ପଞ୍ଚାୟତ ଗୃହ ନିର୍ମାଣରେ ଟାଳଟୁଳ ନୀତି
ଜଳେଶ୍ୱର,୧୫ା୧(ଆପ୍ର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନବଗଠିତ ସମ୍ପତ୍ତିଆ ଗ୍ରାମ ପଞ୍ଚାୟତ ଗଠନ ହେବାର ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପଞ୍ଚାୟତ ଗୃହ ନିର୍ମାଣ ହୋଇ ନପାରିବା ହେତୁ ଆଜି ଦିନ ସାଢ଼େ ୧୦ଟାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଶତାଧିକ ପଞ୍ଚାୟତବାସୀ ଜଳେଶ୍ୱର ତହସିଲ ପରିସରରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି ।
ସମ୍ପୃକ୍ତ ନବଗଠିତ ପଞ୍ଚାୟତରେ ପଂଚାୟତ ଗୃହ ନିର୍ମାଣ ସକାଶେ ୩୫ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆସି ପଡ଼ିରହିଛି । ସ୍ଥାନୀୟ ବିଧାୟକ ଓ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତ କ୍ରମେ ଉକ୍ତ ପଞ୍ଚାୟତ ଗୃହ ନିର୍ମାଣ ହୋଇପାରୁନାହିଁ ବୋଲି ଗଣଧାରଣାକାରୀ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମ୍ପତ୍ତିଆ ପଞ୍ଚାୟତ ନାମ୍ପୋ ପଞ୍ଚାୟତ ଠାରୁ ଅଲଗା କରାଯାଇଥିଲା । ପଂଚାୟତ ନିର୍ବାଚନ ପରେ ପଂଚାୟତ ଗୃହ ନିର୍ମାଣ ପାଇଁ ଗତବର୍ଷ ଜୁନ ମାସ ୪ ତାରିଖ ଦିନ ଚିଠି ନଂ.୧୩୫୧ ମୂଳେ ସମ୍ପତ୍ତିଆ ଗ୍ରାମର ରକ୍ଷିତ ଖାତା ୨୮୯ ଅଧୀନରେ ଥିବା ପ୍ଲଟ୍ ନଂ.୨୯୨ କିସମ ବସ୍ତି ଯୋଗ୍ୟ ଏରିଆ ୩୮ ଡିସିମିଲ ମଧ୍ୟରୁ ୧୫ ଡିସିମିଲ ଜମିକୁ ଜଳେଶ୍ୱର ତହସିଲଦାର ମାପଚୁପ କରି ଜଳେଶ୍ୱର ବିଡିଓ ଙ୍କୁ ହସ୍ତାନ୍ତର କରିଥିଲେ । ତେବେ ତତ୍କାଳୀନ ବିଡିଓ ନେତ୍ରାନନ୍ଦ ମଲ୍ଲିକ ସ୍ଥାନୀୟ ବିଧାୟକଙ୍କ ହାତବାରିସୀ ସାଜି ଏହି ଉନ୍ନୟନମୂଳକ କାର୍ଯ୍ୟକୁ ବିନା କାରଣରେ ପକାଇ ରଖିଥିଲେ । କେବଳ ପଂଚାୟତ ଗୃହ ନୁହେଁ ଉକ୍ତ ପଂଚାୟତରେ ବିଗତ ଅଢ଼େଇ ବର୍ଷ ମଧ୍ୟରେ କୈାଣସି ଗୋଟିଏ ବି ବିକାଶ ତଥା ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଥିଲେ । ଯେହେତୁ ଉକ୍ତ ପଂଚାୟତର ସରପଂଚ କୁଆଡ଼େ ବିଧାୟକଙ୍କ ବୋଲ ମାନୁ ନାହାନ୍ତି ବୋଲି ଏହିଭଳି ଦୁର୍ଦ୍ଦଶାର ଶିକାର ହୋଇଛି ସମ୍ପୃକ୍ତ ପଂଚାୟତ ବୋଲି ଗଣଧାରଣାରେ ସାମିଲ ହୋଇଥିବା ଦିପ୍ତୀମାନ ଆଚ୍ଚାର୍ଯ୍ୟ,ସିତାଂଶୁ ସେନାପତି ଦିଲୀପ ପରିଡ଼ା, ଦିଲୀପ ଗିରି, ଦିଲୀପ ଶତପଥି,ଶିବଶଙ୍କର ହୁଇ,ଗୀତାରାଣି ଆଚ୍ଚାର୍ଯ୍ୟ ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ ଗ୍ରାମବାସୀ ପ୍ରକାଶ କରିଛନ୍ତି । ପଂଚାୟତ ଗୃହ ନିର୍ମାଣ ଯଥାଶୀଘ୍ର ନ ହେଲେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇ ଆଇନ୍ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ।

Previous Postଚାଷୀଙ୍କ ନୂଆ ଦିଗ୍ଦର୍ଶନ ‘କାଳିଆ’
Next Postଅଗ୍ନିକାଣ୍ଡ: ୩ ଗୋରୁ ଜୀବନ୍ତ ଦଗ୍ଧ, ୧୧ ପରିବାର ସର୍ବସ୍ୱାନ୍ତ