bjd-karmakarta-mane-ec-nku-dabipatra-pradan-karuchanti-(1)

ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

11

ପେଟ୍ରୋଲ୍ ପମ୍ପ୍ ଓ ଗ୍ୟାସ୍ ଏଜେନ୍ସିରେ ଭିଡିଓ ନିରୀକ୍ଷଣ ବ୍ୟବସ୍ଥା ଦାବି
ଭୁବନେଶ୍ୱର(ବୁ୍ୟରୋ): ରାଜ୍ୟରେ ଥିବା ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ପାଣ୍ଠି ମହଜୁଦ ଓ ଭୋଟରଙ୍କୁ ଟଙ୍କା ବାଣ୍ଟିବା କାମରେ ନିୟୋଜିତ କରିବାର ନୂଆ ତତ୍ତ୍ୱ ଆପଣାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ସାଧାରଣ ନିର୍ବାଚନରେ ତାହାକୁ ବ୍ୟାପକ କରିବାକୁ ଯାଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡିର ଏକ ପ୍ରତିନିଧିଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ସିସି କ୍ୟାମେରା ଜରିଆରେ ନଜର ରଖିବାକୁ ସିଇଓଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।
ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ପେଟ୍ରୋଲିୟମ୍ କମ୍ପାନୀ, ପେଟ୍ରୋଲ ପମ୍ପ ମାଲିକ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ କରିବାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପୂର୍ବସୂରୀଙ୍କୁ ପଛରେ ପକାଇ ଦେଇଛନ୍ତି । ଓଡ଼ିଶାରେ ଏହାକୁ ବ୍ୟାପକ କରି ସେ ଏକ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି । ନିର୍ବାଚନ ବେଳେ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ଟଙ୍କା ମହଜୁଦ୍ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ କରିବାର ସହଜ ଓ ନିରାପଦ ବାଟ ପାଇଛନ୍ତି । ପେଟ୍ରୋଲିୟମ୍ କମ୍ପାନୀ ଓ ଏହାର ଅଫିସର ଏବଂ ଗ୍ୟାସ୍ ଏଜେନ୍ସଗୁୁଡ଼ିକୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରିବାରେ ତାଙ୍କୁ ଦେଶବାସୀ ଜାଣିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଏହା ନିର୍ବାଚନ ବ୍ୟବସ୍ଥା ଉପରେ ଭୟ ଓ ବିପଦ ସୃଷ୍ଟି କରିବାକୁ ଯାଉଛି । ଗତ ବିଜେପୁର ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ କିଭଳି ଟଙ୍କା ଦେଣନେଣ କାରବାରରେ ନିୟୋଜିତ କରିଥିଲେ ତାହା ଧରାପଡ଼ିସାରିଛି । ଚଳିତ ନିର୍ବାଚନରେ ଏହାକୁ ବ୍ୟାପକ କରାଯାଉଥିବା ସ୍ପଷ୍ଟ ହୋଇଗଲାଣି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ନିର୍ବାଚନର ସବୁ ନୀତି ନିୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ଉଲ୍ଲଙ୍ଘନ ହେଉଥିବାରୁ ବିଜେଡ଼ି ଏହା ବିରୋଧରେ ସ୍ୱର ଉଠାଇ ଆସୁଛି । ବିଜେପୁର ଉପନିର୍ବାଚନ ବେଳେ ବିଜେଡ଼ି ଏହି ପ୍ରସଙ୍ଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ବାରମ୍ବାର ଆଣିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବେଆଇନ କାର୍ଯ୍ୟରେ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ତେବେ ଚଳିତ ନିର୍ବାଚନରେ ଏହାର ପୁନରାବୃତ୍ତିକୁ ରୋକିବା ପାଇଁ କମିଶନ ପଦକ୍ଷେପ ନିଅନ୍ତୁ । ରାଜ୍ୟବ୍ୟାପୀ ସବୁ ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକରେ ଭିଡ଼ିଓ ନିରୀକ୍ଷଣ ବ୍ୟବସ୍ଥା କରାଯାଉ । ସେମାନଙ୍କ ବ୍ୟବସାୟିକ କାରବାର ଓ ମହଜୁଦ୍ ଟଙ୍କାର ଟିକିନିକ୍ ହିସାବ ରଖାଯାଉ । ଏହା କରାନଗଲେ ଭୋଟରଙ୍କୁ ପ୍ରଲୋଭିତ କରିବାର ପଥ ସୁଗମ ହୋଇଯିବ ବୋଲି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ରଙ୍କ ଦସ୍ତଖତରେ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଦିଗ ପ୍ରତି ଗୁରୁତ୍ୱର ସହ ଧ୍ୟାନ ଦେବାକୁ କୁହାଯାଇଛି । ଏହି ପ୍ରତିନିଧିଦଳରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ୍ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com