KONARK

ଗୃହନିର୍ମାଣ କାର୍ଯ୍ୟରେ ନିୟୋଜିତ ନାବାଳିକା

9

କୋଣାର୍କ (ଆପ୍ର): କୋଣାର୍କ ତେଲୁଗୁସାହିରେ ଅମାନବୀୟ ଭାବେ ନାବାଳିକାମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି । ସରକାର ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାର ନୀତି ନିୟମ ପ୍ରଣୟନ କରିଥିଲେ ମଧ୍ୟ ଶିଶୁମାନେ ବିିଭିନ୍ନ ସମୟରେ ନିର୍ଯାତିତ ହେବାସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଶିଶୁ ସୁରକ୍ଷା ବିଭାଗ ନିକଟରେ ଖବର ଥିଲେ ବି ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି । କୋଣାର୍କ ଏନ୍ଏସି ୮ ନଂ ୱାର୍ଡ଼ ତେଲୁଗୁସାହିରେ କୋମଳମତି ଶିଶୁଙ୍କୁ ଗୃହ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି । ଏପରିକି ଟାଣ ଖରାରେ ଶିଶୁ ଓ ବାଳିକାଙ୍କୁ ଗୃହ ନିର୍ମାଣ କାର୍ଯ୍ୟରେ ଲଗାଯାଇ ଇଟାବୁହା କାର୍ଯ୍ୟରେ ଲଗାଯାଇଛି । ତେଲୁଗୁସାହିର ଜୈନିକ ଗୃହକର୍ତ୍ତା ଗୃହ ନିର୍ମାଣ ପାଇଁ ଦରକାର ହେଉଥିବା ଇଟାଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପାଞ୍ଚ ବର୍ଷରୁ ଊଦ୍ଧ୍ୱର୍ ଶିଶୁ ଓ ବାଳିକା ସମେତ ଜୈନିକ ଭିନ୍ନକ୍ଷମ ନାବାଳିକାକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି ।
ଶ୍ରମବିଭାଗ ପକ୍ଷରୁ ଟାଣ ଖରାରେ କାର୍ଯ୍ୟ ନକରିବା ପାଇଁ ନିଦେ୍ର୍ଦଶନାମା ଥିଲେ ବି ଶିଶୁଙ୍କ ପ୍ରତି ଅମାନବୀୟ ଭାବେ ଓ ଟାଣ ଖରାରେ ଗୃହ କାର୍ଯ୍ୟରେ ନିୟୋଜିତ କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଶିଶୁ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଥିଲେ ବି କୌଣସି ସୁଫଳ ମିଳିପାରୁନଥିବା ଜଣାପଡ଼ିଛି । ଏଥିସହ ଏଠାରେ ଥିବା ବିଭିନ୍ନ ହୋଟେଲ, ଲଜ୍ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି । ଏ ନେଇ ବିଭିନ୍ନ ସମୟରେ ଶିଶୁ ସୁରକ୍ଷା ବିଭାଗ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ବିଭିନ୍ନ ସମୟରେ ଛୋଟ ବଡ଼ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରୁଥିବା ନଜିର ରହିଛି । ଚଢ଼ାଉ ନିୟମିତ ଭାବେ ନହେବା ଫଳରେ ବ୍ୟବସାୟିକ ପ୍ରତିଷ୍ଠାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । ଏନେଇ ବିିଭିନ୍ନ ସଂଗଠନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଥିଲେ ସେ ଏ ସଂପର୍କରେ ଅବଗତ ନାହାନ୍ତି । ତଦନ୍ତ ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେଆର କରନ୍ତୁ:



Powered by odothemes.com