nageswar-raooo

ନାଗେଶ୍ୱରଙ୍କୁ ଅର୍ଥ ଦଣ୍ଡ

12

ସୁପ୍ରିମ୍କୋର୍ଟକୁ ଅବମାନନା
ନୂଆଦିଲ୍ଲୀ, ୧୨ା୨: ସିବିଆଇର ପୂର୍ବତନ ଅନ୍ତରୀଣ ନିଦେ୍ର୍ଦଶକ ଏମ୍ ନାଗେଶ୍ୱର ରାଓ ଅଦାଲତ ନିଦେ୍ର୍ଦଶକୁୁ ଉଲ୍ଲଂଘନ କରିଥିବା ଘଟଣାକୁ ଗୁରୁତର ସହ ସୁପ୍ରିମ୍କୋର୍ଟ ନେଇଛନ୍ତି । ଶ୍ରୀ ରାଓଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସତ୍ତ୍ୱେ ବି ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କୁ ଦଣ୍ଡବିଧାନ କରିଛନ୍ତି । ଶ୍ରୀ ରାଓଙ୍କୁ ଲକ୍ଷେ ଟଙ୍କା ଜରିମାନା କରିବା ସହ ଆଜି କୋର୍ଟ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଏକ କୋଣରେ ବସିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ଶ୍ରୀ ରାଓ ମଧ୍ୟ ପ୍ରଧାନ ବିଚାରପତି ଶ୍ରୀ ଗୋଗେଇଙ୍କ କୋର୍ଟରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏକ କୋଣରେ ବସିରହିଥିଲେ ।
ବିହାରର ସେଲ୍ଟର ହୋମ୍ ଯୌନ କେଳେଙ୍କାରୀ ଘଟଣାର ତଦନ୍ତ କରୁଥିବା ସିବିଆଇର ଯୁଗ୍ମ ନିଦେ୍ର୍ଦଶକ ଏକେ ଶର୍ମାଙ୍କୁ ଶ୍ରୀ ରାଓ ବଦଳି କରିଥିଲେ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶରେ ଏହି ତଦନ୍ତ ହେଉଥିବାରୁ ତଦନ୍ତ ସହ ସମ୍ପୃକ୍ତ ଅଧିକାରୀମାନଙ୍କ ବଦଳି କରାଯାଇପାରିବନାହିଁ ବୋଲି କୋର୍ଟ ରାୟ ଦେଇଥିଲେ । ମାତ୍ର ଶ୍ରୀ ରାଓ ଏହାକୁ ଉଲ୍ଲଂଘନ କରି ତାଙ୍କୁ ଜାନୁଆରୀ ୧୮ରେ ବଦଳି କରିଥିଲେ । ଗତ ସପ୍ତାହରେ ଏହା କୋର୍ଟ ଅବମାନନା ବୋଲି ପ୍ରଧାନ ବିଚାରପତି ରାୟ ଦେବା ସହ ଆଜି ଶ୍ରୀ ରାଓଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାକୁ କହିଥିଲେ । ଗତକାଲି ଶ୍ରୀ ରାଓ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରି ଏହି ଘଟଣା ଲାଗି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଆଜିର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ଶ୍ରୀ ରାଓ ଓ ସିବିଆଇର ଆଇନ ପରାମର୍ଶଦାତା ଏସ୍ ଭାସୁରାମ୍ ଉଭୟଙ୍କୁ ଜେଲ୍ ଦେବା କଥା । ସେମାନେ ଜାଣିଶୁଣି