newzland

ନୁ୍ୟଜିଲାଣ୍ଡରେ ଆତଙ୍କୀ ଆକ୍ରମଣ

9

ୱେଲିଟନ୍, ୧୫ା୩: ନୁ୍ୟଜିଲାଣ୍ଡରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି । ଶୁକ୍ରବାର ପ୍ରାର୍ଥନା ଚାଲିଥିବାବେଳେ ଦୁଇଟି ମସ୍ଜିଦ୍ରେ ଆତଙ୍କବାଦୀମାନେ ଧସେଇ ପଶିବା ସହିତ ଆଖିବୁଜା ଗୁଳିଚାଳନା କରିବାରୁ ଅନୁ୍ୟନ ୪୯ ଜଣଙ୍କ ପ୍ରାଣହାନୀ ଘଟିଛି । ପ୍ରାର୍ଥନା ସଭାରେ ସାମିଲ ହୋଇଥିବା ୯ ଭାରତୀୟ ନିଖୋଜ ଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି ଓ ଆହୁରି କେତେକ ମୃତୁ୍ୟ ସହ ସଂଗ୍ରାମ କରୁଥିବା ସୂଚନା ମିଳିଛି । ନୁ୍ୟଜିଲାଣ୍ଡସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ଭାରତୀୟଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି । ତେବେ ନିଶ୍ଚିତ ବିପଦରୁ ବର୍ତ୍ତିଯାଇଛନ୍ତି ବାଂଲା କ୍ରିକେଟ ଟିମ୍ । ଅନ୍ୟପକ୍ଷରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଗୁଳି ଚାଳନା କରିଥିବା ୨୦ ବର୍ଷୀୟ ଜଣେ ଅଷ୍ଟ୍ରେଲୀୟ ଆତଙ୍କବାଦୀ ଥିବା କୁହାଯାଉଛି । ନୁ୍ୟଜିଲାଣ୍ଡ ସରକାର ଆଜିର ଦିବସକୁ କଳାଦିବସଭାବେ ଘୋଷଣା କରିଛନ୍ତି । ଗୁଳିଚାଳନା କରିବା ପରେ ସମ୍ପୃକ୍ତ ଯୁବକ ସମ୍ପୂର୍ଣ୍ଣ ଘଟଣାକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିନ୍ଦା ଆର୍ଡେନ୍ଙ୍କୁ ପତ୍ର ଲେଖି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ।
ପୁଲିସ୍ କମିଶନର ମାଇକ୍ ବୁସ୍ଙ୍କ ସୂଚନା ଅନୁଯାୟୀ, ଅଲ୍ନୁର୍ ମସ୍ଜିଦ୍ ଓ ନିକଟସ୍ଥ ଲିନ୍ଉଡ୍ସ୍ଥିତ ଏକ ମସ୍ଜିଦ୍ରେ ପ୍ରାର୍ଥନା ଚାଲିଥିବାବେଳେ ହେଲ୍ମେଟ୍ ପିନ୍ଧିଥିବା ଜଣେ ଯୁବକ ସେନା ପୋଷାକରେ ଆସି ଆଖିବୁଜା ଗୁଳି ଚଳାଇଥିଲେ । ସେ ମସ୍ଜିଦ୍ର ବାହାରେ ଓ ଭିତରେ ପଶି ଏଭଳି ଉନ୍ମତକାଣ୍ଡ ଘଟାଇଥିଲେ । ଗୁଳିମାଡରେ ମସ୍ଜିଦ୍ରେ ଥିବା ମୁସ୍ଲମାନ୍ ଶ୍ରଦ୍ଧାଳୁ ଓ ପଥଚାରୀ ମୃତାହତ ହୋଇଥିଲେ । ଅହମ୍ମଦ ଅଲ୍ ମହମ୍ମଦ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲ୍ମେଟ୍ ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧିଥିବା କେତେକ ବ୍ୟକ୍ତି ହାତରେ ବଡ ବନ୍ଧୁକ ଧରିଥିଲେ । ସେମାନେ ଜବରଦସ୍ତ ମସ୍ଜିଦ୍ ଭିତରକୁ ପ୍ରବେଶ କରି ପ୍ରାର୍ଥନା କରୁଥିବା ବ୍ୟକ୍ତିଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ମସ୍ଜିଦ୍ ଭିତରେ ଗୁଳି ଚଳାଇ ଏକ କାଚ ଝରକା ଭାଙ୍ଗି ସେମାନେ ଖସିଯାଇଥିଲେ । ଏକ୍ ମସ୍ଜିଦ୍କୁ ବାଂଲା କ୍ରିକେଟ୍ ଟିମ୍ର ଖେଳାଳିମାନେ ପ୍ରାର୍ଥନା କରିବା ଲାଗି ଆସୁଥିବାବେଳେ ଗୁଳିକାଣ୍ଡ ଘଟିଥିଲା । ପ୍ରାର୍ଥନା ସଭାରେ ପହଞ୍ଚôବା ପୂର୍ବରୁ ଗୁଳିଚାଳନା କରାଯିବାରୁ ସେମାନେ ଆସିଥିବା ବସ୍ରେ ଫେରିଯାଇଥିଲେ । ସରକାରୀ ସୂଚନା ଅନୁଯାୟୀ ଅଲ୍ନୁର୍ ମସ୍ଜିଦ୍ରେ ୪୧ ଓ ଲିନ୍ଉଡ୍ ମସ୍ଜିଦ୍ରେ ୮ ଜଣଙ୍କ ପ୍ରାଣହାନୀ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗୁଳିଚାଳନାର ଠିକ୍ ପରେ ପରେ ଭିଡିଓ ଫୁଟେଜ୍ ପ୍ରସାରିତ ହୋଇଥିଲା । ଏଥିରେ ବନ୍ଧୁକଧାରୀ ଯୁବକ ଜଣଙ୍କ ଦେଶକୁ ଦଖଲ କରୁଥିବା ବ୍ୟକ୍ତିମାନଙ୍କୁ ଶାସ୍ତି ଦେଇଥିବା କହୁଥିବା ଦେଖିବାକୁ ମିଳିଛି । ଏଥିରେ ଶ୍ୱେତାଙ୍ଗ ଗଣହତ୍ୟା ଶବ୍ଦ ରହିଛି । ସାଧାରଣତଃ ଏହି ଶବ୍ଦ ବିଦେଶରୁ ଅନୁପ୍ରବେଶ କରିଥିବା ଏକ ନିର୍ଦ୍ଦିଷ୍ଟ ଜାତିର ଲୋକେ ବ୍ୟବହାର କରିଥାନ୍ତି ।
ଗୁଳିକାଣ୍ଡ ପରେ ନୁ୍ୟଜିଲାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ଆର୍ଡେନ୍ ଦେଶ ଇତିହାସରେ ଏହା ଏକ ଘୃଣ୍ୟ ଅଧ୍ୟାୟ ବୋଲି ଦର୍ଶାଇବା ସହିତ ଶାନ୍ତି ରକ୍ଷା ଲାଗି ନିବେଦନ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କହିଛନ୍ତି ଯେ ପୁଲିସ୍ ହେପାଜତରେ ଥିବା ଜଣେ ଯୁବକ ତାଙ୍କ ଦେଶର ନାଗରିକ । ନୁ୍ୟଜିଲାଣ୍ଡ ସରକାର ନିଜ ଦେଶରେ ଥିବା ସବୁ ମସ୍ଜିଦ୍କୁ ବନ୍ଦ କରିବା ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରିଥିବା ସୂଚନା ମିଳିଛି । ଏସିଆ ଓ ମଧ୍ୟପ୍ରାଚ୍ୟ ସମେତ ଅନ୍ୟାନ୍ୟ ମୁସ୍ଲିମ୍ ରାଷ୍ଟ୍ରର ନେତୃବୃନ୍ଦ ଏହାକୁ ନିନ୍ଦା କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com