6

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍ୟାପିତ

35

ଢେଙ୍କାନାଳ,୧୧ ।୨(ଆପ୍ର): ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୧୯ ପାଳନ ଅବସରରେ ଢେଙ୍କାନାଳରେ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ସପ୍ତାହ ସୋମବାର ଉଦ୍ୟାପିତ ହୋଇଛି । ସୋମବାର ପୂର୍ବାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଢେଙ୍କାନାଳ ଜିଲ୍ଲା ସଡକ ସୁରକ୍ଷା ସମିତିର ମିଳିତ ସହଯୋଗରେ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବରେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମସ୍ତ ଗାଡି ଚାଳକ ନିଜକୁ ନିଜେ ଶିଖାଇ ସଚେତନ ହୋଇ ରାସ୍ତାରେ ଯାନବାହାନ ଚଳାଇବା ନିହାତି ଆବଶ୍ୟକ, ଦୁର୍ଘଟଣା ଗ୍ରସ୍ତ ହେଲେ ଆମ ଜୀବନର ଗତିପଥ ନିମିଷକ ମଧ୍ୟରେ ଦୁର୍ଦ୍ଦଶା ହୋଇପାରେ ବୋଲି କହିଥିଲେ । ତେଣୁ ଆମେ ସମସ୍ତେ ଦାୟିତ୍ୱବାନ ହୋଇ ସତର୍କତାର ସହିତ ଗାଡି ଚଳାଇବା ସହିତ ହେଲ୍ମେଟ୍, ସିଟ୍ ବେଲ୍ଟ ପିନ୍ଧିବାର ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆର୍ଥିକ ପ୍ରଗତି ଯୋଗୁଁ ଯାନବାହାନ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଥିବାରୁ ରାସ୍ତାରେ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପେଶାଦାର ଡ୍ରାଇଭରମାନଙ୍କୁ ଅଧିକ ସଚେତନ କରାଇବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି ଆବଶ୍ୟକ, ଫଳରେ ରାଜପଥରେ ଦୁର୍ଘଟଣା ହ୍ରାସ ପାଇପାରିବ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀ ଓ ଯୁବପିଢି ଅଧିକ ସଚେତନ ହେବାକୁ ସେ ପରାମର୍ଶ ଦେବା ସହ ଯାନବାହାନ ନିୟନ୍ତ୍ରଣ ଓ ଜନ ସଚେତନତା ପାଇଁ ବିଭିନ୍ନ ମହାବିଦ୍ୟାଳୟର ୬୦ ଜଣ ଷ୍ଟୁଡେଣ୍ଟ ଭଲୁ୍ୟଣ୍ଟିୟର୍ସଙ୍କୁ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ନରୋତ୍ତମ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ସଚେତନତା ଦ୍ୱାରା ହିଁ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ଏଣୁ ଧନଜୀବନ ରକ୍ଷା ନିମନ୍ତେ ଆମେ ନିଜକୁ ସଚେତନ କରାଇ ନିଜର ଏବଂ ଅନ୍ୟର ଧନଜୀବନ ରକ୍ଷା କରିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ପ୍ରାରମ୍ଭରେ ନୀଳୟ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । କୃତି ପ୍ରତିଯୋଗୀ, ଉତ୍ତମ ସେବା ପ୍ରଦାନକାରୀ ଆରକ୍ଷୀ କର୍ମଚାରୀ, ବିଭିନ୍ନ ଯାନଚାଳକମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଏକ ପି.ସି ଆର୍ ଭ୍ୟାନଙ୍କୁ ମୁଖ୍ୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉଦ୍ୟାପନୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କର ଏକ ବିରାଟ ଶୋଭାଯାତ୍ରା ବାଜିଚୌକ ଠାରୁ ବାହାରି ସହର ମଧ୍ୟ ଦେଇ ମିନି ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲା । ଶେଷରେ ମୋଟରଯାନ ନିରୀକ୍ଷକ ଶ୍ରୀବତ୍ସ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟନାରାୟଣ କର ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com