naveen

ଟିକେଟ୍ ପାଇଁ ଛକାପଞ୍ଝା

9

ପରସ୍ପର ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରୁଛନ୍ତି ଦଳ
ଭୁବନେଶ୍ୱର, ୧୬ା୩(ବୁ୍ୟରୋ): ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର (୧୮ ମାର୍ଚ୍ଚ) ପ୍ରକାଶ ପାଇବ ବିଜ୍ଞପ୍ତି । ବିଜ୍ଞପ୍ତି ପ୍ରକାଶ ସଙ୍ଗେ ସଙ୍ଗେ ପ୍ରାର୍ଥୀମାନଙ୍କ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଅର୍ଥାତ୍ ମଝିରେ ଆଉ ଗୋଟିଏ ଦିନ । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନରେ ଆସୁଥିବା ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍ଗ୍ରହଣ ହେବ । ଏହି ଆସନଗୁଡିକ ସକାଶେ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ । ପ୍ରାର୍ଥୀପତ୍ର ଦାଖଲର ଦିନ ପାଖେଇ ଆସୁଥିଲେ ମଧ୍ୟ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏପର୍ଯ୍ୟନ୍ତ ସେମାନଙ୍କର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି । ଏଥିପାଇଁ ଦଳର ଉଚ୍ଚ ମହଲରେ କସରତ ଚାଲିଛି । ରାଜନୈତିକ ଦୃଶ୍ୟପଟ୍ଟରୁ ଯାହା ଜଣାପଡୁଛି ଏହି ତିନି ପ୍ରମୁଖ ଦଳ ପରସ୍ପରର ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରି ସମୟ ଗଡାଇ ଚାଲିଛନ୍ତି । ନିର୍ବାଚନ ଘୋଷଣାର ଯଥେଷ୍ଟ ପୂର୍ବରୁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ ବୋଲି କହିଆସୁଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିଲାନାହିଁ । ଶନିବାର ଦଳର କେନ୍ଦ୍ରୀୟ କମିଟିର ବୈଠକ ବସିଛି । ଏଥିରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଉଛି । ଅନୁରୂପଭାବେ ବିଜେଡି ଓ ବିଜେପି ପ୍ରଥମେ ଓ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ସକାଶେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଁ ଉଦ୍ୟମ ଚଳାଇଛନ୍ତି । ଏଭଳିସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସ ନିକଟରେ ଆଶାୟୀ ପ୍ରାର୍ଥୀମାନଙ୍କର ଗହଳି ଦେଖିବାକୁ ମିଳିଛି । ରାଜନୈତିକ ମହଲ ମଧ୍ୟ ଏହି ତିନି ଦଳର ପ୍ରାର୍ଥୀ ତାଲିକାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । ପ୍ରାର୍ଥୀ ତାଲିକା ପ୍ରକାଶ ବିଳମ୍ବ ହେଉଥିବା ପରିପ୍ରେକ୍ଷୀରେ ଦଳଡିଆଁ ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଟିକଟ ପାଇବାର ଆଶା କ୍ଷୀଣ ଥିବା ନେତା ଓ ବିଧାୟକମାନେ ମୂଳ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି । ଟିକଟ ଆଶା ସେମାନଙ୍କୁ ଦଳତ୍ୟାଗ ପାଇଁ ପ୍ରୋତ୍ସାହିତ କରୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪ଟି ଲୋକସଭା ଓ ତତ୍ସଲଂଗ୍ନ ୨୮ଟି ବିଧାନସଭା ଆସନ ନିମନ୍ତେ ଆସନ୍ତାକାଲି ଦଳ ପକ୍ଷରୁ ଚୂଡାନ୍ତ ତାଲିକା ଘୋଷଣା କରାଯିବ । ଏହି ତାଲିକାକୁ ଦୁଇଟି ପର୍ଯ୍ୟାୟରେ ଘୋଷଣା କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଦଳ ସୁପ୍ରିମୋ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ବିଜୟ ସମ୍ଭାବନାକୁ ପ୍ରାର୍ଥୀ ଚୟନର ମାପକାଠି କରିଛନ୍ତି ବିଜେଡି ସୁପ୍ରିମୋ । ଯଦିଓ ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିସାରିଛି ତେବେ ଦୁଇଟି ଜାତୀୟ ଦଳ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ତାଲିକା ଚୂଡାନ୍ତ ଉପରେ ନଜର ରହିଛି । ଉଭୟ ବିରୋଧୀ କେଉଁ ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରିବେ ତାହା ସ୍ପଷ୍ଟ ହେବା ପରେ ବିଜେଡି ସେହି ଅନୁସାରେ ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ଆଲୋଚନା ହେଉଛି । ଉଭୟ ବିରୋଧୀଙ୍କୁ ଚେକ୍ ଦେବା ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକା ଦୁଇଟି ଦଫାରେ ଘୋଷଣା କରିବା ଲାଗି ଦଳ ଯୋଜନା କରିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଥମ ଦଫାର ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ଜଣାପଡିଛି ।