କୋର୍ଟର ନିଦେ୍ର୍ଦଶକୁ ଅବମାନନା କରିଛନ୍ତି । ଉଭୟ ଶ୍ରୀ ରାଓ ଓ ଭାସୁରାମ୍ କୋର୍ଟ ଅବମାନନା କରିଛନ୍ତି । ତେବେ ଶ୍ରୀ ରାଓଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଳ କହିଥିଲେ ଯେ ସେମାନେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିବାରୁ ତାଙ୍କ ଉପରେ କୋହଳ ମନୋଭାବ ପୋଷଣ କରାଯାଉ । ମାତ୍ର କୋର୍ଟ କିଛି ନଶୁଣି ଏହି ଦଣ୍ଡାଦେଶ ଦେଇଥିଲେ । ତେବେ ଅପରାହ୍ଣ ୩ଟା ୪୦ ମିନିଟ୍ରେ ଶ୍ରୀ ଭେନୁଗୋପାଳ ସେମାନଙ୍କୁ କୋର୍ଟ ଛାଡି ଯିବା ଲାଗି ଅନୁମତି ଦିଆଯାଉ ବୋଲି ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ । ଏହାକୁ ନେଇ ପ୍ରଧାନ ବିଚାରପତି ଅତ୍ୟନ୍ତ କ୍ଷୁବ୍ଧ ହୋଇ ଏହା କ’ଣ ବୋଲି ପ୍ରଶ୍ନ ପଚାରିବା ସହ ଆପଣ କ’ଣ ଚାହୁଁଛନ୍ତି ଆସନ୍ତାକାଲି ମଧ୍ୟ ସିଏ ବସିରୁହନ୍ତୁ ବୋଲି ଆମେ ପୁନର୍ବାର ରାୟ ଦେବୁ । ତେବେ ଶ୍ରୀ ଭେନୁଗୋପାଳ କହିଥିଲେ ଯେ ଶ୍ରୀ ଶର୍ମାଙ୍କ ବଦଳି କରାଯାଇଥିବା ନେଇ ସୁପ୍ରିମ୍କୋର୍ଟଙ୍କ ରାୟରେ ଥିବା ପ୍ରସଙ୍ଗକୁ ସଠିକ୍ଭାବେ ଶ୍ରୀ ରାଓ ବୁଝିପାରିନଥିଲେ । ଏହା ଜାଣିଶୁଣି ସେ କରିନାହାନ୍ତି । ତଥ୍ୟରେ ସାମାନ୍ୟ ଗଡବଡ ରହିଥିଲା । ତେବେ କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ପ୍ରଧାନ ବିଚାରପତି କହିଥିଲେ ଯେ ଯଦି ଆମ ଭିତରୁ କାହାକୁ ବିଚାରପତି ହେବାକୁ ସୁଯୋଗ ମିଳିବ ସେ କୌଣସି ପରିସ୍ଥିତିରେ ଏହି ଅବମାନନାକୁ ଉଠାଇ ପାରିବନାହିଁ । ମୁଁ କେବେ ବି କୋର୍ଟ ଅବମାନନା ପାଇଥିବା କ୍ଷମତାକୁ ଅପବ୍ୟବହାର କରିନି କିମ୍ବା କାହାକୁ ଦଣ୍ଡଦେଇନି । ଗତ ୨୦ ବର୍ଷ ମଧ୍ୟରେ ଏଭଳି କରିବାର ଦୃଷ୍ଟାନ୍ତ ନାହିଁ । କିନ୍ତୁ ଏହା ହେଉଛି ବିଚାରବିଭାଗର ଗାରିମା । ଏହାକୁ ବଜାୟ ରଖିବାକୁ ପଡିବ । ତେବେ ଶ୍ରୀ ଭେନୁଗୋପାଳ କହିଥିଲେ ଯେ ମଣିଷ ହିଁ ଭୁଲ୍ କରିଥାଏ । ତେଣୁ ତାଙ୍କୁ କ୍ଷମା ଦେବା ଉଚିତ୍ । ତେବେ ଖଣ୍ଡପୀଠ କହିଥିଲେ ଯେ ଅବମାନନା କରିଥିବା ବ୍ୟକ୍ତିକୁ ସରକାରୀ ଅର୍ଥରେ କିଭଳି ସୁରକ୍ଷା ଦିଆଯାଇପାରିବ ।

ସେଆର କରନ୍ତୁ:



Powered by odothemes.com