ଜୁଲାଇ ୫ ସୁଦ୍ଧା ଯୋଗ୍ୟ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ କାର୍ଡ଼ ଦିଅ

27

ଭୁବନେଶ୍ୱର (ବୁ୍ୟରୋ): ଜୁଲାଇ ୫ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ଏସ୍ଏ) ସମସ୍ତ ହିତାଧିକାରୀଙ୍କୁ ରାସନ୍ କାର୍ଡ ପ୍ରଦାନ କର । ସ୍ୱଚ୍ଛତା ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ମେ’ ୩୧ ସୁଦ୍ଧା ଏନ୍ଏଫ୍ଏସ୍ଏର ହିତାଧିକାରୀ ହେବାପାଇଁ ଆବେଦନ କରିଥିବା ସମସ୍ତ ଦରଖାସ୍ତଗୁଡ଼ିକୁ ବିଚାର କରି ଜୁନ୍ ୩୦ ସୁଦ୍ଧା ଦେବାକୁ କୁହାଯାଇଥିଲା । ଜୁଲାଇ ୫ରେ ଖାଦ୍ୟ ସୁରକ୍ଷା ଆଇନ୍କୁ ୪ ବର୍ଷ ପୂରୁଛି । ତା’ ପୂର୍ବରୁ ଏହାକୁ ଶେଷକରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ୭ଟି ଜିଲ୍ଲାରେ ୧.୫୨ ଲକ୍ଷ ଆବେଦନ ପଡ଼ିରହିଛି । ବଲାଙ୍ଗୀର ଜିଲ୍ଲାରେ ୨୦୬୨୮ଟି ଆବେଦନ ପଡ଼ିରହିଥିଲାବେଳେ କଟକରେ ୧୫୪୬୬, ଖୋର୍ଦ୍ଧାରେ ୧୪୬୧୮, ନୂଆପଡ଼ାରେ ୧୪୪୫୬, ପୁରୀରେ ୯୧୭୪, କେନ୍ଦୁଝରରେ ୮୯୦୬ ଓ ବାଲେଶ୍ୱରରେ ୮୫୮୪ ଆବେଦନକାରୀଙ୍କ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ । ମାଲକାନଗିରି ଓ ସୋନପୁର ଜିଲ୍ଲାପାଳମାନେ ସେମାନେ ଶତପ୍ରତିଶତ ଆବେଦନକୁ ଚୂଡ଼ାନ୍ତ କରିଥିବା ସୂଚନା ଦେଇଥିବାରୁ କମିଶନଙ୍କ ପକ୍ଷରୁ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଅଜ୍ଞତାବଶତଃ ଏନ୍ଏଫ୍ଏସ୍ଏରେ ହିତାଧିକାରୀ ହେବାକୁ ବହୁ ଯୋଗ୍ୟ ବ୍ୟକ୍ତି ଆବେଦନ କରିପାରିନଥିଲେ । ଏପ୍ରିଲ୍ ଓ ମେ ୨୦୧୭ରେ ଆବେଦନ ଗ୍ରହଣ କରିବାକୁ ବିଡିଓ ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସହଯୋଗ କରିନଥିବା ଅଭିଯୋଗ ହେଉଛି । ଏହାଛଡ଼ା କେତେକ ବିଡିଓ ମଧ୍ୟ ହିତାଧିକାରୀଙ୍କ ଆବେଦନକୁ ଗ୍ରହଣ ନକରି ଧାର୍ଯ୍ୟ ସିଲିଂ ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ସେମାନେ ଦର୍ଶାଉଛନ୍ତି ଯେ, ଧାର୍ଯ୍ୟ ହେଉଥିବା ସିଲିଂ ଅଧିକା ହୋଇଗଲାଣି । ତେବେ ଖାଦ୍ୟ କମିଶନଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମିଲ କର । ବିଡିଓମାନେ ଏହି କାରଣ ଦର୍ଶାଇ ନିଜକୁ ଖସାଇବାକୁ ଚେଷ୍ଟା କରିଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅଧିକାଂଶ ଆବେଦନ ଚଳିତମାସରେ ଫଇସଲା ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ନୂଆ ରାସନ୍ କାର୍ଡ଼ ପ୍ରଦାନ କରାଯାଇନାହିଁ । ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନଙ୍କୁ ଚୂଡ଼ାନ୍ତ ପ୍ରାଥମିକତା ତାଲିକାରେ ଖାଲିଥିବା ସ୍ଥାନରେ ସାମିଲ କରାଯାଉ । କେତେକ ବିଡିଓ ଏକ୍ଷେତ୍ରରେ ଦେଖାଉଥିବା ଆଚରଣ ଗ୍ରହଣୀୟ ନୁହେଁ । ଏହାଛଡ଼ା ଯୋଗ୍ୟ ବ୍ୟକ୍ତିର ରାସନ୍କାର୍ଡ଼ ଆବେଦନକୁ ଅନିଶ୍ଚିତ କାଳ ପାଇଁ ପକାଇବା ଉଚିତ ନୁହଁ । ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ମଧ୍ୟ ଏସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି । ତେଣୁ ବକେୟା ଆବେଦନଗୁଡ଼ିକ ଜୁଲାଇ ୫ ସୁଦ୍ଧା ଚୂଡ଼ାନ୍ତ କରିବାକୁ ଜାମୁଡ଼ା ଚିଠି ଲେଖିଛନ୍ତି ।

ସେଆର କରନ୍ତୁ:



Powered by odothemes.com