ଆଜି ଦିନତମାମ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ଚୂଡାନ୍ତ ନେଇ ଘନଘନ ବୈଠକ ବସିଥିଲା । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଦଳୀୟ ନେତାଙ୍କ ସହ ଆଲୋଚନା କରାଯାଇଥିଲା । ଅପରପକ୍ଷରେ ସାଧାରଣ ନିର୍ବାଚନ ଲାଗି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସକାଳୁ ସନ୍ଧ୍ୟା ଯାଏଁ ନବୀନ ନିବାସରେ ଏବେ ନେତାଙ୍କ ଭିଡ଼ ଦେଖିବାକୁ ମିଳୁଛି । ଶନିବାର ଦିନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ତଥା ଶିବସେନାର ନେତା ହରିଶ୍ଚନ୍ଦ୍ର ପଣ୍ଡା ବିଜେଡିରେ ଯୋଗ ଦେଇଛନ୍ତି । ସେହିଭଳି ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ମୋହନ ଜେନା, ପୂର୍ବତନ ବିଧାୟକ ରବି ପାଣି ଓ ଅନୁପ ସାଏ ମଧ୍ୟ ଟିକଟ ଆଶାୟୀ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକଟ ପାଇଁ ଆବେଦନ କରିଛନ୍ତି । ଅପରପକ୍ଷରେ ନିଆଳୀ ଓ ସମ୍ବଲପୁର ନିର୍ବାଚନ ମଣ୍ଡଳୀର କିଛି ନେତା ଓ କର୍ମୀ ନବୀନ ନିବାସରେ ପହଞ୍ଚି ସ୍ଥାନୀୟ ବିଧାୟକ ପ୍ରମୋଦ ମଲ୍ଲିକ ଓ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଟିକଟ ନଦେବା ଲାଗି ଦଳ ସୁପ୍ରିମୋଙ୍କୁ ଦାବି ଜଣାଇଛନ୍ତି । ତେବେ ସନ୍ଧ୍ୟାରେ ନବୀନ ନିବାସରେ ହଠାତ ବିଜେପିର ପୂର୍ବତନ ବିଧାୟକ ଦିଲୀପ ରାୟଙ୍କ ଉପସ୍ଥିତି ରାଜ୍ୟ ରାଜନୀତିଙ୍କୁ ସରଗରମ କରିଦେଇଥିଲା । ନିର୍ବାଚନ ପୂର୍ବରୁ ଦିଲୀପଙ୍କ ଘରବାହୁଡା ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଦାର୍ଘ ୧୭ ବର୍ଷ ପରେ ଶ୍ରୀ ରାୟଙ୍କ ଏହା ଘରବାହୁଡା ବୋଲି କୁହାଯାଉଛି । ଆସନ୍ତାକାଲି ଶ୍ରୀ ରାୟ ନିବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି ।
ସେପଟେ ଯେକୌଣସି ମୁହୂର୍ତ୍ତରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ । ୧୫ ଲୋକସଭା ଓ ଏହା ଅନ୍ତର୍ଗତ ୧ଠ୫ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଉପରେ କେବଳ ଫାଇନାଲ୍ ଟଚ୍ ବାକି ରହିିଥିବା ବେଳେ ବଳକା ଆସନ ଲାଗି ଆହୁରି ତର୍ଜମା କରାଯିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ତିନିଟି ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି । ଆଜି ଦିଲ୍ଲୀରେ ବସିଥିବା ସ୍କ୍ରିନିଂ କମିଟି ବୈଠକରେ ଅଛିଣ୍ଡା ଆସନ ଉପରେ ଆଲୋଚନା ହୋଇଛି । ଅପରପକ୍ଷରେ ଚୂଡ଼ାନ୍ତ ତାଲିକାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ୍ କରାଯାଇଛି । ସ୍କ୍ରିନିଂ କମିଟିରୁ ଚୂଡ଼ାନ୍ତ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତର୍ଜମା କରାଯାଇଛି । ସିଇସି ଏହାକୁ ଅନଧ୍ୟାନ କରି ସାରିିବା ପରେ ଦଳର ହାଇକମାଣ୍ଡ ରାହୁଲ୍ ଗାନ୍ଧିଙ୍କ ମୋହର ବାଜି ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କୁହାଯାଇଛି । ତେବେ କଂଗ୍ରେସ ଆସନ୍ତାକାଲି (ରବିବାର) କିମ୍ବା ସୋମବାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ଅପରପକ୍ଷରେ ଦଳର ଟିକଟ କସରତ ଚାଲିଥିବା ବେଳେ ଜଣକ ପରେ ଜଣେ ନେତା ବିମୁଖ ହେବାରେ ଲାଗିଛନ୍ତି । ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସ ହାତ ଛାଡ଼ିଛନ୍ତି । ପୂର୍ବରୁ ମଧ୍ୟ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ ଦାସ ଓ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେହିପରି ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏପରିସ୍ଥିତିରେ ଦଳ ମହିଳା ଓ ଯୁବକଙ୍କ ସମେତ ପୁରୁଖାଙ୍କୁ ଗୁରୁତ୍ୱ ଦେଉଛି ।
ସେହିପରି ମିଶନ ୧୨୦କୁ ସଫଳ କରିବା ଲାଗି ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ଓଡିଶାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ନିମନ୍ତେ ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟରେ ମାରାଥନ୍ ବୈଠକ ବସିଥିବା ବେଳେ ବିଳମ୍ବିତ ରାତି ସୁଦ୍ଧା ଚୟନ ପ୍ରକ୍ରିୟା ଚୁଡାନ୍ତ ହୋଇପାରନଥିବା ଜଣାପଡ଼ିଛି । ତେବେ ଆସନ୍ତାକାଲି ସୁଦ୍ଧା ଦଳ ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com