DIVERSION-MARAMATI-PAIN-DABI,--jhumpura-(1)

ଡାଇଭରସନ୍ ରାସ୍ତା ମରାମତି କରିବାକୁ ଗ୍ରାମବାସୀଙ୍କ ଦାବି

16

ଝୁମ୍ପୁରା(ଆପ୍ର): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ମଲଦା ଗ୍ରାମ ପଞ୍ଚାୟତର ପଟୁଆକୁଦର ଗ୍ରାମ ପାଶ୍ୱର୍ରେ ପ୍ରବାହିତ ବୈତରଣୀ ନଦୀ ଉପରେ ନିର୍ମାଣାଧିନ ରହିଛି ବିଜୁସେତୁ ଯୋଜନାର ପୋଲ । ପୋଲ ନିର୍ମାଣର ଅବଧି ୨୦୧୯ରେ ଶେଷ ହେବାକୁ ସୂଚନା ଫଳକରେ ଉଲ୍ଲେଖ ରହିଥିଲେ ହେଁ, ପୋଲ ନିର୍ମାଣ କଚ୍ଛପ ଗତିରେ ଚାଲିଥିବାରୁ କାମ ସରିବ କି ନାହିଁ, ଗ୍ରାମବାସୀଙ୍କ ମଧ୍ୟରେ ସନେ୍ଦହ ପ୍ରକାଶ ପାଇଛି । ଏଥିପାଇଁ ପୋଲ ପାଖରେ ଥିବା ଡାଇଭରସନ ରାସ୍ତାକୁ ସଜାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ସୂଚନା ଯୋଗ୍ୟଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ହେଉଥିବା ଏହି ପୋଲ କାର୍ଯ୍ୟକ୍ଷମ ହେଲେ, ମଲଦା-ବସନ୍ତପୁର ଗ୍ରାମ ପଞ୍ଚାୟତ ଦ୍ୱୟର ବାସିନ୍ଦା ଯାତାୟାତର ସୁବିଧା ପାଇବେ । ଏହା ବ୍ୟତିତ ଯୋଡା ଖଣି ମଣ୍ଡଳରୁ ଏବଂ ବାଂଶପାଳ ବ୍ଲକରୁ ୨୦ନଂ ଜାତୀୟ ରାଜପଥକୁ ଯାତାୟାତ ପାଇଁ ସୁବିଧା ହୋଇ ପାରିବ । ତେବେ ଚଳିତ ବର୍ଷର ପ୍ରଥମ ଲଘୁଚାପ ବର୍ଷାରେ ଡାଇଭରସନ ରାସ୍ତା ଧୋଇ ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପଞ୍ଚାୟତ ବାସିନ୍ଦା ବାଧ୍ୟ ହୋଇ ବର୍ତ୍ତମାନ ନଦୀ ପାଣିରେ ପଶି ଯାତାୟାତ କରୁଛନ୍ତି । ପୋଲ ନିର୍ମାଣ ସରି ନ ଥିବାବେଳେ, ପାଶ୍ୱର୍ରେ ଥିବା ଡାଇଭରସନ ରାସ୍ତାକୁ ମଧ୍ୟ ସଜଡା ଯାଉନାହିଁ । ଏନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନଦୀ ପାଣିରେ ପଶି ଯାତାୟାତ ବେଳେ ଜିନିଷ ପତ୍ର ନଦୀ ପାଣିରେ ଖସିଯାଇ ନଷ୍ଟ ମଧ୍ୟ ହେଉଛି । ଡାଇଭରସନ ରାସ୍ତା ସଜାଡିବାର ଗ୍ରାମବାସୀଙ୍କ ଦାବି ସମ୍ବନ୍ଧରେ ପଚାରିବାରୁ, ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡି କହିଲେ, ରାସ୍ତା ନିର୍ମାଣର ଦାୟିତ୍ୱ ପୋଲ ନିର୍ମାଣର ଟେଣ୍ଡର ନେଇଥିବା କଂଟ୍ରାକ୍ଟରର ଇଷ୍ଟିମେଣ୍ଟରେ ନାହିଁ । ତଥାପି ପୋଲ ନିର୍ମାଣ କାର୍ଯ୍ୟର ସୁବିଧା ଏବଂ ଯାତାୟାତର ସୁବିଧା ଦୃଷ୍ଟିରୁ ଡାଇଭରସନ ରାସ୍ତା ସଜାଡିବାକୁ ସମ୍ପୃକ୍ତ କଂଟ୍ରାକ୍ଟରକୁ କୁହାଯିବ ।

ସେଆର କରନ୍ତୁ:



Powered by odothemes.com