କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ

86

ଭୁବନେଶ୍ୱର, ୩୦ ।୮ (ବୁ୍ୟରୋ): କଳାହାଣ୍ଡିରେ ରାଜ୍ୟ ସରକାର ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବେ । କଲେଜ ଲାଗି ବେଦାନ୍ତ ଗ୍ରୁପ୍ ଭିତ୍ତିଭୂମି ଯୋଗାଇ ଦେବ । ଏହାଛଡ଼ା ସରକାର ଏହି କଲେଜକୁ ପରିଚାଳନା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ତେବେ ଆଜି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କରି ବେଦାନ୍ତ କମ୍ପାନୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ କମ୍ପାନୀ ମୁଖ୍ୟ ଶ୍ରୀ ଅଗ୍ରୱାଲ କରିଛନ୍ତି ଯେ, ଓଡ଼ିଶାରେ ବେଦାନ୍ତ କମ୍ପାନୀ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛନ୍ତି । ଭାରତର କୌଣସି ବ୍ୟାଙ୍କରୁ ଏଥିପାଇଁ ଟଙ୍କା ଅଣାଯାଇ ନାହିଁ । ଲଣ୍ଡନରୁ ପୁଞ୍ଜି ଆଣି ସେ ଓଡ଼ିଶାରେ ବିନିଯୋଗ କରିଥିଲେ । ବେଦାନ୍ତ ପ୍ରକଳ୍ପ ଯୋଗୁଁ ପ୍ରାୟ ୧ ଲକ୍ଷ ଲୋକଙ୍କ ଲାଗି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁବିଧା ସୃଷ୍ଟି ହୋଇଛି । ତେବେ ୧୨ ବର୍ଷ ହେଲା କମ୍ପାନୀ କ୍ଷତିରେ ଚାଲିଛି । ବକ୍ସାଇଡ୍ ଅଭାବରୁ କମ୍ପାନୀ ତା’ର କ୍ଷମତା ଅନୁଯାୟୀ ଉତ୍ପାଦନ କରିପାରୁ ନାହିଁ । ରାଜ୍ୟ ସରକାର ଓଡ଼ିଶା ଖଣି ନିଗମ ଜରିଆରେ ବକ୍ସାଇଟ୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମାର୍ଚ୍ଚ ମାସ ସୁଦ୍ଧା ବେଦାନ୍ତକୁ ତା’ର ଆବଶ୍ୟକ ଅନୁଯାୟୀ ବକ୍ସାଇଟ୍ ମିଳିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ବେଦାନ୍ତ କରିଥିବା ଆଲୁମିନା ପାର୍କରେ ଅନ୍ୟକମ୍ପାନୀ ଗୁଡ଼ିକ ପୁଞ୍ଜିବିନିଯୋଗ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଷ୍ଟାର୍ଟ ଅପ୍ ପଲିସି ଆରମ୍ଭ କରିଛନ୍ତି । ଏଥିରେ ଅନେକ ଶିଳ୍ପ ଆସିବ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଭଲ ଭିତ୍ତିଭୂମି ରହିଛି । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଉପରେ ତାଙ୍କର ଭରସା ଅଛି । କଳାହାଣ୍ଡି ପ୍ରତି ତାଙ୍କର ବିଶେଷ ଭଲ ପାଇବା ରହିଛି । କଳାହାଣ୍ଡିର ବିକାଶ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି । ମେଡିକାଲ କଲେଜ ପାଇଁ ବେଦାନ୍ତ ୧୦୦ କୋଟି ଟଙ୍କା ଭିତ୍ତିଭୂମି ସହାୟତା ଯୋଗାଇ ଦେବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, କଳାହାଣ୍ଡିରେ ଏକ ସରକାରୀ ମେଡିକାଲ କଲେଜ ହେଉ ଏହା ସେ ଅଞ୍ଚଳବାସୀଙ୍କର ଦୀର୍ଘଦିନର ଦାବି ଥିଲା । ରାଜ୍ୟ ସରକାର ଏବେ ତାହା ପୂରଣ କରିବାକୁ ଯାଉଛନ୍ତି । ଏମ୍ସିଏଲ୍ ଯେଭଳି ତାଳଚେରରେ ମେଡିକାଲ କଲେଜ ନିର୍ମାଣ ପାଇଁ ଭିତ୍ତିଭୂମି ଯୋଗାଇଛି କଳାହାଣ୍ଡିରେ ବେଦାନ୍ତ ମଧ୍ୟ ଅନୁରୂପ ଭାବେ ତାହା ଯୋଗାଇ ଦେବ ଓ ସରକାର ଏହାର ପରିଚାଳନା ଦାୟିତ୍ୱ ନେବେ । ଏହି ଆଲୋଚନା ବେଳେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com