କୃଷି-କୃଷକ ସଶକ୍ତିକରଣ ପାଇଁ ସ୍ୱତନ୍ତ୍ର କ୍ୟାବିନେଟ୍

40

ଭୁବନେଶ୍ୱର, ୨୬ ।୨ (ବୁ୍ୟରୋ): କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହି ଦୁଇ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି କରିବା ଲାଗି ଅନେକ ପଦକ୍ଷେପ ନିଆଯାଉଛି । ଏହି ପ୍ରକିୟାକୁ ତ୍ୱରାନିତ୍ୱ କରିବା ଲାଗି କୃଷି ଓ ଆନୁସାଙ୍ଗିକ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର କ୍ୟାବିନେଟ୍ ଗଠନ କରିବା ଲାଗି ନିଷ୍ପତ୍ତି ହୋଇଛି । ଉପରୋକ୍ତ ନିଷ୍ପତ୍ତି ସହ ଆଜି ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ସମୁଦାୟ ୧୪ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାରେ ବିଭିନ୍ନ ଲକ୍ଷ୍ୟ ହାସଲ କରିବା ନିମନ୍ତେ ନିଯୁକ୍ତି ସୃଷ୍ଟି, ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ, ମୂଲ୍ୟ ସୂଚୀରେ ଅନିଶ୍ଚିତତା ହ୍ରାସ ଓ ଚାଷୀର ଆୟ ବୃଦ୍ଧି ପାଇଁ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅର୍ଥର ବିନିଯୋଗ କରାଯାଉଛି । ତେବେ ଏହି ଅର୍ଥ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେଉଛି ତାହାର ମଧ୍ୟ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି । କୃଷିକ୍ଷେତ୍ରର ଉପିାଦନ ବୃଦ୍ଧି ନିମନ୍ତେ ଜଳସେଚନ ପାଇଁ ବିଦୁ୍ୟତର ମଧ୍ୟ ପ୍ରମୁଖ ଅବଦାନ ରହିଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବିଭିନ୍ନ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଆଜି ଗଠନ ହୋଇଥିବା କୃଷି କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଏହାର ସଭ୍ୟ ଅଛନ୍ତି । ଏହାଛଡ଼ା କୃଷି ବିଭାଗର ନାମକୁ ପରିବର୍ତ୍ତନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ଏହି ବିଭାଗ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାବେ ପରିଗଣିତ ହେବ । ସେହିଭଳି ଯୋଜନା ଓ ସମନ୍ୱୟ ବିଭାଗର ନାମ ପରିବର୍ତ୍ତନ କରାଯାଇ ଯୋଜନା ଓ ସଂଯୋଜନା କରିବା ନିଷ୍ପତ୍ତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ପାଢ଼ୀ କହିଥିଲେ । ସେ କହିଲେ ଯେ ଚିଟ୍ଫଣ୍ଡ କମ୍ପାନି ଦ୍ୱାରା ଠକାମୀର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ଦେବା ପାଇଁ ଓଡ଼ିଶା ଜମାକାରୀଙ୍କ ସୁରକ୍ଷା (ଆର୍ଥିକ ସଂସ୍ଥା ଦ୍ୱାରା) ଅଧିନିୟମ-୨୦୧୧ରେ ସଂଶୋଧନ କରାଯାଇଛି । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏହି ଆଇନର ଉପଧାରା-୮ରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରଖିଥିବା ଜମାକାରୀଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଦର୍ଶାଯିବ । ଫଳରେ ସେମାନଙ୍କୁ ଅର୍ଥ ଫେରସ୍ତ ଦେବା ସହଜ ହେବ । ଏହାଛଡ଼ା ଲୋକଙ୍କୁ ଠକିଥିବା ଚିଟ୍ଫଣ୍ଡ କମ୍ପାନିଗୁଡ଼ିକ ମାଲିକମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବ୍ୟବସ୍ଥା କରିବା ପାଇଁ ଅଧିନିୟମ ଧାରା-୭ରେ ସଂଶୋଧନ କରାଯାଇଛି । ଏହି ଆଇନ୍କୁ ଆହୁରି ସଶକ୍ତ କରାଯାଇ ଜମାକାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାରେ ଖିଲାପ କରୁଥିବା ସଂସ୍ଥାର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଇଁ ପୂର୍ବରୁ ୧ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ୍ଦଣ୍ଡ ଏବଂ ସଂସ୍ଥା ନିମନ୍ତେ ୨ ଲକ୍ଷ ଟଙ୍କା ଜୋରିମାନାର ବ୍ୟବସ୍ଥା ଥିଲା । ଏବେ ଏହାର ସଂଶୋଧନ କରାଯାଇ ଚିଟ୍ଫଣ୍ଡ୍ କମ୍ପାନି ପରିଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ସଂସ୍ଥାକୁ ୧ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବା ପ୍ରସ୍ତାବ ଅନୁମୋଦନ ହୋଇଛି । ଏହାଛଡ଼ା ଚିଟ୍ଫଣ୍ଡ କମ୍ପାନିରୁ ଜବତ ହୋଇଥିବା ଅସ୍ଥାବର ସମ୍ପତ୍ତିଗୁଡ଼ିକୁ ତୁରନ୍ତ ବ୍ୟାଜ୍ୟାପ୍ତି କରିବା ପାଇଁ ମଧ୍ୟ ଧାରା-୪(୩)ରେ ସଂଶୋଧନ ହୋଇଛି । ଅଭିଯୁକ୍ତମାନଙ୍କ ଉପରେ ନୋଟିସ୍ ଜାରିଜନିତ ବିଳମ୍ବକୁ ଏଡ଼ାଇବା ପାଇଁ ଅଦାଲତକୁ ଦେୱାନୀ ଅଦାଲତର ସମସ୍ତ କ୍ଷମତା ଅର୍ପଣ କରାଯିବ । ଦେୱାନୀ ପ୍ରକ୍ରିୟା ସଂହିତା ବଳରେ ସ୍ଥାନୀୟ ଓ ଜାତୀୟ ଦୈନିକ ସମ୍ବାଦପତ୍ର ଜରିଆରେ ନୋଟିସ୍ ଦେବା ପାଇଁ ପ୍ରସ୍ତାବ ରହିଛି । ଯାହାଫଳରେ ଏହା ଅର୍ଥ ପ୍ରତିଷ୍ଠାନ ଓ ଅନ୍ୟ ବିରୋଧୀ ପକ୍ଷଙ୍କ ଉପରେ ଶୀଘ୍ର ନୋଟିସ୍ ଜାରିରେ ସହାୟକ ହେବ ଓ ଅଦାଲତର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ତେବେ ଅଧିନିୟମ ଧାରା-୯ ଓ ଉପଧାରା-୭ରେ ସଂଶୋଧନ କରାଯାଇ ଚିଟ୍ଫଣ୍ଡ କମ୍ପାନିରୁ ଜବତ ସମ୍ପତ୍ତି ବ୍ୟାଜ୍ୟାପ୍ତିରୁ ମିଳିଥିବା ଅର୍ଥକୁ ସବୁ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାନଯାଇ କ୍ଷୁଦ୍ର ଜମାକାରୀ ବା ତାଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ବଣ୍ଟନ ହେବ । ସେହିଭଳି ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ ଯଦି ଜମାକାରୀଙ୍କୁ ଫେରାଇବା ନିମନ୍ତେ ଅର୍ଥ ଖର୍ଚ୍ଚ କରିଥିବେ, ତାହା ଆର୍ଥିକ ସଂସ୍ଥାର ସମ୍ପତ୍ତି ବିକ୍ରିଲବ୍ଧ ଅର୍ଥରୁ ପ୍ରଥମେ ଭରଣା କରାଯିବ ବୋଲି ଆସିଥିବା ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍ରେ ଅନୁମୋଦନ ହୋଇଛି ।

ସେଆର କରନ୍ତୁ:



Powered by odothemes.com