ଚିତ୍ରୋପିଳା ଲଙ୍ଘୁଛି କୂଳ: କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ

42

ନିଶ୍ଚିନ୍ତକୋଇଲି, ୧୨ା୬(ଆପ୍ର): ଜଳସମ୍ପଦ ବିଭାଗର ଚରମ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ଠାରେ ଚିତ୍ରୋପିଳା ନଦୀ କୂଳ ଖାଉଛି । ଫଳରେ ନରେନ୍ଦ୍ରପୁର ଗ୍ରାମ ଚିତ୍ରୋପିଳା ନଦୀରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଏହାର ପ୍ରତିକାର ନିମନ୍ତେ ଜଳସମ୍ପଦ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଫଳରେ ଜନଅସନ୍ତୋଷ ଦେଖାଦେଇଛି । ଉଲ୍ଲେଖଯୋଗ୍ୟ, ନରେନ୍ଦ୍ରପୁର ଠାରେ ଚିତ୍ରୋପିଳା ନଦୀର ବାମପାଶ୍ୱର୍ କୂଳ ଖାଇବାରେ ଲାଗିଛି । ସ୍ଥାନୀୟ ସେକ୍ସନ ବଜାର ଠାରୁ ଗଡିଜଙ୍ଗ ପର୍ଯ୍ୟନ୍ତ ପ୍ରାୟ ଦେଢ କିମି ବ୍ୟାପି ଏହି ନଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଏହି ନଦୀବନ୍ଧ ଭାଙ୍ଗି ଲୋକଙ୍କ ଧନଜୀବନକୁ ବିପଦାପନ୍ନ କରିବ ତାହା କହିହେଉନାହିଁ । ଏଠାରେ ଘାଇ ହେଲେ ନରେନ୍ଦ୍ରପୁର, ମଧୁ ଗଡିଜଙ୍ଗ, ଫତେପୁର, ଅସରପଡା, କୋରୁଆ, ମାଣତିରି, କୃଷ୍ଣଦାସପୁର ପ୍ରଭୃତି ଶହଶହ ଗ୍ରାମ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପ୍ରତିବର୍ଷ ନଦୀରେ ବନ୍ୟା ଆସିଲେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି । ସରକାରଙ୍କ ତରଫରୁ ନଦୀବନ୍ଧ ମରାମତି ଓ ସୁଦୃଢୀକରଣ ନିମନ୍ତେ କୋଟିକୋଟି ଟଙ୍କା ବିନିଯୋଗ ହେଉଥିଲା ବେଳେ ଏଠାରେ ନଦୀବନ୍ଧ ସୁଦୃଢୀକରଣ, ମରାମତି କିମ୍ବା ପଥର ପ୍ୟାକିଂ କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜଳସମ୍ପଦ ବିଭାଗ ତରଫରୁ ଏହି ନଦୀବନ୍ଧକୁ ସୁଦୃଢୀକରଣ କରାଯିବା ସହ ପଥର ପ୍ୟାକିଂ କରିବା ନିମନ୍ତେ ନିରଞ୍ଜନ ସାହୁ, ମିଟୁ ବିଶ୍ୱାଳ, ଆଲୋକ ବେହେରା, ହାଡିବନ୍ଧୁ ସାହୁ, ପ୍ରଭାକର ଗୋଚ୍ଛାୟତ ପ୍ରମୁଖ ଦାବି କରିଛନ୍ତି । ନଚେତ୍ ସ୍ଥାନୀୟ ଗ୍ରାମବାସୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com