ଚାଞ୍ଚଲ୍ୟ: ଚାକିରି ପାଇଁ ହତ୍ୟା ଷଡ଼ଯନ୍ତ୍ର

39

ହାତ ଗୋଡ଼ ବନ୍ଧା ଅବସ୍ଥାରେ ବାପା ଉଦ୍ଧାର, ମା’-ପୁଅ ଗିରଫ
କଟକ,୧୯ା୧୨(ବୁ୍ୟରୋ): ବାପାକୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଲା ଖୋଦ୍ ନିଜ ଜନ୍ମକଲା ପୁଅ । ସେ ପୁଣି ନିଜ ମା’ ସହ ମିଶି । ଦୀର୍ଘ ୪ ଦିନ କାଳ ଅଖିଆ ଅପିଆ ଭାବେ ବନ୍ଧା ହୋଇ ପଡିରହିଥିଲା ବାପା ହରିଶ୍ଚନ୍ଦ୍ର ଜେନା । ତେବେ ବାପା ମରିଗଲା ପରେ ବାପା ଚାକିରିକୁ ହାତେଇବା ପାଇଁ ଏମିତି ଏକ ଘୃଣ୍ୟ ଷଡ଼ଯନ୍ତ୍ର ରଚିଥିଲା ଖୋଦ୍ ୨୦ ବର୍ଷୀୟ ପୁଅ । ହେଲେ ସବୁ ଫସର ଫାଟିଲା । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ୍ ଘର ଉପରେ ଚଢ଼ାଉ କରି ବାପା ହରିଶ୍ଚନ୍ଦ୍ର ଜେନାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ମା’ ଡଲି ଜେନା(୪୨) ଓ ପୁଅ ବିଶ୍ୱଜିତ୍ ଜେନା(୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମିତି ଏକ ଅମାନୁଷିକ କାର୍ଯ୍ୟ କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ୍ କଟକ ସହରରେ ଘଟିଛି । ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ବିରଜା କଲୋନୀରେ ଏଭଳି କାଣ୍ଡ ଘଟିଥିବା ପୁଲିସ୍ କହିଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ହରିଶ୍ଚନ୍ଦ୍ର ଯୋବ୍ରା ଅଞ୍ଚଳରେ ଥିବା ସେଟେଲମେଣ୍ଟ କାର୍ଯ୍ୟାଳୟରେ ଜଣେ ଚପରାଶି ଭାବେ କାର୍ଯ୍ୟ କରୁଥିବା ବେଳେ କଟକ ସହରରେ ଖବରକାଗଜ ବିତରକ ଭାବେ ଦୀର୍ଘଦିନହେବ କାର୍ଯ୍ୟ କରିଆସୁଥିଲେ । ତେବେ ସେ ତାଙ୍କ ସ୍ତ୍ରୀ ଡଲି ଏବଂ ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ଦୀର୍ଘଦିନହେବ ସ୍ଥାୟୀ ବାସିନ୍ଦା ଭାବେ ବିରଜା କଲୋନୀରେ ରହିଆସୁଥିଲେ । ସେହିପରି ପାରିବାରିକ କଳହକୁ କେନ୍ଦ୍ର କରି ପରିବାରରେ ଅନେକ ସମୟରେ ଅଶାନ୍ତି ଦେଖାଦେଉଥିଲା । ତେବେ ନିଜ ଚାକିରିକୁ ପୁଅ ବିଶ୍ୱଜିତ୍କୁ ପ୍ରଦାନ କରିବାକୁ ସ୍ତ୍ରୀ ଡଲି ବାରମ୍ବାର ଦାବି କରିଆସୁଥିଲେ । ହେଲେ ଏଥିରେ ହରି ରାଜି ନଥିଲେ । ଫଳରେ ମା’ ଓ ପୁଅ ବାପାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଗତ ୪ ଦିନ ତଳେ ପୁଅ ବିଶ୍ୱଜିତ୍ ଓ ମା’ ଡଲି ମିଶି ବାପାକୁ ନିସ୍ତୁକ ମାଡ ମରିବା ସହ ଏକ ଆବଦ୍ଧ କୋଠରୀରେ ବାନ୍ଧି ଦେଇଥିଲେ । ତେବେ ହରିଙ୍କ ହାତ ଓ ଗୋଡରେ ଦୁଇଟି ଚେନ୍ ବନ୍ଧା ହୋଇଥିବା ବେଳେ ଏକ ରଶିରେ ତାଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଖାଲି ସେତିକି ନୁହେଁ, ୪ଦିନ କାଳ ଖାଇବା ପିଇବାକୁ ନଦେଇ ବାପାର ମୃତୁ୍ୟର ଅପେକ୍ଷା କରିଥିଲେ ଦୁଇ ଜଣ ।
ଦୀର୍ଘ ୪ ଦିନ ହେବ ହରିଶ୍ଚନ୍ଦ୍ରଙ୍କ କୌଣସି ଖୋଜ୍ ଖବର ନଥିବା ଜାଣି ତାଙ୍କ ଓକିଲ ସମ୍ବିତ୍ ସାମଲ ଘଟଣାର ଅନୁସନ୍ଧାନ କରିବା ପରେ ଏସବୁ କଥା ଜାଣିବାକୁ ପାଇଥିଲେ । ପରେ ମାଲଗୋଦାମ ଥାନାରେ ଖବର ଦେବା ପରେ ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଘରେ ଚଢାଉ କରି ଉଦ୍ଧାର କରିଥିଲା । ସେହିପରି ହରିଶ୍ଚନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତୁରନ୍ତ ତାଙ୍କୁ କଟକ ବଡ ମେଡିକଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଶୋଚନୀୟ ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଏନେଇ ମାଲଗୋଦାମ ଥାନା ଆଇଆଇସି ଦେବୀ ପ୍ରସନ୍ନ ପାତ୍ର କହିଛନ୍ତି ଯେ, ଗତକାଲି ରାତିରେ ଖବର ମିଳିବା ପରେ ତାଙ୍କ ଘର ଉପରେ ତୁରନ୍ତ ଚଢାଉ କରାଯାଇଥିଲା । ଚଢାଉ ବେଳେ ଅତି ଅସହାୟ ଭାବେ ତାଙ୍କୁ ଏକ ବନ୍ଦ ଅନ୍ଧାର ଘରେ ବନ୍ଧା ଯାଇଥିବା ବେଳେ ପୁଲିସ୍ ଉଦ୍ଧାର କରିଥିଲା । ପୁଲିସ ପକ୍ଷରୁ ଏହି ଅଭିଯୋଗକ୍ରମେ ମା’ ଓ ପୁଅଙ୍କୁ ଗିରଫ କରାଯାଇଥିଲା । ତେବେ ଥାନା କେସ ନମ୍ବର ୨୭୫/୧୬ରେ ଏକ ମାମଲା ରୁଜୁ କରାଯାଇ ଆଇପିସି ଦଫା ୩୪୨, ୩୨୫, ୩୦୭, ୫୦୬, ୩୪ ଅନୁଯାୟୀ କୋର୍ଟ ଚାଲାଣ କରାଯାଇ ତଦନ୍ତ ଆରମ୍ଭ କରାଯାଉଛି ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com