mahila-diwas-abasarare-parichaya-foundation-pakhyaru-ayojita-hotel-crown-thare-eka-sambardhana-sabhare-nobel-bijyeta-kailash-satyarthi-udbodhana-dauchhanti-(5)

ନାରୀ ନିର୍ଯାତନା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ ଜରୁରୀ

179

‘ପରିଚୟ’ ଫାଉଣ୍ଡେସନ୍ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର, (ବୁ୍ୟରୋ): ଭାରତବର୍ଷରେ ନାରୀ ଅସୁରକ୍ଷିତ । ନାରୀ ଶକ୍ତିଶାଳୀ ହୋଇଥିବା ସତ୍ତ୍ୱେ ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଅନେକ ସମୟରେ ବିଭିନ୍ନ ନିର୍ଯ୍ୟାତନାର ଶୀକାର ସହିବାକୁ ପଡ଼ୁଛି । ନିଜର ନୈତିକ ଅଧିକାର, ଶକ୍ତି, ଜ୍ଞାନ ଓ ସାମର୍ଥ୍ୟକୁ ଅନୁଭବ ନକରି ସବୁକିଛିକୁ ମୁଣ୍ଡପାତି ସହିଯାଉଛି । ହେଲେ, ଏବେ ସମୟ ଆସିଛି ଅତ୍ୟାଚାର ଓ ଅନ୍ୟାୟକୁ ନିରବରେ ନ ସହି ଏହା ବିରୋଧରେ ନାରୀକୁ ଦଢ଼ଭାବେ ସ୍ୱରଉତ୍ତୋଳନ କରିବାକୁ ପଡ଼ିବ । ଏଥିପାଇଁ ଏକ ବନ୍ଧୁତାର ବାତାବରଣ ସୃଷ୍ଟି କରିବାକୁ ପଡ଼ିବ । ଯେଉଁଥିଲାଗି ପିତାମାତା, ଭାଇ, ସାଙ୍ଗସାଥି ଓ ଶିକ୍ଷକଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେପରି ପୁଅପିଲାଟି ରାତି ଅଧରେ ରାସ୍ତାରେ ଗଲାବେଳେ ଭୟଭୀତ ହେଉନି, ସେମିତି ଝିଅଟି ମଧ୍ୟ ନିର୍ଭୟରେ ବୁଲିପାରିବା ଦରକାର । ତେବେ ଯେପର୍ଯ୍ୟନ୍ତ ନାରୀକୁ ତା’ର ଅଧିକାର ମିଳିନି ସେପର୍ଯ୍ୟନ୍ତ ଦେଶର ଉନ୍ନତି ହୋଇପାରିବନାହିଁ । ଏକ ସୁସ୍ଥ ଓ ବିକାଶଶୀଳ ଦେଶା ଗଠନରେ ନାରୀ ସ୍ୱାଧୀନତା ନିହାତି ଲୋଡ଼ା ବୋଲି ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ତଥା ଶିଶୁ ଅଧିକାର ସାମାଜିକ କର୍ମୀ କୈଳାସ ସତ୍ୟାର୍ଥୀ କହିଛନ୍ତି ।
‘ପରିଚୟ’ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ଆର୍ଯ୍ୟ ପୁରସ୍କାରର ପଞ୍ଚମ ସଂସ୍କରଣ ଉପଲକ୍ଷେ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସତ୍ୟାର୍ଥୀ କହିଲେ, ସରାକରଙ୍କ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ୫୬ ପ୍ରତିଶତ ଶିଶୁ ଯୌନ ଶୋଷଣର ଶୀକାର ହେଉଛନ୍ତି । ଦେଶରେ ଶିଶୁ ଯୌନ ଶୋଷଣ ବିରୋଧରେ କଠିନ ଆଇନ ରହିଛି । ୨୦୧୫ରେ ଦେଶରେ ଏନେଇ ୧୫ ହଜାର ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ଗତବର୍ଷ ଏହାକୁ ମିଶାଇ ସମୁଦାୟ ୨୦ ହଜାର ମାମଲା କୋର୍ଟରେ ବିଚାରାଧିନ । ତେବେ ଏଥିମଧ୍ୟରୁ ୨ହଜାର ମାମଲାର ବିଚାର କରାଯାଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆହୁରି ମଧ୍ୟ ୯୦ ପ୍ରତିଶତ ମାମଲା ପଡ଼ିରହିଛି । ବହୁତଗୁଡ଼ିଏ ମାମଲା ପୁଲିସ୍ ହସ୍ତକ୍ଷେପରେ ରଫାଦଫା ହୋଇଯାଉଥିବା ସେ କହିଛନ୍ତି । ସେହିପରି ଓଡ଼ିଶାରେ ୪୦ରୁ ୪୫ ପ୍ରତିଶତ ମହିଳା ହିଂସା ଜନିତ ମାମଲା ରହିଥିବା ସେ ସୂଚନା ଦେଇଥିଲେ । ପ୍ରତ୍ୟେକ ଝିଅ ଉତ୍ତମ ଗୁଣାତ୍ମକ ଶିକ୍ଷା ପାଇବା ଜରୁରୀ । ଏହି ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ତା’ର ପରିବାର ଓ ସମାଜ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ଶ୍ରୀ ସତ୍ୟାର୍ଥୀ କହିଛନ୍ତି ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୨ ନାରୀ ପତିଭାଙ୍କୁ ଶ୍ରୀ ସତ୍ୟାର୍ଥୀ ଆର୍ଯ୍ୟ ପୁରସ୍କାର ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଗାର୍ଗୀ ଭଟ୍ଟଚାର୍ଯ୍ୟ (ସମାଜସେବା), ନମିତା ନାୟକ ଚୋପ୍ରା (ମନୋରଞ୍ଜନ), ଡାକ୍ତର ସଙ୍ଘମିତ୍ରା ପତି (ଚିକିତ୍ସା ବିଜ୍ଞାନ ଓ ଗବେଷଣା), କସ୍ତୁରୀ ରାୟ (ସାମ୍ବାଦିକତା), ପୁଷ୍ପାଞ୍ଜଳି ରାଓ (କଳା ଓ ସଂସ୍କୃତି), ରଶ୍ମି ସାହୁ (ଉଦ୍ୟୋଗ), ସରିତା ରାଉତରାୟ (କ୍ରୀଡ଼ା), ଦେବଯାନୀ ମହାନ୍ତି (ସାହିତ୍ୟ), ଜ୍ୟୋସ୍ନାରାଣୀ ଦଳାଇ, ବୈଶାଳୀ ମହାନ୍ତି (ଓଡ଼ିଶୀ ନର୍ତ୍ତକୀ ତଥା ନିଦେ୍ର୍ଦଶିକା) ଓ ମାନିନୀ ମିଶ୍ର (ମନୋରଞ୍ଜନ) । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଏଭି ସ୍ୱାମୀ, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ପ୍ରତୁ୍ୟଶା ରାଜେଶ୍ୱରୀ ଦେବୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହନ୍ତି, ମହିଳା ସଶକ୍ତିକରଣକୁ ନେଇ ‘ପରିଚୟ’ ସବୁବେଳେ ଉତ୍ସାହିତ କରିଆସିଛି । ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ସଫଳତାକୁ ନେଇ ଆମେ ଆର୍ଯ୍ୟ ପୁରସ୍କାର ପ୍ରଦାନ କରିଆସୁଛୁ । ଏମାନେ ରାଷ୍ଟ୍ର ପାଇଁ ଭବିଷ୍ୟତ । ବିଭିନ୍ନ କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଥିବା ମହିଳାମାନେ ଦେଶ ଓ ବିଦେଶରେ ସଫଳତା ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଲଣ୍ଡନରେ କାମ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com