ପଞ୍ଚାୟତକୁ ଅଧିକ ଅନୁଦାନ ମିଳିବ

80

‘ଆମ ଗାଁ-ଆମ ଯୋଜନା’ର କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟସ୍ତରୀୟ ବୈଠକ
ଭୁବନେଶ୍ୱର, ୧ା୮(ବୁ୍ୟରୋ): ‘ଆମ ଗାଁ-ଆମ ଯୋଜନା’ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଞ୍ଚାୟତିରାଜ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ନୂତନ ବ୍ୟବସ୍ଥାର ରୂପରେଖ, ଲକ୍ଷ୍ୟ, ପଦ୍ଧତି ଏବଂ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଚତୁର୍ଦ୍ଧଶ କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ୍ ଅନୁସାରେ ପଞ୍ଚାୟତମାନଙ୍କୁ ଅଧିକ ଅର୍ଥ ଦିଆଯାଉଥିବା ବେଳେ ପଞ୍ଚାୟତସ୍ତରରେ ଏହାର ସଠିକ୍ ବିନିଯୋଗ ନିମନ୍ତେ ‘ଆମ ଗାଁ-ଆମ ପଞ୍ଚାୟତ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ପଞ୍ଚାୟତସ୍ତରୀୟ ଯୋଜନା ପ୍ରସ୍ତୁତ ବେଳେ ପ୍ରକଳ୍ପର ପରିଚାଳନା ଓ ସମୀକ୍ଷା ନିମନ୍ତେ ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପତି ପରାମର୍ଶ ଦେଇଥିଲେ । ଯୋଜନା ରୂପାୟନ ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ଆଦି ବିଷୟରେ ପଞ୍ଚାୟତମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ମୁଖ୍ୟ ଶାସନ ସରକାରୀ ବିଭାଗମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଅର୍ଥ ବିନିଯୋଗ ନିମନ୍ତେ ଯୋଜନା ପ୍ରସ୍ତୁତ ପାଇଁ ସହାୟକ ଓ ଦିଗଦର୍ଶକ ପରାମର୍ଶମାନ ପଞ୍ଚାୟତମାନଙ୍କୁ ତୁରନ୍ତ ପଠାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଚଳିତ ବର୍ଷ ପାଇଁ ପଞ୍ଚାୟତସ୍ତରୀୟ ଯୋଜନା ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି । ପଞ୍ଚାୟତିରାଜ ଶାସନ ସଚିବ ଶ୍ରୀ ସିଂ କହିଥିଲେ ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୪୪ ଏବଂ ୪୫ ଅନୁଯାୟୀ ବିଭିନ୍ନ କାର୍ଯ୍ୟ କରିବା, ମୌଳିକ ସେବା ଯୋଗାଇବା ଏବଂ ପଞ୍ଚାୟତର ନିଜସ୍ୱ ରାଜସ୍ୱ ଭିତ୍ତିଭୂମି ଅବିବୃଦ୍ଧି କରିବା ନିମନ୍ତେ ଗ୍ରାମ ପଞ୍ଚାୟତମାନଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷଠାରୁ ବହୁ ପରିମାଣରେ ଅର୍ଥ ଦିଆଯିବ । ଏହାର ବିନିଯୋଗ ପାଇଁ ପଞ୍ଚାୟତସ୍ତରୀୟ ଯୋଜନା ୟୁନିଟ୍, ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି, ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟି କାର୍ଯ୍ୟକରିବ । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ୨୦୧୫-୧୬ରେ ବିଭିନ୍ନ ଗ୍ରାମପଞ୍ଚାୟତ ଲୋକସଂଖ୍ୟା ଏବଂ ବିକାଶସ୍ତରୀୟ ଭିତ୍ତିରେ ୪୫ ଲକ୍ଷରୁ ୬୩ ଲକ୍ଷ ଟଙ୍କା ପାଇବେ । ପରବର୍ତ୍ତୀ ଆର୍ଥିକ ବର୍ଷମାନଙ୍କରେ ଏହି ବାର୍ଷିକ ଅନୁଦାନର ପରାମର୍ଶ ବଢିବ । ୨୦୧୯-୨୦ ବେଳକୁ ଏହି ଅନୁଦାନ ପ୍ରାୟ ୯୮ ଲକ୍ଷରୁ ୧୩୯ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହା ଛଡା ଗ୍ରାମ ପଞ୍ଚାୟତମାନଙ୍କର ନିଜସ୍ୱ ରାଜସ୍ୱ ରହିଛି । ଗ୍ରାମ ପଞ୍ଚାୟତମାନଙ୍କରେ ବିଧାୟକ ଉନ୍ନୟନ ପାଣ୍ଠି ଏବଂ ସାଂସଦ ଉନ୍ନୟନ ପାଣ୍ଠିର ପ୍ରକଳ୍ପମାନ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସରକାରୀ ବିଭାଗର ଯୋଜନା ପାଇଁ ରାଜ୍ୟ ବଜେଟ୍ରୁ ମଧ୍ୟ ଅର୍ଥ ଦିଆଯାଉଛି । ଏହି ସମସ୍ତ କାର୍ଯ୍ୟକ୍ରମ ଓ ଆର୍ଥିକ ଅନୁଦାନର ସମନ୍ୱୟ କରି ପଞ୍ଚାୟତସ୍ତରୀୟ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପଞ୍ଚାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଗ୍ରାମ ପଞ୍ଚାୟତମାନଙ୍କୁ ଆବଶ୍ୟକୀୟ କ୍ଷମତା ଦେବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ବ୍ୟାପକ ତାଲିମ ଏବଂ ସଚେତନତା କାର୍ଯର୍୍ୟକ୍ରମ ଆରମ୍ଭ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି । ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ପ୍ରମୁଖ ଶାସନ ସଚିବ ରାଜେଶ ବର୍ମା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ମଧୁସୂଦନ ପାଢୀ, ପଞ୍ଚାୟତିରାଜ ନିର୍ଦ୍ଧେଶକ ଦେବେନ୍ଦ୍ର ପ୍ରସାଦ ଦାସ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଅନୁଷ୍ଠାନ ନିର୍ଦ୍ଧେଶକ ନିତିନ୍ ଭାନୁଦାସ ଜାୱେଲେଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com