IMG-20190112-WA0035_1

ଚିଲିକା ଓଡ଼ିଶାର ଅମୂଲ୍ୟ ସମ୍ପଦ

35

ପୁରୀ (ବୁ୍ୟରୋ): ଚିଲିକା ଓଡ଼ିଶାର ଅମୂଲ୍ୟ ସମ୍ପଦ । ଏହାର ଅପୂର୍ବ ସୌନ୍ଦର୍ଯ୍ୟରାଶିକୁ ଚିଲିକା ମହୋତ୍ସବ ସାରା ଦେଶରେ ପରିଚିତ କରିପାରିଛି ବୋଲି ସାତପଡ଼ାରେ ଆୟୋଜିତ ଚିଲିକା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ।
ଶୀତୁଆ ସନ୍ଧ୍ୟାରେ ସାତପଡ଼ାରେ ଆୟୋଜିତ ଚିଲିକା ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ଦିନ । ଏହି ଉପଲକ୍ଷେ ପୂର୍ବତନ ମନ୍ତ୍ରୀ ତଥା ବ୍ରହ୍ମଗିରି ବିଧାୟକ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ଜେନା କହିଥିଲେ, ବିଧାୟକ ଶ୍ରୀ ଦାସବର୍ମାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଚିଲିକା ମହୋତ୍ସବ ସାରା ଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିଛି । ଏଥିଯୋଗୁ ଚିଲିକାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।
ସମ୍ମାନିତ ଅତିଥି ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଆଜି ସର୍ବାଙ୍ଗୀନ ବିକାଶ ସାଧିତ ହୋଇପାରିଛି । ଏଠାରେ ବିଶୁଦ୍ଧ ପାନୀୟଜଳର ଅଭାବ ରହିଥିଲା ଫଳରେ ସ୍ଥାନୀୟ ଲୋକେ ଲୁଣି ପାଣି ବ୍ୟବହାର କରୁଥିଲେ । ଏବେ ସେମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ଆରମ୍ଭ ହୋଇଛି । ଆଗାମୀ ଦିନରେ ଉକ୍ତ ଅଞ୍ଚଳର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଦାସବର୍ମା କହିଲେ, କପିଳେଶ୍ୱରପୁରର ଜଗନ୍ନାଥ ଦାସ, କାଣ୍ଡଗଦାର ମନେଇ ସାହୁ, ପାରିକୂଳର ଗୁରୁ ଗଙ୍ଗାଧର, ବେଣ୍ଟପୁରର ରାୟରାମାନୁଜଙ୍କ ଭଳି ମହାମନିଷୀଙ୍କ ଦ୍ୱାରା ବ୍ରହ୍ମଗିରିର ଐତିହ୍ୟ ଓ ସଂସ୍କୃତି ସମୃଦ୍ଧ ହୋଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ସଭ୍ୟା ବନ୍ଦନା ପରିଡ଼ା ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସାଂସ୍କୃତିକ ସନ୍ଧ୍ୟାରେ ରଘୁରାଜପୁର କଳାକାରଙ୍କ ଦ୍ୱାରା ଗୋଟିପୁଅ, ସମ୍ବଲପୁରୀ, ବଲାଙ୍ଗୀର ଡ୍ର୍ୟାନ୍ସଗ୍ରୁପ୍ର ଡାଲଖାଇ, ପୁରୀର ସୁରିଆ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଛଉନୃତ୍ୟ ଓ ଝୁମୁରା ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ଓଡ଼ିଶା ପର୍ଯ୍ୟଟନ ବିଭାଗ, ଓରମାସ, କୃଷିବିଭାଗ, ସର୍ବଶିକ୍ଷା ଅଭିଯାନ, ଚିଲିକା ଉନ୍ନୟନ ପରିଷଦ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ଗୁଡ଼ିକ ସହିତ ହସ୍ତଶିଳ୍ପ ଓ ଚିଲିକାର ପାରମ୍ପରିକ ଖାଦ୍ୟ ବଜାରରେ ଭିଡ଼ ଜମି ଥିବାବେଳେ ଅପରାହ୍ଣରେ ସାତପଡ଼ା ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ସାହିଯାତ ଓ ପାଇକଆଖଡା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥିଲା ।

ସେଆର କରନ୍ତୁ:



Powered by odothemes.com