ଜେଲ୍ରେ ବାବା, ଦୁଇପୁଅ

826

ଭୁବନେଶ୍ୱର,୩୧ା୮(ବୁ୍ୟରୋ): ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚୁ୍ୟତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର, ତାଙ୍କ ଦୁଇ ବିଲ୍ଡର ପୁଅ ତ୍ରିଲୋଚନ ଓ ବିରଞ୍ଚିକୁ ପୁଲିସ୍ କାଲି ରାତି ପ୍ରାୟ ଅଢେଇଟାବେଳେ ଉଠାଇ ଆଣି ଆଜି ଗିରଫ କରିଥିଲେ ମଧ୍ୟ ଆଶ୍ରମ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଆଶ୍ରମରେ ସୁରଙ୍କ ଦ୍ୱିତୀୟ ପନିୀଭାବେ ହୁକୁମ୍ ଜାହିର କରିଆସିଥିବା ସାନ ମା’ଙ୍କୁ ଗିରଫ, ଗିରଫ ୧୨ ଜଣ ସ୍ଥାନୀୟ ଯୁବକଙ୍କୁ ଖଲାସ କରିବା, ଆଶ୍ରମ ନାମରେ ସୁର ଜବରଦଖଲ କରିଥିବା ସ୍ଥାନୀୟ ଲୋକଙ୍କ ଜମି ଓ ସରକାରୀ ଜମିକୁ ବେଦଖଲ ଆଦି ବିଭିନ୍ନ ଦାବିରେ ସ୍ଥାନୀୟ ଲୋକ ଆଜି ପୁଲିସ୍ ପ୍ରହରା ସତ୍ତ୍ୱେ ଆଶ୍ରମକୁ ପଶି କାଲି ରାତି ଭଳି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ଉତ୍ତ୍ୟକ୍ତ ଜନତା ଆଶ୍ରମ ପରିସରରେ ଥିବା ଟାଟା ସୁମୋ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ଏହାକୁ ମିଶାଇ ଗତକାଲି ଓ ଆଜି ସୁଦ୍ଧା ଆଶ୍ରମ ପରିସରରେ ୨୦ଟି ୪ ଚକିଆ ଗାଡି ସମେତ ବାଇକ୍ ଓ ଅଟୋ ମିଶି ୩୦ଟି ଗାଡି ପୋଡାଯାଇଛି । ୬୦୦ ଏକର ପରିମିତ ଆଶ୍ରମର ଗୋଟିଏ ପଟେ ପୁଲିସ୍ ଜଗିଥିବାବେଳେ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଯୁବକ ଆଜି ଅପରାହ୍ଣରେ ପଛପଟୁ ଆଶ୍ରମ ଭିତରକୁ ପଶିଆସି ଆଖିଆଗରେ ଯାହା ପଡିଲା ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ସେଠାରେ ଥିବା ଆଖୁଚାଷକୁ ଉଜାଡିବା ପାଇଁ ଉଦ୍ୟମ କରିଥିଲେ । ପୁଲିସ୍ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ । ଫଳରେ ପୁଲିସ୍ ବାଧ୍ୟ ହୋଇ ମୃଦୁ ଲାଠିଚାଳନା କରିଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍କୁ ଟେକାପଥର ଫୋପାଡିବାରୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦେବୀ ଶଙ୍କର ପ୍ରସାଦଙ୍କ ସମେତ ଆଜି ୧୪ ଜଣ ପୁଲିସ୍ ଆହତ ହୋଇଛନ୍ତି । ଗତକାଲି ଲିଙ୍ଗରାଜ ଥାନା ଆଇଆଇସି ଜନାର୍ଦ୍ଧନ ପାଢୀ ଆଶ୍ରମର ଅନ୍ତେବାସୀଙ୍କ ଆକ୍ରମଣରେ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଶେଷରେ ପୁଲିସ୍କୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡିଥିଲା । ଘଟଣାସ୍ଥଳରେ ପ୍ରଥମେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଥିବାବେଳେ ଗଣ୍ଡଗୋଳ ଘଟିବାରୁ ଆଉ ୫ ପ୍ଲାଟୁନ୍ ଫୋର୍ସ ସେଠାରେ ମୁତୟନ ହୋଇଛନ୍ତି । ଆସନ୍ତାକାଲି ସୁଦ୍ଧା ସେଠାରେ ଅଧିକ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସମ୍ଭାବନା ଅଛି । ଏହାଛଡା ଆଜି ଗଣ୍ଡଗୋଳ ପରେ ଆଶ୍ରମ ପରିସରରେ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିସିପି ସତ୍ୟବ୍ରତ ଭୋଇ ଓ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି ।
