ଧର୍ମାନୁଷ୍ଠାନରୁ ଶାସନତନ୍ତ୍ର ଉଚ୍ଛେଦ ହେଉ : ଶଙ୍କରାଚାର୍ଯ୍ୟ

86

ପୁରୀ,୧ା୮(ଆପ୍ର):ଶ୍ରୀଜଗନ୍ନାଥ ମନ୍ଦିର ଭଳି ବିଶ୍ୱ ବିଦିତ ଧର୍ମାନୁଷ୍ଠାରେ ଶାସନତନ୍ତ୍ରର ବ୍ୟବସ୍ଥା ରହିବା ଠିକ୍ ନୁହେଁ । ଧର୍ମାଚାର୍ଯ୍ୟ ମାନଙ୍କ ପରାମର୍ଶରେ ହିଁ ଧର୍ମାନୁଷ୍ଠାନ ଚାଲିଥାଏ । ଶ୍ରୀମନ୍ଦିରରେ ଚାଲିଥିବା ଶାସନତନ୍ତ୍ର ବ୍ୟବସ୍ଥା ଯୋଗୁ ସବୁ ବିଭ୍ର୍ରାଟ ଘଟୁଛି ବୋଲି ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି । ପବିତ୍ର ବ୍ୟାସ ପୂର୍ଣ୍ଣିମା ଅବସରରେ ଗୋବର୍ଦ୍ଧନ ପୀଠରେ ଆଦିତ୍ୟ ବାହିନୀର ବାର୍ଷିକୋତ୍ସବରେ ଆର୍ଶୀବଚନ ପ୍ରଦାନ କରି ଜଗଦଗୁରୁ କହିଥିଲେ ଯେ ପ୍ରଶାସନିକ ହସ୍ତକ୍ଷେପ ଫଳରେ ଶ୍ରୀମନ୍ଦିରରେ ଦିନକୁ ଦିନ ବିଶୃଙ୍ଖଳା ବଢି ଚାଲିଛି । ଏହାକୁ ବନ୍ଦ କରିବା ଏକାନ୍ତ ଆବଶ୍ୟକ । ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା ଶୃଙ୍ଖଳିତ ହେଉନାହିଁ । ମଠ, ମନ୍ଦିର ଓ ସାଧୁସନ୍ଥ ମାନଙ୍କର ପରାମର୍ଶ କାର୍ଯ୍ୟକାରୀ ହେଉନାହିଁ । ରାଜନୈତିକ ନେତାମାନେ କ୍ଷମତାଲିପ୍ସୁ ହୋଇପଡିଛନ୍ତି । ଜଗଦ୍ଗୁରୁ ଏହି ଅବସରରେ ଗୋହତ୍ୟା ଏବଂ ଧର୍ମାନ୍ତରିକରଣକୁ ବିରୋଧ କରିଥିଲେ । ଏଥିସହ ତ୍ରୁଟି ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୋଗୁଁ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଉଲ୍ଲେଖକରି ଉଦ୍ବେଗ ପ୍ରକାଶ କରିଥିଲେ । ଆୟୋଜିତ ଉତ୍ସବରେ ଯୋଗଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ଯେ ସମାଜରେ ନାନା ବିଶୃଙ୍ଖଳା ଦେଖା ଦେଲାଣି । ଗୁରୁଶିଷ୍ୟ ପରମ୍ପରା ବିଲୁପ୍ତ ହୋଇଛି । ଏହାର ପୁନଃପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସମାଜ ଶୃଙ୍ଖଳିତ ହେବ ନାହିଁ । ଆଧ୍ୟାତ୍ମିକ ଚେତନା ଓ ମାନବିକ ମୂଲ୍ୟବୋଧରେ ଅବକ୍ଷୟ ଦେଖାଦେଇଛି । ବିଶ୍ୱକୁ ସନାତନ ଧର୍ମ ଜାତୀୟ ସଂହତିର ବାର୍ତ୍ତା ଦେଉଛି । ଜଗଦଗୁରୁଙ୍କ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ମଞ୍ଚାସୀନଥିଲେ । ସମାବେଶରେ ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର କର୍ମକର୍ତ୍ତାମାନଙ୍କ ସହ ରାଜ୍ୟ ବାହାରୁ ଆସିଥିବା ଜଗଦ୍ଗୁରୁଙ୍କ ଶିଷ୍ୟମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com