nirav-modi

ନୀରବ ମୋଦି ଗିରଫ

17

ଲଣ୍ଡନ, ୨୦ା୩: ପ୍ରାୟ ୧୪ ହଜାର କୋଟି ଟଙ୍କା ବ ୍ୟାଙ୍କ ଠକେଇରେ ଅଭିଯୁକ୍ତ ବିଶିଷ୍ଟ ହୀରା ବ୍ୟବସାୟୀ ନୀରବ ମୋଦି ମଙ୍ଗଳବାର ଲଣ୍ଡନରେ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରାଯିବା ପରେ ଲଣ୍ଡନ ପୁଲିସ୍ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ବୁଧବାର ହାଜର କରିଛି । ଅଦାଲତ ନୀରବଙ୍କ ପକ୍ଷରୁ କରାଯାଯାଇଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଭାରତର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ଏକ ଆବେଦନ ଭିତରେ ନୀରବଙ୍କ ବିରୋଧରେ ଇଂଲଣ୍ଡ ଅଦାଲତ ଗିରଫ ପରୱାନା ଜାରି କରିଥିଲା । ଏହି ପରୱାନାକ୍ରମେ ତାଙ୍କୁ ଇଂଲଣ୍ଡର ବଲବର୍ଣ୍ଣ ମେଟ୍ରୋ ଷ୍ଟେସନ୍ ନିକଟରୁ ପୁଲିସ୍ ଗିରଫ କରିଥିଲା । ଇଡି ପକ୍ଷରୁ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ମିଳିଛି ।
ପ୍ରକାଶ ଯେ ନୀରବ ମୋଦି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ (ପିଏନ୍ବି)ର ବମ୍ବେ ଶାଖାରୁ ଲେଟର୍ସ ଅଫ୍ ଅଣ୍ଡରଟେକିଙ୍ଗ୍ ବ୍ୟବହାର କରି ୧୩,୫୦୦ କୋଟି ଟଙ୍କା ଠକି ନେଇଥିଲେ । ଦୀର୍ଘଦିନ ଧରି ସେ ଲୁଚି ରହିବା ପରେ ନିକଟରେ ଏହି ୪୮ ବର୍ଷ ବୟସ୍କ ହୀରା ବ୍ୟବସାୟୀଙ୍କୁ ନିକଟ ଅତୀତରେ ଲଣ୍ଡନରେ ଦେଖିବାକୁ ମିଳିଥିଲା । ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ନୀରବ ମୋଦିଙ୍କୁ ମଙ୍ଗଳବାର ଭାରତୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗିରଫ କରାଯାଇଛି । ଏହାପୂର୍ବରୁ ଇଡି ପକ୍ଷରୁ ନୀରବଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନ କୋର୍ଟକୁ ଆବେଦନ କରାଯାଇଥିଲା । ସେହି ଆବେଦନକ୍ରମେ ଅଦାଲତ ଜାରି କରିଥିବା ଗିରଫ ପରୱାନା ଭିତ୍ତିରେ ନୀରବଙ୍କୁ ଗିରଫ କରାଯାଇଛି । ତାଙ୍କୁ ଅଦାଲତରେ ହାଜର କରାଯିବା ପରେ ବିଚାରପତି ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୯ରେ ହେବ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ଏହା ପୂର୍ବରୁ ନୀରବ ମୋଦୀଙ୍କୁ ପଳାତକ ଘୋଷଣା କରିଥିଲା ।
ସିବିଆଇ ସୂତ୍ରରୁ କିଛିଦିନ ପୂର୍ବରୁ କୁହାଯାଇଥିଲା ଯେ ବ୍ରିଟେନ୍ରୁ ନୀରବ ମୋଦିଙ୍କୁ କିପରି ଭାରତକୁ ଅଣାଯାଇପାରିବ ସେନେଇ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଏଜେନ୍ସି ପକ୍ଷରୁ ନୀରବଙ୍କ ବିରୋଧରେ ଗତବର୍ଷ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ଏହାକୁ ବ୍ରିଟେନ୍ ଗୁରୁତର ସହ ନେଇଥିଲା । ସିବିଆଇର ଅନୁରୋଧକ୍ରମେ ଇଣ୍ଟରପୋଲ୍ ଗତବର୍ଷ ଜୁନ୍ ମାସରେ ନୀରବଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ନୀରବ ଓ ମେହୁଲ ଚୋକ୍ସୀ ମିଶି