶରୀରକୁ ହୁଏତ ସବୁଦିନ ପାଇଁ ନୀରବ କରିଦେଇ ପାରେ । କିନ୍ତୁ କାନ୍ଭାସ୍ରେ ସେ ଯେଉଁ ରଙ୍ଗ ଓ ତୂଳୀର ଉକ୍ରର୍ଷତା ଛାଡ଼ି ଯାଇଛନ୍ତି ତାକୁ ମହାକାଳ ଛୁଇଁବା ପାଇଁ ସାହସ କରି ନପାରେ ।

ସେଆର କରନ୍ତୁ:



Powered by odothemes.com