ଗିରଫ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କୁ ପୁଲିସ୍ ଆଜି ଅପରାହ୍ଣରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଜେଏମ୍ଏଫ୍ସି) କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ ହୋଇନଥିବାରୁ କୋର୍ଟ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଥିଲେ । ଅନ୍ୟପକ୍ଷରେ ସୁର ବାବାଙ୍କୁ ଅଧିକ ଜେରା ପାଇଁ ପୁଲିସ୍ ଆସନ୍ତାକାଲି କୋର୍ଟରେ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି । ତେବେ ସୁର ବାବାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ୫ଟି ମାମଲା ବାଲିପାଟଣା ଥାନାରେ ରୁଜୁ ହୋଇଥିବାରୁ ଓ ସେଥିରେ ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲକ୍ମେଲ୍ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିବାରୁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରିବା ପାଇଁ କମିଶନରେଟ୍ ପୁଲିସ୍ ଯୋଜନା ରଖିଛି । ସୁର ବାବାଙ୍କ କେଳେଙ୍କାରୀର ତଦନ୍ତକୁ ବ୍ୟାପକ କରିବା ପାଇଁ କମିଶନରେଟ୍ ପୁଲିସ୍ ୪ଟି ଟିମ୍ ଗଠନ କରିଛି । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ପୁଲିସ୍ ଓ ଜନତା ମିଶି ଶାନ୍ତି କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
କମିଶନର ଆର୍ପି ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଲିସ୍ ଯାଞ୍ଚ ବେଳେ ତ୍ରାହି ଅଚୁ୍ୟତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ଏମ୍ଏମ୍ ଗୁଳି ମିଳିଛି । ମୋଟ୍ ୫ଟି ମାମଲା ରୁଜୁ ହୋଇଥିବାବେଳେ ସୁର ବାବାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୨୪୧, ୨୯୪, ୩୨୧, ୩୨୩, ୩୪୨, ୩୫୪, ୧୦୯, ୫୦୬, ୩୪, ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଧାରା ୨୫ ଏବଂ ଆଦିବାସୀ/ହରିଜନ ନିର୍ଯାତନା ପ୍ରତିରୋଧ ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଅପରପକ୍ଷରେ ଆଶ୍ରମରେ ପଶି ଭଙ୍ଗାରୁଜା ଓ ପୋଡାଜଳା କରିଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ୧୨ ଜଣ ଯୁବକଙ୍କୁ ପୁଲିସ୍ ଗିରଫ କରିଛି । ଘଟଣା ସମୟର ଭିଡିଓ ଫୁଟେଜ୍କୁ ଦେଖି ଅନ୍ୟ ଗଣ୍ଡଗୋଳକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ କମିଶନର କହିଛନ୍ତି ।
ଝିଇଁଟିସ୍ଥିତ ଅଚୁ୍ୟତ ଆଶ୍ରମରେ ଭଙ୍ଗାରୁଜା ଓ ପୋଡାଜଳା ଖବର ପ୍ରସାରିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଚୁ୍ୟତ ଆଶ୍ରମରେ ସ୍ଥାନୀୟ ଲୋକେ ପଶି ଗଣ୍ଡଗୋଳ ସହ ପୋଡାଜଳା କରିଛନ୍ତି । ଆଜି ସନ୍ଧ୍ୟାରେ ନୟାପଲ୍ଲୀ ଅନ୍ତର୍ଗତ ରେଣ୍ଟାଲ କଲୋନୀସ୍ଥିତ ଅଚୁ୍ୟତ ଆଶ୍ରମରେ ମଧ୍ୟ ଲୋକେ ଭଙ୍ଗାରୁଜା କରିଥିବାବେଳେ ଖୋର୍ଦ୍ଧାର ପାନ ବଜାର, ଆଠଗଡର ଛେନାଖିଆ, ବାଲେଶ୍ୱରର ରେମୁଣା ଗୋଲେଇ ଆଦି ଅଞ୍ଚଳରେ ଥିବା ତ୍ରାହି ଅଚୁ୍ୟତ ଆଶ୍ରମରେ ଅନୁରୂପ କାଣ୍ଡ ଘଟିଛି । ସେପଟେ ଉତ୍ତ୍ୟକ୍ତ ଲୋକେ କୋଣାର୍କ-କାକଟପୁର ରାସ୍ତା ଅବରୋଧ କରିଥିବା ଖବର ମିଳିଛି ।

ସେଆର କରନ୍ତୁ:



Powered by odothemes.com