ବରୀ(ଆପ୍ର): ବରୀ ବ୍ଲକ୍ ବୋଦୁଅ ପଞ୍ଚାୟତ ବନ୍ୟାଞ୍ଚଳ ଭାବେ ପରିଚିତ । ଏରଡା ବୋଦୁଅ ଗାଁକୁ ବିଚ୍ଛିନ୍ନ କରୁଛି ଖରସ୍ରୋତା ନଦୀର ଶାଖା ନଦୀ ତନ୍ତୀଘାଇର ଶାଖା ଚିଙ୍ଗୁଡିଆ । ତନ୍ତୀଘାଇ ଓ ଚିଙ୍ଗୁଡିଆ ନାଳ ଏହି ବନ୍ୟା ଅଞ୍ଚଳର ବିକାଶରେ ମୁଖ୍ୟ ବାଧକ ସାଜିଛି । ଏହି ନାଳଟି ୧୦୦ମିଟରୁ ଊଦ୍ଧ୍ୱର୍ ଚଉଡ଼ା ହୋଇଥିବା ବେଳେ ଏଠାରେ ବନ୍ୟା ବି ସୃଷ୍ଟି ହେଉଛି । ଗମନା ଗମନା ପାଇଁ ଲୋକେ ଡଙ୍ଗା ଉପରେ ନିର୍ଭରଶୀଳ । ଅଞ୍ଚଳକୁ କୌଣସି ଜରୁରୀ ସମୟରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଯାଇପାରେ ନାହିଁ । ବର୍ଷତମାମ ଲୋକେ ଡଙ୍ଗା ଉପରେ ଭରସା କରି ଚଳନ୍ତି । ଗର୍ଭବତୀ ମହିଳା କି ଛାତ୍ରଛାତ୍ରୀମାନେ ଡଙ୍ଗା ପାର ହୋଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ଏଥର ଘାଟିଆ ମାନେ ମିଳିତ ହୋଇ ଏକ ବାଉଁଶ ପୋଲ ତିଆରି କରିଛନ୍ତି । ଏହି ବାଟଦେଇ ଶତାଧିକ ଲୋକ ସହଜରେ ଯାତାୟତ କରୁଛନ୍ତି । ଖରସ୍ରୋତା ନଦୀର କନ୍ତିଆ ଠାରେ ଏକ ପକ୍କା ପୋଲ ନିର୍ମାଣ ଚାଲିଥିବା ବେଳେ ଏହି ସେତୁ ନିର୍ମାଣ ହେଲେ ବରୀରୁ ବିଞ୍ଝାରପୁର ପର୍ଯ୍ୟନ୍ତ ଲୋକେ ଯାତାୟତ କରି ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏଠାରେ ଏକ ସ୍ଥାୟୀ ପକ୍କା ପୋଲ ନିର୍ମାଣ ହେଲେ ବ୍ଲକ୍ର ବୋଦୁଅ, ଭଅଁରା, କୁମ୍ଭୁକା, ସରବରା, କନ୍ତିଆ, ପାଳସାହି, ରାଇପୁର, ବରିଲୋ, ଶାସନ, ବାଲିଆପାଳ, ବରୀ, ବିଞ୍ଝାରପୁର ବ୍ଲକ୍ର ଘଣ୍ଟିଆଳି, ମଇନ୍ଦା, ଗୁହାଳି ସମେତ ବହୁ ଲୋକ ଉପକୃତ ହେବେ ବୋଲି କୁହାଯାଇଛି ।