ଡିସେମ୍ବର ସୁଦ୍ଧା ୩୩% କମିଲା

54

ଛତିଶଗଡ଼ର କାରସାଦି, ଶୁଖିଲା ମହାନଦୀ
ଭୁବନେଶ୍ୱର, ୭ ।୨ (ବୁ୍ୟରୋ): ଛତିଶଗଡ଼ର ମନମାନି ଓ ଏକପାଖିଆ ନୀତି ଯୋଗୁଁ ମହାନଦୀ ଶୁଷ୍କ ହେବାକୁ ବସିଲାଣି । ୨୦୧୬ ଡିସେମ୍ବର ସୁଦ୍ଧା ମହାନଦୀ ଜଳପ୍ରବାହ ଗତ ୧୦ ବର୍ଷର ହାରାହାରି ହିସାବ ଅନୁଯାୟୀ ୩୩% ହ୍ରାସ ପାଇଛି । ଏହି ଧାରା ଯଦି ଅବ୍ୟାହତ ରୁହେ, ତାହାହେଲେ ହୀରାକୁଦ ଜଳଭଣ୍ଡାର ଅଣମୌସୁମୀ ଋତୁରେ କ୍ଷତିଗ୍ରସ୍ତ ହେବ ବୋଲି ଅପର ମହାନଦୀ ବେସିନ୍ର ମୁଖ୍ୟଯନ୍ତ୍ରୀ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗକୁ ଚିଠିଲେଖି ସୂଚାଇ ଦେଇଛନ୍ତି । ତେବେ ଆସନ୍ତା ୯ ତାରିଖରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି । ବଲାଙ୍ଗୀରରୁ ସେ ତାଙ୍କ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବେ । ସେ ମଧ୍ୟ ସେହିଦିନ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ନିର୍ବାଚନ ପ୍ରଚାର କରିବେ । ରାଜ୍ୟ ବିଜେପି ନେତାମାନେ ରମଣ ସିଂଙ୍କୁ ଓଡ଼ିଶାର ବନ୍ଧୁ ବୋଲି ଚିତ୍ରଣ କରି ତାଙ୍କୁ ପଞ୍ଚାୟତ ନିର୍ବାଚନରେ ତାରକା ପ୍ରଚାରକ କରିଛନ୍ତି । ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ହ୍ରାସ ହେବ ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ ଗଳାଫଟାଇ ଘୋଷଣା କରୁଛନ୍ତି । ମାତ୍ର ତଥ୍ୟ ଯାହା କହୁଛି ସେଥିରୁ ସ୍ପଷ୍ଟ ଯେ ଛତିଶଗଡ଼ର ବ୍ୟାରେଜ ଯୋଗୁଁ ମହାନଦୀ ପ୍ରବାହିତ ହୋଇଛି । ରାଜ୍ୟ ସରକାର ମହାନଦୀକୁ ନେଇ ଯେଉଁ ଯୁକ୍ତି ବାଢ଼ିଛନ୍ତି, ତାହା ସତ୍ୟ ବୋଲି ପ୍ରମାଣିତ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରକୁ ରାଜ୍ୟବାସୀ କେଉଁ ଦୃଷ୍ଟିରେ ଗ୍ରହଣ କରିବେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ଓ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଥିବା ଅଭିଯୋଗ ଦିନକୁ ଦିନ ଶାଣିତ ହେବାରେ ଲାଗିଛି ।
ମୁଖ୍ୟଯନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୬ ଜୁନ୍ରୁ ଅକ୍ଟୋବର ମୌସୁମୀ ଋତୁ ସମୟରେ ମହାନଦୀର ଉପରମୁଣ୍ଡରେ ୧୦୭୫.୮୯ ମିଲିମିଟର ଓ ହୀରାକୁଦର ତଳମୁଣ୍ଡରେ ୧୦୬୫.୭୫ ମିଲିମିଟର ବର୍ଷା ହୋଇଥିଲା । ହୀରାକୁଦ ଡ୍ୟାମକୁ ୨୦୧୬ ମୌସୁମୀ ଋତୁରେ ୧୬.୬୭୨ ନିୟୁତ ଏକରଫୁଟ ଜଳ ଆସିଥିଲା । ଯାହାମଧ୍ୟ ବିଭିନ୍ନ ଗେଟ୍ ଦେଇ ଛଡ଼ାଯାଇଛି । ଚଳିତବର୍ଷ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଅନେକ ବ୍ୟାରେଜ ନିର୍ମାଣ କରୁଛନ୍ତି । ମୁଖ୍ୟତଃ ସାମଡ଼ା, ସୋରି ନାରାୟଣ, ବସନ୍ତପୁର, ମିରୋନି, ସରାଧି ଓ କଲ୍ମା ବ୍ୟାରେଜ ନିର୍ମାଣ ହେଉଛି । ଫଳରେ ମହାନଦୀକୁ ଜଳପ୍ରବାହ ୨୦୧୬ ଡିସେମ୍ବରରେ ମାତ୍ର ୦.୧୨୩ ନିୟୁତ ଏକରଫୁଟ ହୋଇଛି । ଯାହା ୧୦ ବର୍ଷର ହାରାହାରି ଜଳପ୍ରବାହକୁ ହିସାବକୁ ନେଲେ ୩୩% କମ୍ । ୨୦୦୫ ଡିସେମ୍ବରରେ ମହାନଦୀକୁ ୦.୩୬୭ ନିୟୁତ ଏକରଫୁଟ ଜଳ ପ୍ରବାହିତ ହୋଇଥିଲାବେଳେ ୨୦୧୬ରେ ଏହା ୦.୧୨୩ ନିୟୁତ ଏକରଫୁଟ ପ୍ରବାହିତ ହୋଇଛି । ସେହିଭଳି ୨୦୦୬ରେ ୦.୧୬୫, ୨୦୦୭ରେ ୦.୨୪୫, ୨୦୦୮ରେ ୦.୧୭୨, ୨୦୦୯ରେ ୦.୧୦୩, ୨୦୧୦ରେ ୦.୨୨୫, ୨୦୧୧ରେ ୦.୧୧୫, ୨୦୧୨ରେ ୦.୧୨୯, ୨୦୧୩ରେ ୦.୨୧୨, ୨୦୧୪ରେ ୦.୧୬୭ ଓ ୨୦୧୫ରେ ୦.୧୮୩ ନିୟୁତ ଏକରଫୁଟ ଜଳ ହୀରାକୁଦକୁ ଆସିଥିଲା । ଯାହା ହାରାହାରି ୦.୧୮୩ ନିୟୁତ ଏକରଫୁଟ । ୨୦୧୬ ଡିସେମ୍ବରରେ ଏହା ହ୍ରାସ ପାଇ ୦.୧୨୩ ନିୟୁତ ଏକରଫୁଟ ହୋଇଛି ।

ସେଆର କରନ୍ତୁ:



Powered by odothemes.com