pustak-mela-udjapani-sandhyare-sanmanita-hoithiba-bykti-bishesa-atithi-nka-gahanare-o-ehi-abasarare-pustak-lokarpana

ନୈତିକ ଆନେ୍ଦାଳନର ମୂଳ ହେଉଛି ବହି

60

ସପ୍ତଦଶ ରାଜଧାନୀ ପୁସ୍ତକମେଳା ଉଦ୍ୟାପିତ
ଭୁବନେଶ୍ୱର, (ବୁ୍ୟରୋ) : ରବିବାର ଥିଲା ରାଜଧାନୀ ପୁସ୍ତକ ମେଳାର ଉଦ୍ୟାପନୀ ଦିବସ । ଏନେଇ ମେଳାର ସଭାପତି ଡ. ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କବି ଲେଖକ ମାନଙ୍କର ଲେଖା ରାଷ୍ଟ୍ର ମଧ୍ୟରେ ବିପ୍ଳବର ବହ୍ନୀ ସୃଷ୍ଟି କରାଏ । ଯେତେବେଳେ ମଣିଷ ଜୀବନରେ ଚାରିଆଡ଼ୁ ବିତୃଷ୍ଣା ଭାବ ଆସିଯାଏ ସେତେବେଳେ ଲେଖକଙ୍କର ଗୋଟିଏ ଗଳ୍ପ ମଣିଷର ମାନସିକତାକୁ ସୁଦୃଢ କରିଥାଏ । ଯଦି ଦେଶ ଧ୍ୱଂସ ହୋଇଯାଏ ତେବେ ଖଣ୍ଡେ ପୁସ୍ତକରୁ ହିଁ ଜାତିର ଇତିହାସ, ଦେଶର ପୂର୍ବ ସ୍ମୃତି ଏବଂ ସ୍ଥିତି ଚିର ଜାଗ୍ରତ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ । କାର୍ଯ୍ୟକ୍ରମରେ ସମାଜର ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ ପୁସ୍ତକର ସଂଜ୍ଞା ଉପରେ ଆଲୋକପାତ କରିବା ସହ କହିଥିଲେ ଯେ,ଲେଖକମାନେ ପୁସ୍ତକ ମାଧ୍ୟମରେ ସମାଜର ଦିଗ୍ଦର୍ଶନ ଦେଇଥାନ୍ତି । ଶବ୍ଦ ହେଉଛି ବ୍ରହ୍ମ ସଦୃଶ । ହଜାର ବକ୍ତୃତା ଓ ଭାଷଣ ଅପେକ୍ଷା ଗୋଟିଏ ବହି ଅସ୍ତ୍ର ସଦୃଶ କାର୍ଯ୍ୟ କରିଥାଏ । ନୈତିକ ଆନେ୍ଦାଳନର ମୂଳ ହେଉଛି ବହି ବୋଲି ସେ କହିଥିଲେ ।
ଏହି ଅବସରରେ ଚଳିତ ବର୍ଷ ଓଡ଼ିଆ ସାହିତି୍ୟର ୧୧ଟି ବିଭାଗରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପୁସ୍ତକ ‘କାଳ: କାଳାନ୍ତର’ ପାଇଁ ଭାଗ୍ୟଲିପି ମଲ୍ଲ , ଉପନ୍ୟାସ ପୁସ୍ତକ ‘ଅଧାକାନ୍ଥି ଘର’ ପାଇଁ କମଳା ଶତପଥୀ, କ୍ଷୁଦ୍ରଗଳ୍ପ ପୁସ୍ତକ ‘ସ୍ୱୀକାରୋକ୍ତି’ ପାଇଁ ଡ.ମୌସୁମୀ ପରିଡ଼ା, କବିତା ପୁସ୍ତକ ‘ସେଇମାନଙ୍କୁ ପଚାର’ ପାଇଁ ମହେନ୍ଦ୍ର କୁମାର ମଲ୍ଲିକ, ‘ପ୍ରତିଶ୍ରୁତି’ ପାଇଁ ବିଜନ କୁମାର ବେହେରା, ଅନୁବାଦ ପୁସ୍ତକ ‘ଏ ଝିଅ’ ପାଇଁ ରତ୍ନମାଳା ସ୍ୱାଇଁ, ନାଟକ ପୁସ୍ତକ ‘ନିଶିଦ୍ଧ ନଗରୀ’ ପାଇଁ ପୂର୍ଣ୍ଣଚନ୍ଦ୍ର ଦାଶ, ଭ୍ରମଣକାହାଣୀ ପୁସ୍ତକ ‘ଆମେ ଓ ଆମେରିକା’ ପାଇଁ ଡ. ପୁରୁଷୋତ୍ତମ ବିଶ୍ୱାଳ, ଶିଶୁ ସାହିତ୍ୟ ପୁସ୍ତକ ‘ଆସ ଶୁଣିବ ଗପ’ ପାଇଁ ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଧର୍ମ ପୁସ୍ତକ ‘ ବିଶ୍ୱାସେ ମିଳନ୍ତି ହରି’ ପାଇଁ ଡ. ପ୍ରତିଭା ମହାରଥୀ, ଜୀବନୀ ସାହିତ୍ୟ ‘ଆଲୋକ ପଥର ଯାତ୍ରୀ’ ପାଇଁ ଇଂ ନରେନ୍ ଚନ୍ଦ୍ର ଦାଶ, ‘ମନ ମୂର୍ଚ୍ଛନା’ ପୁସ୍ତକ ପାଇଁ ସୁଚିତ୍ରା ପାଣିଗ୍ରାହୀଙ୍କୁ କବି ସୁଧାଂଶୁ ରାଉତରାୟ ସ୍ମୃତି ପୁରସ୍କାର ପ୍ରଦାନ କରାଇଥିଲା । ଏହାସହ ଓଡ଼ିଆ ପୁସ୍ତକ ପ୍ରକାଶନୀ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀଙ୍କୁ ଚଳିତ ବର୍ଷର ରଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରରିଥିଲେ । ଶେଷରେ ସଂଯୋଜକ କାଳୀପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିବା ସହ ବୀରକିଶୋର ପ୍ରଧାନ, ଆକୂଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ଓ ବ୍ରହ୍ମାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ସେଆର କରନ୍ତୁ:



Powered by odothemes.com