nimapada-(1)

ନିଆରା ପରମ୍ପରା

47

ମାଇପି ମେଳାରେ ଗୁହାରିଆ ପଡ଼ିଲେ ଶତାଧିକ ମହିଳା
ନିମାପଡ଼ା (ଆପ୍ର): ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଅଂଶାଲୋ ଓ କାହ୍ନପୁର ଗ୍ରାମ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ବଟ ଗୋସେଇଁଙ୍କ ପୀଠରେ ପ୍ରସିଦ୍ଧ ମାଇପି ମେଳା ଚୈତ୍ର ମାସ ରବିବାର ଶିବ ଓ ବିଷ୍ଣୁ ଦମନ ଚତୁଦ୍ଦର୍ଶୀରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ମଧ୍ୟରାତ୍ର ପରେ ଶତାଧିକ ମହିଳାଙ୍କ ସମେତ କିଛି ପୁରୁଷ ଠାକୁରଙ୍କ ମନ୍ଦିର ପରିସରରେ ସେମାନଙ୍କର ମାନସିକ କାମନା କରି ଗୁହାରିଆ ପଡିଥିଲେ । ମେଳାଦିନ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗୁହାରିଆ ପଡିଥିବା ଭକ୍ତଙ୍କୁ ପୂଜକ ଜଳ, ତୁଳସୀ, ଦହୀ ପଣା ଦେଇ ଗୁହାରିଆରୁ ଉଠାଇଥିଲେ । ଶହ ଶହ ବର୍ଷ ଧରି ହୋଇଆସୁଥିବା ମାଇପି ମେଳା ପୀଠରେ ଭକ୍ତି, ଶ୍ରଦ୍ଧାର ସହ ଗୁଆ, ନଡିଆ ବସାଇ ମାନସିକ କଲେ ମନସ୍କାମନା ପୁରଣ ହେବା ସହ ପୁରାତନ ରୋଗରୁ ଆରୋଗ୍ୟ ମିଳେ ଏବଂ ବିଶେଷ କରି ନିଃସନ୍ତାନ ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହୁଏ ବୋଲି କିମ୍ବଦନ୍ତୀ ଓ ବିଶ୍ୱାସ ରହିଛି । ପୀଠରେ ଏକ ବିରାଟକାୟ ହୁଙ୍କା, ବନବିହାରୀ ବୃକ୍ଷ, ୨ଟି କଠଉ ସହ ନିରାକାର ବିଷ୍ଣୁଙ୍କୁ ପୂଜା କରାଯାଏ ।ା ସନ୍ତାନପ୍ରାପ୍ତି ଓ ବିଭିନ୍ନ ମାନସିକ ଆଶାରେ ହଜାର ହଜାର ମହିଳାଙ୍କ ସମାଗମ ହେଉଥିବାରୁ ଏହାକୁ ମାଇପି ମେଳା ବୋଲି କୁହାଯାଉଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ପୀତବାସ ସାହୁ ମେମୋରିଆଲ୍ ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ସମାଜସେବୀ ରଣଜିତ୍ ସାହୁ ଜଳଛତ୍ର ଖୋଲିଥିଲେ । ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ଏହି ମେଳାକୁ ଯାତାୟତ ନିମନ୍ତେ ପକ୍କା ସଡ଼କ ନଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

ସେଆର କରନ୍ତୁ:



Powered by odothemes.com