ପିଏନ୍ବିରୁ ପ୍ରାୟ ୧୩,୫୦୦ କୋଟି ଟଙ୍କା ଠକେଇ କରି ନେଇଥିଲେ । ଏହାପରେ ନୀରବ ଓ ମେହୁଲ ୨୦୧୮ ଜାନୁଆରୀରେ ଦେଶଛାଡି ପଳାଇ ଯାଇଥିଲେ । ଏହାପରେ ଭାରତର ବ୍ୟାଙ୍କ ଇତିହାସରେ ଏହି ବଡଧରଣର ଠକେଇ ପଦାକୁ ଆସିଥିଲା । ନୀରବଙ୍କୁ ଗିରଫ ପରେ ଲଣ୍ଡନ କୋର୍ଟରେ ହାଜର କରାଯାଇଥିବାରୁ ସେ ଅଦାଲତରେ ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ଏହି ମାମଲା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ମାମଲା ଅନୁରୂପ ହୋଇପାରେ ବୋଲି ସନେ୍ଦହ କରାଯାଉଛି । ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ଏକ ପ୍ରତ୍ୟାର୍ପଣ ୱାରେଣ୍ଟ ବଳରେ ୨୦୧୭ ଏପ୍ରିଲରେ ଲଣ୍ଡନରେ ଗିରଫ କରାଯାଇଥିଲା । ସେ ଗିରଫ ହେବା ଦିନଠାରୁ ଜାମିନରେ ଅଛନ୍ତି । ପ୍ରାୟ ୨ ବର୍ଷ ବିତିଯାଇଥିଲେ ମଧ୍ୟ ମାଲ୍ୟାଙ୍କୁ ଏପର୍ଯ୍ୟନ୍ତ ଭାରତକୁ ପ୍ରତ୍ୟାର୍ପଣ କରାଯାଇପାରିନାହିଁ । ସେହି ଭାବରେ ନୀରବ ମୋଦୀ ଲଣ୍ଡନରେ ଜାମିନ ନେଇ ସେଠାରେ ରହିଯାଇପାରନ୍ତି ବୋଲି ଆକଳନ କରାଯାଉଛି ।
ସୂଚନା ଅନୁଯାୟୀ ନୀରବ ମୋଦୀ ଏବଂ ତାଙ୍କର ମାମୁ ମେହୁଲ ଚୋକ୍ସୀ ପିଏନ୍ବି ଦ୍ୱାରା ଦିଆଯାଇଥିବା ଏଲ୍ଓୟୁ ଏବଂ ଲେଟର୍ସ ଅଫ୍ କ୍ରେଡିଟ୍ ଜରିଆରେ ଭାରତୀୟ ବ୍ୟାଙ୍କଗୁଡିକର ବିଦେଶରେ ଥିବା ଶାଖାରୁ ସେମାନଙ୍କ କମ୍ପାନୀ ସକାଶେ ଋଣ ଉଠାଇନେଇଥିଲେ । ତେବେ ଏହି ଏଲ୍ଓୟୁ ଏବଂ ଏଲ୍ଓସିରେ ସେମାନେ ଠକେଇ କରିଥିବା ପରେ ଜଣାପଡିଥିଲା । ପ୍ରକାଶ ଯୋଗ୍ୟ ଯେ ଏଲ୍ଓୟୁ ହେଉଛି ଏକ ଗ୍ୟାରେଣ୍ଟି ପତ୍ର । ଯାହାକି ଭାରତର କୌଣସି ବ୍ୟାଙ୍କ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କ ଶାଖାଗୁଡିକୁ ଆବେଦନକାରୀଙ୍କୁ ସ୍ୱଳ୍ପ ମିଆଦୀ ଋଣ ମଞ୍ଜୁର ପାଇଁ ସୁପାରିଶ କରିଥାଏ । ଏହି ଋଣ ସକାଶେ ସମ୍ପୃକ୍ତ ସୁପାରିସକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ହିସାବରେ ରହିଥାଏ ।
ନୀରବଙ୍କୁ ଗିରଫ କରାଯିବା ପରେ ଏବେ ପ୍ରଶ୍ନ ଉଠୁଛି ତାଙ୍କୁ ବ୍ରିଟେନ୍ ସରକାର ଭାରତକୁ ପ୍ରତ୍ୟାର୍ପଣ କରିବେ କି ନାହିଁ? ଏନେଇ ବ୍ରିଟେନ୍ ଓ ଭାରତ ମଧ୍ୟରେ କିପ୍ରକାର ଚୁକ୍ତି ରହିଛି । ନା ନୀରବ ମୋଦୀ ମଦ ବ୍ୟବସାୟୀ ମାଲ୍ୟାଙ୍କ ଭଳି ଅଦାଲତରୁ ଜାମିନ ନେଇ ଲଣ୍ଡନରେ ଅୟସରେ ରହିବେ । ଅବଶ୍ୟ ୱେଷ୍ଟମିନିଷ୍ଟର କୋର୍ଟ ବୁଧବାର ନୀରବଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି । ଅବଶ୍ୟ ନୀରବ ଜାମିନ ପାଇଁ ୫ ଲକ୍ଷ ପାଉଣ୍ଡ ଦେବାକୁ ଅଦାଲତରେ ପ୍ରସ୍ତାବ ଦେଇଥିଲେ । ମାତ୍ର ବିଚାରପତି ତାହା ଗ୍ରହଣ ନକରିବାରୁ ନୀରବଙ୍କୁ ଜେଲ୍ ପଠାଇଦିଆଯାଇଛି । ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ଅଦାଲତ ୨୯ରେ ପୁନର୍ବାର ଶୁଣାଣି କରିବେ ବୋଲି କୁହାଯାଉଛି ।

ସେଆର କରନ୍ତୁ:



Powered by odothemes.com